Kanpur Dam: ୪୦ ବର୍ଷ ଅପେକ୍ଷାର ଅନ୍ତ: ଲୋକାର୍ପଣ ପାଇଁ ପ୍ରସ୍ତୁତ କାନପୁର ଡ୍ୟାମ୍, ଲାଗିସାରିଛି ୧୨ ସ୍ଲୁଇସ୍ ଗେଟ୍
ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ୧୨ଟି ସ୍ଲୁଇସ୍ ଗେଟ୍ ଲାଗିସାରିଛି। ଦୁଇଟି ଡିପ୍ରେସନ୍ ସୁଇଚ୍ କାମ ଚଳିତ ମାସରେ ଶେଷ ହେବ।

କେନ୍ଦୁଝର: ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ୧୨ଟି ସ୍ଲୁଇସ୍ ଗେଟ୍ ଲାଗିସାରିଛି। ଦୁଇଟି ଡିପ୍ରେସନ୍ ସୁଇଚ୍ କାମ ଚଳିତ ମାସରେ ଶେଷ ହେବ। ମୁଖ୍ୟ କେନାଲ୍ ନିର୍ମାଣ ମଧ୍ୟ ଏକପ୍ରକାର ଶେଷ ହୋଇସାରିଛି। କେନ୍ଦୁଝରର ଏକ ଜନସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ଶୀଘ୍ର କାନପୁର ପ୍ରକଳ୍ପ ଉଦ୍ଘାଟନ ହେବ ବୋଲି ଘୋଷଣା କରିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପଣ କରିବେ ବୋଲି ସୂଚନା ମିଳିଛି।
ଶେଷ ପର୍ଯ୍ୟାୟରେ ମୁଖ୍ୟ କେନାଲ୍ ନିର୍ମାଣ
ଲାଗିସାରିଛି ୧୨ ସ୍ଲୁଇସ୍ ଗେଟ୍
ଉପକୃତ ହେବେ ୨,୪୪,୫୦୦ ଚାଷୀ
ଯୋଡ଼ା ବ୍ଲକ୍ର ବାସୁଦେବପୁରଠାରେ ବୈତରଣୀ ନଦୀରେ ଗତ ୪୦ ବର୍ଷ ହେଲା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିପାଇଁ ୧୬ଟି ଗାଁ ଉଚ୍ଛେଦ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର ଓ ପାଟଣା ବ୍ଲକ୍ର ୨୨୨ଟି ଗାଁର ୨ ଲକ୍ଷ ୪୪ ହଜାର ୫୦୦ ଚାଷୀ ଉପକୃତ ହେବେ। ୨୯ ହଜାର ୫୭୮ ହେକ୍ଟର ଜମି ଜଳସେଚିତ ହେବ। ଡିପ୍ରେସନ୍ ସୁଇଚ୍ ଲାଗିଲେ, ବର୍ଷସାରା ବୈତରଣୀ ନଦୀର ତଳମୁଣ୍ଡକୁ ପ୍ରକଳ୍ପରୁ କିଛି କିଛି ପାଣି ଛଡ଼ାଯିବ। ଏହାଦ୍ବାରା ତଳମୁଣ୍ଡରେ ଚାଷକାମ ପ୍ରଭାବିତ ହେବ ନାହିଁ। ପ୍ରକଳ୍ପର ମୁଖ୍ୟ କେନାଲ୍ ଦୈର୍ଘ୍ୟ ୭୮.୨୧ କିଲୋମିଟର ଥିବାବେଳେ ଏହାର ୯୫ ପ୍ରତିଶତ କାମ ଶେଷ ହୋଇଛି। ୩୪୨ କିମି ଶାଖା କେନାଲ୍ ଓ ଉପଶାଖା କେନାଲ୍ ମଧ୍ୟରୁ ୨୬୦ କିମି କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ପ୍ରାୟ ୧୦୦ କିମି ଶାଖା, ଉପଶାଖା କେନାଲ୍ ପାଇଁ ଜଙ୍ଗଲ ଜମି ସମସ୍ୟା ରହିଥିଲା। ବନ ବିଭାଗର ଅନୁମତି ମିଳିବା ପରେ ଜମି ଅଧିଗ୍ରହଣ ଶେଷ ହୋଇଛି।
ସୌଜନ୍ୟ ସମ୍ବାଦ




