ଦେଶ ବିଦେଶ

Heavy rain: ପ୍ରବଳ ବର୍ଷାରୁ ଭୟାବହ ଭୂସ୍ଖଳନ: ନାଗାଲାଣ୍ଡରେ ୮ ମୃତ, ଜମ୍ମୁକାଶ୍ମୀରରେ ୧୨ ମୃତ

ନାଗାଲାଣ୍ଡର ମୋନ୍‌ ଜିଲ୍ଲାର ଏକାଧିକ ସ୍ଥାନରେ ରବିବାର ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଭୟାବହ ଭୂସ୍ଖଳନରେ ଅନେକ ଜୀବନହାନି ଘଟିଛି। ସ୍ଥାନୀୟ ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

କୋହିମା: ନାଗାଲାଣ୍ଡର ମୋନ୍‌ ଜିଲ୍ଲାର ଏକାଧିକ ସ୍ଥାନରେ ରବିବାର ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଭୟାବହ ଭୂସ୍ଖଳନରେ ଅନେକ ଜୀବନହାନି ଘଟିଛି। ସ୍ଥାନୀୟ ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ  ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୋନ୍‌ ଜିଲ୍ଲାର ଡେପୁଟି କମିସନର ୱେନି କୋନ୍ୟାକଙ୍କ ସୂଚନା ମୁତାବକ ଗତ ରାତିସାରା ପ୍ରବଳ ବର୍ଷା ଲାଗି ରହିଥିଲା ଏବଂ ସକାଳ ୬ରୁ ୭ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପାହାଡ଼ ଧସିଥିଲା। ବିପର୍ଯ୍ୟୟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବ୍ୟାପକ ସରକାରୀ ଓ ଘରୋଇ ସମ୍ପତ୍ତି ନଷ୍ଟ ହୋଇଛି। ପ୍ରଶାସନର ସୂଚନା ଅନୁସାରେ, ଭୂସ୍ଖଳନ ପ୍ରଭାବରେ ବିଶେଷ କରି ମୋନ୍‌ ସହର ଏବଂ ଟିଜିଟ୍‌  ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବ୍ୟାପକ ମାଟି ଅତଡ଼ା ସହ ବଡ଼ ପଥର ଧସି ଆବାସିକ କ୍ଷେତ୍ରଗୁଡ଼ିକ ଉପରେ ପଡ଼ିବା ଫଳରେ ଅନେକ ପରିବାରର ବାସଗୃହ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଅନେକ ସ୍ଥାନୀୟ ଲୋକେ ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି ପ୍ରାକୃତିକ ଦୁର୍ଘଟଣା ଯୋଗୁଁ ଜିଲ୍ଲାର ଆନ୍ତଃସଂଯୋଗୀକରଣ ସଡ଼କ ପଥଗୁଡ଼ିକ ଅବରୋଧ ହୋଇ ଯାଇଥିବାରୁ ଯାତାୟାତ ଏବଂ ଜରୁରିକାଳୀନ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।

ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଦଳ ମାଟି ଓ ଆବର୍ଜନା ତଳୁ ୪ ଜଣଙ୍କ ମୃତଦେହ ବାହାର କରିବାରେ ସଫଳ ହୋଇଛନ୍ତି, ଯେଉଁଥିରେ ୩ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଅବଶିଷ୍ଟ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌), ନାଗାଲାଣ୍ଡ ପୁଲିସ, ଆସାମ ରାଇଫଲ୍‌ସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ମିଳିତ ଟିମ୍ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି। ବିପଦସଙ୍କୁଳ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଜମ୍ମୁ: ଜମ୍ମୁକାଶ୍ମୀରର ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ଲଗାଣ ବର୍ଷା ପରେ ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ରବିବାର ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ନିଖୋଜଙ୍କୁ ଖୋଜିବା ସହ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୁଞ୍ଚ ଜିଲ୍ଲାରେ ପାହାଡ଼ିଆ ଝରଣା ଓ ନଦୀଗୁଡ଼ିକ ଉଛୁଳିବାରୁ ଅନେକ ଘର, ଦୋକାନ, ରାସ୍ତା ଓ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ରାଜୌରୀର ବହୁ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବହୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଗସ୍ତ ମଝିରୁ ଫେରି ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରବଳ ବର୍ଷା ଜାରି ରହିଥିବାରୁ ପ୍ରଶାସନ ଲୋକଙ୍କୁ ନଦୀ, ନାଳ ଓ ଭୂସ୍ଖଳନପ୍ରବଣ ଅଞ୍ଚଳଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି। ସୁରକ୍ଷା ଦୃଷ୍ଟିରୁ ଅମରନାଥ ଓ ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ପୁଲିସ ଓ ସେନାର ବିଭିନ୍ନ ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button