World Cup jersey: ପେଲେଙ୍କ ୧୯୫୮ ବିଶ୍ବକପ୍ ଜର୍ସି ୪୭ କୋଟି ଟଙ୍କାରେ ବିକ୍ରି
ବ୍ରାଜିଲ କିଂବଦନ୍ତି ପେଲେ ୧୯୫୮ ଫିଫା ବିଶ୍ବକପ୍ ଫାଇନାଲ୍ରେ ପିନ୍ଧିଥିବା ଜର୍ସି ଶୁକ୍ରବାର ନିଲାମରେ ୪.୯ ମିଲିୟନ୍ ଆମେରିକୀୟ ଡଲାର ତଥା ଭାରତୀୟ ମୁଦ୍ରାରେ ୪୭ କୋଟି ଟଙ୍କାରେ ବିକ୍ରି ହୋଇଛି।

ନ୍ୟୁୟର୍କ:ବ୍ରାଜିଲ କିଂବଦନ୍ତି ପେଲେ ୧୯୫୮ ଫିଫା ବିଶ୍ବକପ୍ ଫାଇନାଲ୍ରେ ପିନ୍ଧିଥିବା ଜର୍ସି ଶୁକ୍ରବାର ନିଲାମରେ ୪.୯ ମିଲିୟନ୍ ଆମେରିକୀୟ ଡଲାର ତଥା ଭାରତୀୟ ମୁଦ୍ରାରେ ୪୭ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ଫୁଟ୍ବଲ୍ କିଂବଦନ୍ତିଙ୍କ ସହ ଜଡ଼ିତ ସ୍ମୃତିର ସବୁଠୁ ଦାମୀ ଜିନିଷ ବୋଲି ସୋଥେବାୟ କହିଛି। ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ୧୭ ବର୍ଷ ବୟସରେ ପେଲେ ଏହି ୧୦ ନମ୍ବର ଜର୍ସି ପିନ୍ଧିଥିଲେ। ତାଙ୍କ ଦଳ ଏହି ମ୍ୟାଚ୍କୁ ୫-୨ ଗୋଲ୍ରେ ଜିତି ପ୍ରଥମ ଥର ବିଶ୍ବକପ୍ କରାୟତ୍ତ କରିଥିଲା। ଏହି ଜର୍ସି ନିଲାମରେ ୫ ଜଣ ବିଡର ୧୦ ବିଡ୍ ପକାଇଥିଲେ ବୋଲି ନିଲାମକାରୀ ସଂସ୍ଥା କହିଛି।
ବିକ୍ରି ହେବାରେ ଦ୍ବିତୀୟ ସର୍ବାଧିକ ଦର
ଫୁଟ୍ବଲ୍ ଜର୍ସି ମଧ୍ୟରେ ଏହା ବିକ୍ରି ହେବାରେ ଦ୍ବିତୀୟ ସର୍ବାଧିକ ଦର। ପୂର୍ବରୁ ୧୯୮୬ ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ‘ହ୍ୟାଣ୍ଡ ଅଫ୍ ଗଡ୍’ ଗୋଲ୍ ବେଳେ ଡିଏଗୋ ମାରାଡୋନା ପିନ୍ଧିଥିବା ଜର୍ସି ୯.୩ ଆମେରିକୀୟ ଡଲାର (ପ୍ରାୟ ୯୦ କୋଟି ଟଙ୍କା)ରେ ବିକ୍ରି ହୋଇଥିଲା। ୨୦୨୨ରେ ୮୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ପେଲେ ୧୯୫୮ ବିଶ୍ବକପ୍ ଫାଇନାଲ୍ରେ ୨ଟି ଗୋଲ୍ ଦେଇଥିଲେ। ତାଙ୍କ ନାମରେ ବିଶ୍ବକପ୍ ଫାଇନାଲ୍ରେ ଗୋଲ୍ କରିବାରେ ସର୍ବକନିଷ୍ଠ ଖେଳାଳି ରହିଛି। ପୂର୍ବରୁ ଏହି ସାର୍ଟ ୨୦୦୪ରେ ୭୦,୫୦୫ ପାଉଣ୍ଡ ତଥା ୧୦୫.୬୦୦ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା ବୋଲି ସୋଥେବାୟ ପକ୍ଷରୁ ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




