ଦେଶ ବିଦେଶ

RamTemple: ରାମ ମନ୍ଦିର ଦାନ ଚୋରି ମାମଲା: ଚୂଡ଼ାନ୍ତ ରିପୋର୍ଟ ପାଇଁ ଏସ୍ଆଇଟି ମାଗିଲା ଅଧିକ ସମୟ

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଚୋରି ଓ ହେରଫେର ମାମଲାର ତଦନ୍ତ ପ୍ରକ୍ରିୟା ଆହୁରି ଜଟିଳ ହେବାରେ ଲାଗିଛି।

ଲକ୍ଷ୍ନୌ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଚୋରି ଓ ହେରଫେର ମାମଲାର ତଦନ୍ତ ପ୍ରକ୍ରିୟା ଆହୁରି ଜଟିଳ ହେବାରେ ଲାଗିଛି। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ‘ଏସ୍ଆଇଟି’ ଏହି ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଗୁରୁବାର ଅତିରିକ୍ତ ସମୟ ମାଗିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏହା ଉପରେ ସିଧାସଳଖ ନଜର ରଖିଥିବା ବେଳେ ଆସନ୍ତା ସୋମବାର ସୁଦ୍ଧା ଏକ ବନ୍ଦ ଲଫାଫା ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଚାଲିଥିବା ମାରାଥନ୍ ତଦନ୍ତରେ ଏସ୍ଆଇଟି ପ୍ରାୟ ୭୯.୮୫ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଏସ୍ଆଇଟିର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗତ କିଛି ମାସର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ପରେ ପ୍ରାୟ ୭୦ଟି ସନ୍ଦେହଜନକ ଚୋରି ଘଟଣା ସାମ୍ନାକୁ ଆସିଛି। ଏହି ସମସ୍ତ ଚୋରି ମନ୍ଦିରର ଦାନବାକ୍ସରୁ ଟଙ୍କା ଗଣତି ଓ ବ୍ୟାଙ୍କରେ ଜମା କରିବା ପ୍ରକ୍ରିୟା ସମୟରେ ହିଁ ଘଟିଛି। ରିପୋର୍ଟ ଅନୁଯାୟୀ, ଦାନ ଅର୍ଥ ପରିଚାଳନାରେ ୯ଟି ଅତ୍ୟନ୍ତ ଗମ୍ଭୀର ଆଭ୍ୟନ୍ତରୀଣ ସୁରକ୍ଷା ତ୍ରୁଟି ଓ ଟ୍ରଷ୍ଟ ପ୍ରଣାଳୀର ଚରମ ଅବହେଳା ଚିହ୍ନଟ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟର ମଧ୍ୟ ସାମିଲ ଅଛନ୍ତି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button