Messi: ନିନ୍ଦୁକଙ୍କ ମୁହଁ ବନ୍ଦ କଲେ ମେସି: ‘ଆର୍ଜେଣ୍ଟିନା ବିରୋଧରେ ଏଣୁତେଣୁ କହିବାର ସୁଯୋଗ ଦେବୁନୁ’
ଚଳିତ ଫିଫା ଫୁଟ୍ବଲ୍ ବିଶ୍ୱକପ୍ର ସେମିଫାଇନାଲ୍ରେ ୮୪ ମିନିଟ୍ କାଳ ଗୋଟିଏ ଗୋଲ୍ରେ ପଛୁଆ ରହିବା ପରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ୨-୧ରେ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିବା ପରେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସି ବଡ଼ ବୟାନ ଦେଇଛନ୍ତି।

ଆଟଲାଣ୍ଟା: ଚଳିତ ଫିଫା ଫୁଟ୍ବଲ୍ ବିଶ୍ୱକପ୍ର ସେମିଫାଇନାଲ୍ରେ ୮୪ ମିନିଟ୍ କାଳ ଗୋଟିଏ ଗୋଲ୍ରେ ପଛୁଆ ରହିବା ପରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ୨-୧ରେ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିବା ପରେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସି ବଡ଼ ବୟାନ ଦେଇଛନ୍ତି। ଏହି ବିଜୟ ନିନ୍ଦୁକଙ୍କ ମୁହଁ ବନ୍ଦ କରିବାକୁ ଯଥେଷ୍ଟ ବୋଲି କହିବା ସହ ଆର୍ଜେଣ୍ଟିନା ବିରୋଧରେ ଏଣୁତେଣୁ କହିବାରୁ ବିରତ ରହିବାକୁ ନିନ୍ଦୁକଙ୍କୁ ପରାପର୍ଶ ଦେଇଛନ୍ତି ସେ। ମେସି କହିଛନ୍ତି, ଏହି ବିଜୟ ମାଧ୍ୟମରେ ଆମ ଦଳ ସମାଲୋଚକଙ୍କ ପାଇଁ ଅର୍ଥହୀନ କଥା କହିବାର ବାଟ ବନ୍ଦ କରି ଦେଇଛୁ। ମ୍ୟାଚ୍ ପରେ ଦେଇଥିବା ସାକ୍ଷାତକାରରେ ମେସି ଆହୁରି କହିଛନ୍ତି, ଆମେ ଆର୍ଜେଣ୍ଟିନାବାସୀ ସବୁବେଳେ ଅଧିକ ଆଶା କରିଥାଉ। ଯଦି ଆଜି ଆମେ ଇଂଲଣ୍ଡଠାରୁ ହାରିଯାଇଥାନ୍ତୁ, ତେବେ ଅନେକ ଲୋକ ଆମକୁ ନେଇ ଅନେକ କଥା କହିଥା’ନ୍ତେ। କିନ୍ତୁ ଆମେ ସେମାନଙ୍କୁ ସେହି ସୁଯୋଗ ଦେଇନୁ। ଏହି ମ୍ୟାଚ୍ର ଗୁରୁତ୍ୱକୁ ଆମେ ଭଲଭାବେ ବୁଝିଥିଲୁ। ଫୁଟ୍ବଲ୍ ଦୃଷ୍ଟିକୋଣରୁ ଆମେ ସେମାନଙ୍କଠାରୁ ଭଲ ଦଳ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ଥିଲା।। ଆର୍ଜେଣ୍ଟିନା-ଇଂଲଣ୍ଡ ମ୍ୟାଚ୍ ସବୁବେଳେ ଏକ ସ୍ୱତନ୍ତ୍ର ହୋଇଥାଏ। ହେଲେ ପୂର୍ବ ଇତିହାସକୁ ଆମେ ପଡ଼ିଆକୁ ନେଇ ଆସି ନଥିଲୁ।
ମାରାଡୋନାଙ୍କୁ ଉତ୍ସର୍ଗ କଲେ ବିଜୟ
ଇଂଲଣ୍ଡ ବିପକ୍ଷ ଐତିହାସିକ ବିଜୟକୁ ମେସି ନିଜ ଦେଶର ମହାନତମ ତାରକା ଡିଏଗୋ ମାରାଡୋନାଙ୍କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି, ମାରାଡୋନା ଉପରୁ ଏହି ବିଜୟକୁ ଦେଖି ନିଶ୍ଚୟ ଖୁସି ହେଉଥିବେ। ମୋର ବିଶ୍ୱାସ ସେ ମଧ୍ୟ ଏହାକୁ ମନଭରି ଉପଭୋଗ କରୁଥିବେ। କାରଣ ଆଜିର ଦିନ ତାଙ୍କ ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର। ସେ ଯେଉଁଠି ଥାଆନ୍ତୁ, ସେଠାରୁ ଏହି ଆନନ୍ଦକୁ ଅନୁଭବ କରନ୍ତୁ। ଏହି ବିଜୟ ତାଙ୍କ ପାଇଁ ଆମର ଏକ ଉପହାର। ସୂଚନାଯୋଗ୍ୟ ଯେ ୧୯୮୬ ବିଶ୍ବକପ୍ରେ ମାରାଡୋନା ଇଂଲଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲରେ ‘ହ୍ୟାଣ୍ଡ ଅଫ୍ ଗଡ୍’ ଏବଂ ‘ଗୋଲ୍ ଅଫ୍ ଦ ସେଞ୍ଚୁରୀ’ ଭଳି ଦୁଇଟି ଐତିହାସିକ ଗୋଲ୍ କରି ଆର୍ଜେଣ୍ଟିନାକୁ ୨-୧ ବିଜୟ ଦେଇଥିଲେ। ସେହି ବର୍ଷ ଆର୍ଜେଣ୍ଟିନା ବିଶ୍ୱକପ୍ ଜିତିଥିଲା। ଠିକ୍ ୪୦ ବର୍ଷ ପରେ ପୁଣିଥରେ ଇଂଲଣ୍ଡ ବିପକ୍ଷରେ ୨-୧ ବିଜୟ ସହ ଆର୍ଜେଣ୍ଟିନା ଫାଇନାଲରେ ପହଞ୍ଚିଛି। ଯାହା ନିଆରା ସଂଯୋଗର ଛାପ ଛାଡ଼ିଛି।
ସୌଜନ୍ୟ ସମ୍ବାଦ




