Rain: ୫ କୋଟି ଟଙ୍କାର ବିଦ୍ୟୁତ୍ ସବଷ୍ଟେସନରେ ବର୍ଷାପାଣି ଲହଡ଼ି
ଟାଟାପାୱାର(ଟିପିଏନ୍ଓଡିଏଲ୍) ଯାଜପୁରରୋଡ଼ ଡିଭିଜନ ସୁକିନ୍ଦା ବ୍ଲକ ଡୁବୁରି ଉପଖଣ୍ଡର ବିଦ୍ୟୁତ୍ ସବଷ୍ଟେସନରେ ଏବେ ବର୍ଷାଜଳ ଜମି ରହିଛି। ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ ଗୋଳିଆ ପ୍ରଦୂଷିତ ପାଣି ଲହଡ଼ି ମାରୁଥିବା ଦେଖାଯାଉଛି।

କାଳିଆପାଣି (ରବି ନାରାୟଣ କର): ଟାଟାପାୱାର(ଟିପିଏନ୍ଓଡିଏଲ୍) ଯାଜପୁରରୋଡ଼ ଡିଭିଜନ ସୁକିନ୍ଦା ବ୍ଲକ ଡୁବୁରି ଉପଖଣ୍ଡର ବିଦ୍ୟୁତ୍ ସବଷ୍ଟେସନରେ ଏବେ ବର୍ଷାଜଳ ଜମି ରହିଛି। ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ ଗୋଳିଆ ପ୍ରଦୂଷିତ ପାଣି ଲହଡ଼ି ମାରୁଥିବା ଦେଖାଯାଉଛି। ଜାତୀୟ ରାଜପଥ-୫୩ ଡୁବୁରି ଛକରେ ଅବସ୍ଥିତ ଏହି ସବଷ୍ଟେସନ ଏବେ ମୃତ୍ୟୁଗହ୍ବର ଭାବେ ସାଧାରଣରେ ଆତଙ୍କର କାରଣ ହୋଇଛି। ଏଠାରେ ଏକ ଜିପ୍(ଓଆର୍-୦୪ଏଚ୍-୬୧୧୮) ଅଧାଚକ ପର୍ଯ୍ୟନ୍ତ ବୁଡ଼ି ରହିଛି।
ଏହି ପ୍ରକଳ୍ପ ଦ୍ବାରା ମାସିକ କୋଟିଏ ଟଙ୍କା ପାଖାପାଖି ବିଦ୍ୟୁତ୍ ବିଲ ଆଦାୟ ହେଉଥିବା ସ୍ଥଳେ ଏହାର ବାସ୍ତବ ସ୍ଥିତିକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ପାର୍ଶ୍ବସ୍ଥ ସନ୍ତସନ୍ତିଆ ଜାଗାକୁ ଲୋକେ ଯିବାକୁ ଡରୁଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ନେତା ବିଶ୍ବରଞ୍ଜନ ସ୍ବାଇଁ ଦାବିକରି ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।
ଏ ସଂପର୍କରେ ଏଠାରେ କାର୍ଯ୍ୟରତ ଯନ୍ତ୍ରୀ ଇଂ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଏଠାରେ ପାଦେପାଦେ ବିପଦ ଥିବା ସ୍ବୀକାର କରିଛନ୍ତି। ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଦର୍ଶାଇ ସବଷ୍ଟେସନର ଉଭୟ ପାର୍ଶ୍ବରେ ଥିବା ରାଜପଥର ଉନ୍ନତୀକରଣ କାର୍ଯ୍ୟ ଯୋଗୁ ଏହି ପୁରୁଣା ସବଷ୍ଟେସନ ଭୂମି ପତନ ତଳକୁ ରହିଯାଇଛି। ଏ ବାବଦରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ)ଙ୍କୁ ଚିଠି ଲେଖାଯାଇଛି। ପାର୍ଶ୍ବସ୍ଥ ସଡ଼କ ନିର୍ମାଣ କାର୍ଯ୍ୟ ବି ବନ୍ଦ୍ ରହିଛି। ଏନ୍ଏଚ୍ଏଆଇ ପକ୍ଷରୁ ଜମି ଅଧିଗ୍ରହଣ ଓ ସବଷ୍ଟେସନ ସ୍ଥାନାନ୍ତରଣ ପର୍ଯ୍ୟନ୍ତ ସମସ୍ୟା ଲାଗିରହିବ ବୋଲି ଯନ୍ତ୍ରୀ ଶ୍ରୀ ଦାସ କହନ୍ତି। ଶକ୍ତିମନ୍ତ୍ରୀ ଓ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଏ ଦିଗରେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ସୌଜନ୍ୟ ସମ୍ବାଦ




