ଦେଶ ବିଦେଶ

Protest: ଚିତାରେ ଶୋଇଲେ, ଫାଶୀରେ ଝୁଲିବାର ଅଭିନୟ କଲେ ଆଦିବାସୀ

ଦେଶର ପ୍ରଥମ ନଦୀ ସଂଯୋଗ ପ୍ରକଳ୍ପ କେନ୍‌‑ବେତୱାକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଆଦିବାସୀ ଓ କୃଷକମାନଙ୍କ ପ୍ରତିବାଦ ତୀବ୍ର ହୋଇଛି। ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ ଓ ଜୀବିକା ସୁରକ୍ଷା ଦାବିରେ ଆନ୍ଦୋଳନକାରୀମାନେ ଜଳ ସତ୍ୟାଗ୍ରହ ସହ ‘ଚିତା ଆନ୍ଦୋଳନ’ ଓ...

ଭୋପାଳ: ଦେଶର ପ୍ରଥମ ନଦୀ ସଂଯୋଗ ପ୍ରକଳ୍ପ କେନ୍‌‑ବେତୱାକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଆଦିବାସୀ ଓ କୃଷକମାନଙ୍କ ପ୍ରତିବାଦ ତୀବ୍ର ହୋଇଛି। ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ ଓ ଜୀବିକା ସୁରକ୍ଷା ଦାବିରେ ଆନ୍ଦୋଳନକାରୀମାନେ ଜଳ ସତ୍ୟାଗ୍ରହ ସହ ‘ଚିତା ଆନ୍ଦୋଳନ’ ଓ ପ୍ରତୀକାତ୍ମକ ‘ଫାଶୀ ସତ୍ୟାଗ୍ରହ’ କରିଥିଲେ। ଜୁଲାଇ ୩ରୁ ଚାଲିଥିବା ଏହି ଆନ୍ଦୋଳନକୁ ପୁଲିସ ରବିବାର ଭୋର ପ୍ରାୟ ୫ଟାରେ ବଳପୂର୍ବକ ବନ୍ଦ କରିଦେଇଛି।

ଛତରପୁରର କୁପି ଗ୍ରାମ ନିକଟ ବରାନା ନଦୀ କୂଳରେ ଶହ ଶହ ପ୍ରକଳ୍ପ ପ୍ରଭାବିତ ଲୋକ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଆଦିବାସୀ ମହିଳା। କେତେକ ମହିଳା କାଠରେ ପ୍ରସ୍ତୁତ ପ୍ରତୀକାତ୍ମକ ଚିତା ଉପରେ ଶୋଇ ରହିଥିଲେ। ଜମି ଓ ଜଙ୍ଗଲ ହରାଇ ବଞ୍ଚିବା ଅପେକ୍ଷା ଚିତାରେ ଶୋଇବା ଭଲ ବୋଲି ସେମାନେ ଏହି ଉପାୟରେ ନିଜ ଅସନ୍ତୋଷ ଜଣାଇଥିଲେ। ଆନ୍ଦୋଳନର ଅଷ୍ଟମ ଦିନରୁ କେତେକ ପ୍ରତିବାଦକାରୀ ବେକରେ ଦଉଡ଼ି ଲଗାଇ ପ୍ରତୀକାତ୍ମକ ଫାଶୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ।

ଜୟ କିଷାନ ସଙ୍ଗଠନର ନେତା ଅମିତ ଭଟ୍ଟନାଗର ଆନ୍ଦୋଳନର ନେତୃତ୍ୱ ନେବା ସହ ଅନିର୍ଦ୍ଦିଷ୍ଟକାଳୀନ ଅନଶନ କରିଥିଲେ। ରବିବାର ସକାଳେ ବହୁସଂଖ୍ୟକ ପୁଲିସ ଓ ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ହଟାଇଥିଲେ। ଭଟ୍ଟନାଗରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ପ୍ରଶାସନ କହିଛନ୍ତି। ପୁଲିସ ତାଙ୍କ ସମେତ କେତେକ ଲୋକଙ୍କୁ ଅଟକ ରଖିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ମାତ୍ର ଅତିରିକ୍ତ ଏସ୍‌ପି ଆଦିତ୍ୟ ପାଟ୍‌ଲେ ଏହାକୁ ଖଣ୍ଡନ କରି କାହାକୁ ଗିରଫ କିମ୍ବା ଅଟକ ରଖାଯାଇ ନ ଥିବା କହିଛନ୍ତି। ସମସ୍ତଙ୍କୁ ବସ୍‌ରେ ସୁରକ୍ଷିତ ଭାବେ ନିଜ ନିଜ ଗ୍ରାମକୁ ପଠାଯାଇଥିବା ସେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button