ଜାତୀୟ

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ଭୋକିଲା ରହିବା ଯୋଗୁ ତାଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। କକ୍ରୋଚ ଜନତା ପାର୍ଟି (CJP)ର ଅଭିଜିତ ଦୀପକେ ଏକ ଭାବପୂର୍ଣ୍ଣ ନିବେଦନ କରି କହିଛନ୍ତି ଯେ, ୱାଙ୍ଗଚୁକଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ। ଅନଶନ ଯୋଗୁ ତାଙ୍କ ଓଜନ ବହୁ ପରିମାଣରେ ହ୍ରାସ ପାଇଛି ଏବଂ ଶରୀରର ହାଡ଼ଗୁଡ଼ିକ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି।

ଅଭିଜିତ ଦୀପକେ ଦାବି କରିଛନ୍ତି ଯେ, ଗୁରୁବାର ଶାରୀରିକ ଦୁର୍ବଳତା ଯୋଗୁ ୱାଙ୍ଗଚୁକ ଦୁଇ ଦୁଇ ଥର ପଡ଼ିଯାଉ ଯାଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ସେ ମଞ୍ଚରୁ ତଳକୁ ଓହ୍ଲାଇବା ସମୟରେ ନିଜ ସହଯୋଗୀମାନଙ୍କ ସାହାରା ନେଉଥିବା ଦେଖିବାକୁ ମିଳିଛି। ସେ ବହୁତ ଧୀରେ ଧୀରେ ଏବଂ ଟଳମଳ ପାଦରେ ଆଗକୁ ବଢ଼ୁଛନ୍ତି।

ଡାକ୍ତରମାନେ ମଧ୍ୟ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଗମ୍ଭୀର ଚେତାବନୀ ଦେଇଛନ୍ତି। ଦୀର୍ଘ ସମୟ ଧରି ଉପବାସ କରିବା ଦ୍ୱାରା ଶରୀରର ମୁଖ୍ୟ ଅଙ୍ଗଗୁଡ଼ିକ ଉପରେ ଖରାପ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ତାଙ୍କର ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ ସେ ଏହି ଅନଶନ ଜାରି ରଖିଛନ୍ତି।

ଡାକ୍ତରମାନଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ଖାଦ୍ୟ ଗ୍ରହଣ ନକରିବା ଯୋଗୁ ସ୍ଥିତି ଏବେ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଯଦି ଶୀଘ୍ର କୌଣସି ସମାଧାନ ନବାହାରେ, ତେବେ ଏହାର ପ୍ରଭାବ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ଉପରେ ପଡ଼ିପାରେ। ଡାକ୍ତରମାନେ ଅଙ୍ଗ ଅଚଳ (ଅର୍ଗାନ ଫେଲିୟର) ହେବାର ଆଶଙ୍କା ନେଇ ଚେତାବନୀ ଦେଇଛନ୍ତି।

ତେବେ ୱାଙ୍ଗଚୁକ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ଦୃଢ଼ ଜବାବ ମିଳିନାହିଁ, ସେ ପର୍ଯ୍ୟନ୍ତ ସେ ନିଜର ଅନଶନ ଶେଷ କରିବେ ନାହିଁ। ଏହା ସହିତ ସେ ଜୁଲାଇ ୨୦ ତାରିଖରେ ହେବାକୁ ଥିବା କକ୍ରୋଚ ଜନତା ପାର୍ଟିର ସଂସଦ ମାର୍ଚ୍ଚକୁ ସଫଳ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି।

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button