ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ସମୟରେ ଅବପାତର ରୂପ ନେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ସେହିପରି ଗୁରୁବାର କେନ୍ଦୁଝର ଜିଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ ବିଭାଗ ରେଡ୍ ୱାର୍ନିଂ ଜାରି କରିଛି।
ସେହିପରି ବାଲେଶ୍ୱର, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜ ସମେତ ବିଭିନ୍ନ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଲଘୁଚାପ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଆସନ୍ତା ୧୨ରୁ ୧୪ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଜିଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି ନେବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ଗତ ୨୪ ଘଣ୍ଟା ଭିତରେ ଜଗତ୍ସିଂପୁର କୁଜଙ୍ଗରେ ସର୍ବାଧିକ ୧୧୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକ ଭଣ୍ଡାରିପୋଖରୀ ୯୦ ମିମି, ସୁନ୍ଦରଗଡ଼ ମନ୍ଦିରା ଡ୍ୟାମ୍ରେ ୭୩ ମିମି, ଦେବଗଡ଼ ବାରକେଟ୍ ୭୦.୨ ମିମି, କେନ୍ଦୁଝର ସ୍ବାମପାଟଣାରେ ୬୪.୪ ମିମି, ସୁନ୍ଦରଗଡ଼ ବାରଗାଁରେ ୫୮.୪ ମିମି, କୁଟୁରାରେ ୫୩,୪ ମିମି, କଟକ ବାଙ୍କିରେ ୫୨ ମିମି, ରାୟଗଡ଼ା ଗୁରୁଡିରେ ୫୧ ମିମି, କେନ୍ଦୁଥର ଯୋଡାରେ ୪୯.୨ ମିମି, ଅନୁଗୁଳୁ ତାଳଚେରରେ ୪୮ ମିମି ଏବଂ କେନ୍ଦୁଝର ଘଟଗାଁରେ ସର୍ବନିମ୍ନ ୪୭.୨ ମିମି ବର୍ଷା ରେକର୍ଡ ହୋଇଛି ବୋଲି ବିବାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୌଜନ୍ୟ ଧରିତ୍ରୀ




