ରାଜ୍ୟ

Demand for Electric Vehicles ବଢୁଛି ଇଲେକ୍ଟ୍ରିକ୍‌ ଯାନର ଚାହିଦା, ପଞ୍ଜୀକୃତ ହେଲାଣି ୧୩,୭୯୭ ଇଭି

ସୁନ୍ଦରଗଡ଼ ଜିଲ୍ଲାରେ ଇଲେକ୍ଟ୍ରିକ୍ ଯାନର ଚାହିଦା ଦ୍ରୁତଗତିରେ ବଢୁଛି। ମାର୍ଚ୍ଚ ସୁଦ୍ଧା ୧୩,୭୯୭ଟି ଇଭି ପଞ୍ଜୀକୃତ ହୋଇଥିବା ବେଳେ ସର୍ବାଧିକ ଚାହିଦା ଦୁଇଚକିଆ ଇଲେକ୍ଟ୍ରିକ୍ ସ୍କୁଟରର ରହିଛି। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନା ଏହି ବୃଦ୍ଧିର ପ୍ରମୁଖ କାରଣ।

ରାଉରକେଲା (ଦେବବ୍ରତ ଗଡ଼ତିଆ): ସୁନ୍ଦରଗଡ଼ ଜିଲ୍ଲାରେ ବୈଦ୍ୟୁତିକ ଯାନ (ଇଭି) ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଦୂଷଣମୁକ୍ତ ସବୁଜ ଯାନବାହନ ପ୍ରତି ଜିଲ୍ଲାବାସୀଙ୍କ ଏହି ବଢୁଥିବା ଆଗ୍ରହ, ଜିଲ୍ଲାକୁ ଏକ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଅଞ୍ଚଳ ଭାବେ ଗଢିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଅବଶ୍ୟ, ବୈଦ୍ୟୁତିକ ଯାନଗୁଡ଼ିକର ଲୋକପ୍ରିୟତା ଓ ବିପୁଳ ବିକ୍ରି ପଛରେ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ରାଶି, ଅନ୍ୟତମ କାରଣ ପାଲଟିଛି। ଗତ ମାର୍ଚ୍ଚ ସୁଦ୍ଧା, ଜିଲ୍ଲାର ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ରେ ୧୩,୭୯୭ଟି ଇଭି ପଞ୍ଜୀକୃତ ହୋଇସାରିଲାଣି।

ବୈଦ୍ୟୁତିକ ଯାନଗୁଡ଼ିକ ମଧ୍ୟରେ ବ୍ୟକ୍ତିଗତ ବ୍ୟବହାର ପାଇଁ ଦୁଇଚକିଆ ସ୍କୁଟର (୨ଡବ୍ଲ୍ୟୁଏନ୍‌), ବାଣିଜ୍ୟିକ ତିନିଚକିଆ ଅଟୋ (୩ଡବ୍ଲ୍ୟୁଟି), ହାଲୁକା ମୋଟର ଯାନ (ଏଲ୍‌ଏମ୍‌ଭି), ଭାରୀ ମାଲବାହୀ ଯାନ (ଏଚ୍‌ଜିଭି), ହାଲୁକା ମାଲବାହୀ ଯାନ (ଏଲ୍‌ଜିଭି), ବାଣିଜ୍ୟିକ ଯାତ୍ରୀବାହୀ ଯାନ, ହାଲୁକା ଯାତ୍ରୀବାହୀ ଯାନ (ଏଲ୍‌ପିଭି) ଆଦି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ରାଉରକେଲା ପରିବହନ କାର୍ଯ୍ୟାଳୟ ଅଧିନରେ ଏଯାବତ୍‌ ମୋଟ୍‌ ୧୧,୩୬୯ଟି ଇଭି ପଞ୍ଜିକୃତ ହୋଇଥିବାବେଳେ ସୁନ୍ଦରଗଡ଼ ପରିବହନ କାର୍ଯ୍ୟାଳୟ ଅଧିନରେ ୨୪୨୮ଟି ଇଭି ପଞ୍ଜିକୃତ ହୋଇଛି। ତେବେ ଏଥିମଧ୍ୟରୁ ସର୍ବାଧିକ ଚାହିଦା ଦୁଇଚକିଆ ସ୍କୁଟର୍‌ର ରହିଛି। ଏ ପର୍ଯ୍ୟନ୍ତ ଜିଲ୍ଲାରେ ୧୨,୯୭୦ଟି ଦୁଇଚକିଆ ସ୍କୁଟର ପଞ୍ଜିକୃତ ହୋଇଥିବାବେଳେ ୪୭୬ଟି ବାଣିଜ୍ୟିକ ତିନିଚକିଆ ଅଟୋ, ୭ଟି ଭାରୀ ମାଲବାହୀ ଯାନ, ୨୦ଟି ହାଲୁକା ମାଲବାହୀ ଯାନ, ୩୦୩ଟି ହାଲୁକା ମୋଟର ଯାନ, ୨୦ଟି ହାଲୁକା ଯାତ୍ରୀବାହୀ ଯାନ ପଞ୍ଜିକୃତ ହୋଇଛି।

ଉଲ୍ଲେଖଯୋଗ୍ୟ, ଇଭି ଯାନର ବ୍ୟବହାର ପାଇଁ ରାଜ୍ୟ ସରକାର ‘ବୈଦ୍ୟୁତିକ ଯାନ ନୀତି’ ଅଧୀନରେ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଦୁଇଚକିଆ ଇଲେକ୍ଟ୍ରିକ ଯାନ ପାଇଁ ପ୍ରତି କିଲୋୱାଟ୍‌ ଆୱାର୍‌ ପିଛା ୫ ହଜାର ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା, ତିନିନିଚକିଆ ଯାନ ପାଇଁ ୩୦ ହଜାର ଟଙ୍କା, ଚାରିଚକିଆ ଯାନ ପାଇଁ ପ୍ରତି କିଲେୱୋଟ୍‌-ଆୱାର୍‌ ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରୟ ପ୍ରୋତ୍ସାହନ ଦିଆଯାଉଛି। ଏହାସହ ବ୍ୟାଟେରି ଚାଳିତ ଯାନ ପାଇଁ ମୋଟର ଯାନ କର ଓ ପଞ୍ଜିକରଣ ଫି’ ଛାଡ଼ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button