ଦେଶ ବିଦେଶ

ଆଜି ରାଜ୍ୟର ୭ ରେଳ ଷ୍ଟେସନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ବିକଶିତ ଦେଶର ୭୫ଟି ପୁନଃନିର୍ମିତ ରେଳ ଷ୍ଟେସନ୍‌କୁ ଆସନ୍ତାକାଲି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୭ଟି ରେଳ ଷ୍ଟେସନ୍‌କୁ ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସଂପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍‌ଘାଟିତ ହେବାକୁ ଥିବା ଓଡ଼ିଶାର ରେଳ ଷ୍ଟେସନ୍‌ଗୁଡ଼ିକ ହେଲା, ବଲାଙ୍ଗିର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳାଗଡ଼। ଏଗୁଡ଼ିକର ନବକଳେବର ହୋଇସାରିଛି। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଏହି ଷ୍ଟେସନ୍‌ଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ବିକଶିତ କରାଯାଇଛି। ଓଡ଼ିଶାର ଏହି ୭ଟି ଷ୍ଟେସନ୍‌ର ନବୀକରଣ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି। ସ୍ଥାନୀୟ ଐତିହ୍ୟକୁ ବଜାୟ ରଖିବା ସହ ଯାତ୍ରୀଙ୍କୁ ଆଧୁନିକ ସେବା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ।
ଏଠାରେ ଉଲ୍ଲେଖଯୋଗ୍ୟ, ଗଜପତି ଜିଲା ପାରଳାଖେମୁଣ୍ଡି ଷ୍ଟେସନର କାୟାକଳ୍ପ ବଦଳିଛି। ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟେସନ୍‌ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ଭବ୍ୟ ସ୍ଥାପତ୍ୟ। ପାରଳାଖେମୁଣ୍ଡି ରାଜପ୍ରାସାଦର ମଡେଲ୍‌ରେ ଏହି ନୂଆ ରେଳ ଷ୍ଟେସନକୁ ତିଆରି କରାଯାଇଛି। ଷ୍ଟେସନ ଭିତରେ ବିଭିନ୍ନ
ଚିତ୍ରକଳା ମାଧ୍ୟମରେ ସ୍ଥାନୀୟ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଏଠାରେ ବିମାନବନ୍ଦର ଭଳି ବ୍ୟବସ୍ଥା କରାଯାଇଛି। ସେହିପରି, ପ୍ରାୟ ୧୩ କୋଟି ବ୍ୟୟ‌ରେ ପୁନଃନିର୍ମିତ ତାଳଚେର ଷ୍ଟେସନ୍‌ରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ।

ଏଠାକୁ ଆସୁଥିବା ଯାତ୍ରୀମାନେ ଡାଲଖାଇ ନୃତ୍ୟ ଏବଂ ସମ୍ବଲପୁରୀ ଲୋକସଂସ୍କୃତିର ଝଲକ ଦେଖିବାକୁ ପାଇପାରିବେ। ଏହାସହ ସମ୍ବଲପୁରୀ ହସ୍ତତନ୍ତ କାରିଗରୀର ସୁନ୍ଦର ପ୍ରଦର୍ଶନୀ ମଧ୍ୟ ଦେଖିବାକୁ ମିଳିବ। ଓଡ଼ିଆ ସ୍ୱାଦର ପ୍ରସାର ପାଇଁ ଏଠାରେ ପଖାଳ ଭାତ, ଛେନାପୋଡ଼ ଓ ଡାଲମା ଭଳି ସୁଆଦିଆ ପାରମ୍ପରିକ ଖାଦ୍ୟ ମିଳିବ। ଏହାବ୍ୟତୀତ ନିକଟରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ, ଦେଉଳଝରି ଗରମ ପାଣି କୁଣ୍ଡ ଏବଂ ଓଡ଼ିଶାର ଆଧ୍ୟାତ୍ମିକ ଓ ଐତିହାସିକ ଗୌରବକୁ ପ୍ରତିଫଳିତ କରୁଥିବା ପ୍ରାଚୀନ ମନ୍ଦିରଗୁଡ଼ିକ ଭଳି ନିକଟସ୍ଥ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲି ଦେଖିପାରିବେ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button