ରାଜ୍ୟ

Nandighosh: କେନ୍ଦୁଝରରେ ଗଡ଼ିଲା ନନ୍ଦିଘୋଷ, ଜଗନ୍ନାଥମୟ ହେଲା ବଡ଼ଦାଣ୍ଡ: ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ

ଶ୍ରୀବଳଦେବ ଜିଉଙ୍କ ପବିତ୍ର ରଥଯାତ୍ରା କେନ୍ଦୁଝରଠାରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ପାଇଁ କେନ୍ଦୁଝର ପୁରୁଣାବଜାର ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥମୟ ହୋଇ ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ବଡ଼ଦାଣ୍ଡ ଅଭିମୁଖେ ମୁହାଁଇଥିଲେ।

କେନ୍ଦୁଝର: ଶ୍ରୀବଳଦେବ ଜିଉଙ୍କ ପବିତ୍ର ରଥଯାତ୍ରା କେନ୍ଦୁଝରଠାରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ପାଇଁ କେନ୍ଦୁଝର ପୁରୁଣାବଜାର ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥମୟ ହୋଇ ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ବଡ଼ଦାଣ୍ଡ ଅଭିମୁଖେ ମୁହାଁଇଥିଲେ। ପ୍ରଭୁ ବଳଦେବ ଜିଉ, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ଘୋଷଯାତ୍ରା ଦେଖିବାକୁ ସକାଳୁ ଭକ୍ତଙ୍କ ସୁଅ ଛୁଟିଥିଲା। ହାତରେ ତୁଳସୀମାଳ, ମୁହଁରେ ‘ଜୟ ଜଗନ୍ନାଥ’ ଓ ଆଖିରେ ପ୍ରଭୁଙ୍କ ଦର୍ଶନର ବ୍ୟାକୁଳତା ଭରି ରହିଥିଲା। ସନ୍ଧ୍ୟା ସୁଦ୍ଧା ଜିଲ୍ଲା ଓ ଜିଲ୍ଲା ବାହାରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କେନ୍ଦୁଝର ବଡ଼ଦାଣ୍ଡରେ ସମବେତ ହୋଇ ଏକ ଅପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ବିପୁଳ ଭକ୍ତ ସମାଗମ ମଧ୍ୟରେ ସନ୍ଧ୍ୟା ପ୍ରାୟ ୫ଟାରେ ନନ୍ଦିଘୋଷ ରଥ ଗଡ଼ିଥିଲା। ବଳଗଣ୍ଡି ଭୋଗ ପରେ ସନ୍ଧ୍ୟା ୬ଟା ୪୦ ମିନିଟ୍‌ରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିଥିଲା।

ପବିତ୍ର ରଥଯାତ୍ରା ପାଇଁ ଭୋର୍‌ ୪ଟାରେ ଅବକାଶ ନୀତି ଆରମ୍ଭ ହୋଇଥିଲା। ଏହାପରେ ଲୁଗାଲାଗି, ଘଟିକା ଧୂପ ଓ ପୁଷ୍ପାଞ୍ଜଳି ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍‌ଣ ୨ଟା ୧୦ ମିନିଟ୍‌ରେ ପହଣ୍ଡି ଆରମ୍ଭ ହୋଇ ୩ଟା ୨୦ରେ ଶେଷ ହୋଇଥିଲା। ଘଣ୍ଟଘଣ୍ଟା, ଖୋଳ ଓ କରତାଳ, କୀର୍ତ୍ତନମଣ୍ଡଳୀର ହରିନାମ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ‘ହରିବୋଲ’ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଦେବ ଜିଉ, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଚାରିପାଖରେ ସାତଥର ପରିକ୍ରମା କରାଇ ରଥାରୂଢ଼ କରାଯାଇଥିଲା। ରଥାରୋହଣ ପରେ ଚାରମାଳ ଫିଟାଯାଇ ବେଶ ସମ୍ପନ୍ନ କରାଯାଇଥିଲା। ଘୋଡ଼ାବନ୍ଧା ଓ ଚକାଭିଡ଼ା ପରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button