Mission Shakti-ICRISAT MOU ମିଶନ ଶକ୍ତି ଉଦ୍ୟୋଗ ନିମନ୍ତେ ଇକ୍ରିସାଟ୍ ସହ ବୁଝାମଣାପତ୍ର
ଓଡ଼ିଶାର ମିଶନ ଶକ୍ତି ବିଭାଗ ଓ ICRISAT ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଏସଏଚଜି ମହିଳାଙ୍କ କୃଷି ଉଦ୍ୟୋଗ, ଜଳବାୟୁ-ସ୍ମାର୍ଟ କୃଷି, ବଜାର ସଂଯୋଗ ଓ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ ମିଳିବ।

ଭୁବନେଶ୍ୱର: ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ନିମନ୍ତେ ଆଜି (ଶୁକ୍ରବାର) ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ‘ଇକ୍ରିସାଟ୍’ (ICRISAT) ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ବାଲ, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ ମୋନିକା ପ୍ରିୟଦର୍ଶିନୀ, ଇକ୍ରିସାଟ୍ର ଡେପୁଟୀ ଡିରେକ୍ଟର ଜେନେରାଲ ଡ ଷ୍ଟାନଫୋର୍ଡ ବ୍ଲେଡ୍ଙ୍କ ସମେତ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଏବଂ ଇକ୍ରିସାଟ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀମତୀ ନିମ୍ବାଲ କହିଛନ୍ତି, ଏହି ବୁଝାମଣାପତ୍ର ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି-ଆଧାରିତ ପ୍ରକଳ୍ପ ହାତକୁ ନିଆଯିବ। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷିମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସହ ସଂଯୋଗ କରିବା ଅତ୍ୟନ୍ତ ଜରୁରୀ। ଇକ୍ରିସାଟ୍ ସହ ଏହି ସହଭାଗିତା ରାଜ୍ୟର ଲକ୍ଷାଧିକ ଏସ୍.ଏଚ୍.ଜି ସଦସ୍ୟାଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଏହି ପଦକ୍ଷେପ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ‘ଲକ୍ଷପତି ଦିଦି’, ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ହାସଲରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ସୌଜନ୍ୟ ସମ୍ବାଦ




