ରାଜ୍ୟ

Balianta: ବାଲିଅନ୍ତା ବର୍ବରତା: ମୃତ ସୌମ୍ୟରଞ୍ଜନଙ୍କ ବାପା ଓ ବନ୍ଧୁ ନିଶିକାନ୍ତଙ୍କୁ ୫ ଘଣ୍ଟା ଜେରା

ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ପଛର ରହସ୍ୟ ବଢ଼ିବାରେ ଲାଗିଛି। ମୃତ ସୌମ୍ୟଙ୍କ ପରିବାର ଏକ ପେନ୍‌ ଡ୍ରାଇଭରେ ଥିବା ୭ଟି ଭିଡିଓ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିଛନ୍ତି।

କଟକ: ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ପଛର ରହସ୍ୟ ବଢ଼ିବାରେ ଲାଗିଛି। ମୃତ ସୌମ୍ୟଙ୍କ ପରିବାର ଏକ ପେନ୍‌ ଡ୍ରାଇଭରେ ଥିବା ୭ଟି ଭିଡିଓ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିଛନ୍ତି। ଏଡିଜି ଦୟାଲ ଗଙ୍ଗୱାରଙ୍କ ସହିତ ତାଙ୍କର ଥିବା ପୂର୍ବ ବିବାଦ ସମ୍ପର୍କିତ ତଥ୍ୟ ଏହି ଭିଡିଓରେ ରହିଛି। ନିଜେ ସୌମ୍ୟ ହତ୍ୟାକାଣ୍ଡ ଦିନ ସକାଳେ ଏହି ଭିଡିଓଗୁଡ଼ିକ ମୋବାଇଲ୍‌ରେ ରେକର୍ଡ କରିଥିଲେ। ଏହାସହିତ ଘଟଣା ପରେ ପୀଡ଼ିତା ଓ ପରିବାର ସଦସ୍ୟ ଗଣମାଧ୍ୟମରେ ଦେଇଥିବା ବୟାନ ସମ୍ପର୍କିତ ଭିଡିଓ, ମୃତ୍ୟୁ ପୂର୍ବରୁ ପଡ଼ିଆରେ ପଡ଼ି ସୌମ୍ୟ ଯନ୍ତ୍ରଣାରେ ଛଟପଟ ହେଇ ଯାହା କହୁଥିଲେ, ଏ ସମ୍ପର୍କିତ ଭିଡିଓ ମଧ୍ୟ କ୍ରାଇମବ୍ରାଞ୍ଚରେ ଦାଖଲ ହୋଇଛି। ସୌମ୍ୟଙ୍କ ବାପା ଦୁଃଶାସନ ସ୍ବାଇଁ ଓ ବନ୍ଧୁ ନିଶିକାନ୍ତ ମହାନ୍ତିଙ୍କୁ ପ୍ରାୟ ୫ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା କରାଯାଇଛି।

କ୍ରାଇମବ୍ରାଞ୍ଚକୁ ପ୍ରମାଣ ସ୍ବରୂପ ଦେଲେ ୭ ଭିଡିଓ

ସୌମ୍ୟଙ୍କୁ ମେ’ ୭ ତାରିଖରେ ବାଲିଅନ୍ତା କାଜ ବ୍ରିଜ୍‌ ନିକଟରେ ଦିନ ପ୍ରାୟ ୧୦ଟା ବେଳେ ହତ୍ୟା କରାଯାଇଥିବା ବେଳେ ବାଲିଅନ୍ତା ଥାନା ପୁଲିସ ଗୋଟିଏ ମୋବାଇଲ ଫୋନ୍‌ ଘଟଣାସ୍ଥଳରୁ ଜବତ କରିଥିଲା। ଆଉ ଏକ ମୋବାଇଲ୍ ଫୋନ୍‌ ପରିବାର ଲୋକେ ଗଲା ଜୁଲାଇ ମାସରେ କ୍ରାଇମବ୍ରାଞ୍ଚ ଜିମା ଦେଇଥିଲେ। ହତ୍ୟାକାଣ୍ଡ ଦିନ ସକାଳ ପ୍ରାୟ ୬ଟା ବେଳେ ସୌମ୍ୟ ଏହି ମୋବାଇଲ ଫୋନରେ ଅଡ଼ଶପୁର ଅଗ୍ନିଶମ କେନ୍ଦ୍ର ନିକଟରେ ରହୁଥିବା ଏକ ଭଡ଼ାଘରେ ଏକକାଳୀନ ୯ଟି ଭିଡିଓ ରେକର୍ଡ କରିଥିଲେ। ଏଡିଜି ଦୟାଲ ଗଙ୍ଗୱାରଙ୍କୁ ସେଦିନ ଭୁଲ ମାଗିବାକୁ ଯିବା କଥା ଗୋଟିଏ ଭିଡିଓରେ କହୁଥିବା ବେଳେ ଆଉ ଏକ ଭିଡିଓରେ ରୁମ୍‌ ଭିତର ଦୃଶ୍ୟ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।  ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଦୋଷୀ ସଜାଇବାକୁ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ନେଇ ପରିବାର ଲୋକେ ପୂର୍ବରୁ ବାରମ୍ବାର ଦାବି କରିଆସୁଥିବା ବେଳେ  ଶେଷରେ ଏହି ଭିଡିଓଗୁଡ଼ିକ ସୋମବାର କ୍ରାଇମବ୍ରାଞ୍ଚରେ ଦାଖଲ କରିଛନ୍ତି।

ହତ୍ୟାକାଣ୍ଡ ଦିନ ଭୋର ୪ଟା ବେଳେ ସୌମ୍ୟ ତାଙ୍କ ବନ୍ଧୁ ବିକାଶ କୁମାର ଜେନା, ଗୋପବନ୍ଧୁ ଜେନା, ନିଶିକାନ୍ତ ମହାନ୍ତି ପ୍ରମୁଖଙ୍କୁ ଫୋନ୍‌ରେ ଅଡ଼ଶପୁର ଭଡ଼ା ଘର ନିକଟରେ ଥିବା ନିଜ ଜିମ୍ ନିକଟକୁ ଆସିବାକୁ କହିଥିଲେ। ସେଦିନ ସକାଳେ ବନ୍ଧୁମାନେ ସେଠାରେ ପହଞ୍ଚିବା ପରେ କିଛି ସମୟ କଥାବାର୍ତ୍ତା ହୋଇ ନିଜ ବନ୍ଧୁ ଓମ୍ ପ୍ରକାଶ ରାଉତଙ୍କ ବାଇକ୍‌ରେ ବସି ସୌମ୍ୟ ଭୁବନେଶ୍ବର ଆଡ଼କୁ ଚାଲି ଯାଇଥିଲେ। ବାଲିଅନ୍ତା ଭିଡ଼ ହିଂସାରେ ପ୍ରାଣ ହରାଇବା ପୂର୍ବର ଘଟଣାକ୍ରମକୁ କ୍ରାଇମବ୍ରାଞ୍ଚ ଟିମ୍ ଅନୁଧ୍ୟାନ କରୁଥିବା ବେଳେ ନିଶିକାନ୍ତ ଓ ଦୁଃଶାସନଙ୍କୁ ପଚରାଉଚରା କରି ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଛାଡ଼ିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button