Rourkela Circuit House: ସର୍କିଟ ହାଉସ୍ରୁ ବନ୍ଧୁକ ମିଳିବା ଘଟଣା: ଉଠିବ ତ ପରଦା?
ଗତ ୧୪ ତାରିଖରେ ସର୍କିଟ୍ ହାଉସ୍ରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍ ଜବତ ହୋଇଥିଲା। ଏହି ଘଟଣାକୁ ୫ ଦିନ ବିତିସାରିଲେ ସୁଦ୍ଧା, ପ୍ରକୃତ ତଥ୍ୟ ପଦାକୁ ଆସିପାରୁନି। ଦିନ ବିତୁଛି, କିନ୍ତୁ ସମଗ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ପାଖରେ ପୁଲିସ...

ରାଉରକେଲା (ଦେବବ୍ରତ ଗଡ଼ତିଆ): ଗତ ୧୪ ତାରିଖରେ ସର୍କିଟ୍ ହାଉସ୍ରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍ ଜବତ ହୋଇଥିଲା। ଏହି ଘଟଣାକୁ ୫ ଦିନ ବିତିସାରିଲେ ସୁଦ୍ଧା, ପ୍ରକୃତ ତଥ୍ୟ ପଦାକୁ ଆସିପାରୁନି। ଦିନ ବିତୁଛି, କିନ୍ତୁ ସମଗ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ପାଖରେ ପୁଲିସ ତଦନ୍ତ ପହଞ୍ଚିପାରୁନି। ଜଣେ ଯୁବ ନେତାଙ୍କ ନାଁରେ ରୁମ୍ ବୁକ୍ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। ସମ୍ଭବତଃ ଏହି କାରଣରୁ ସଂପୃକ୍ତ ଯୁବନେତାଙ୍କ ନାଁ ପ୍ରଘଟ କରିବାକୁ ପ୍ରଶାସନ ସାହସ ଜୁଟାଇପାରୁନି।
୭ ଧରାପଡ଼ିଛନ୍ତି, ଅନ୍ୟମାନେ କେବେ?
ଏହି ଘଟଣାରେ ରଘୁନାଥପାଲି ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ସେମାନେ ହେଉଛନ୍ତି ବିକାଶ ଡୁଙ୍ଗୁରୀ, ନାରାୟଣ ସାହୁ, ସାଗର ସାହୁ, କରତାର ସିଂହ, ବିକି ଶର୍ମା, ରାଜେଶ ଶ୍ରୀବାସନ୍ତବ ଓ ରାଜେଶ ସାହୁ। ଅନ୍ୟତମ ଅଭିଯୁକ୍ତ ଜେଡି ଫେରାର୍ ହୋଇଯାଇଛି। ସର୍କିଟ୍ ହାଉସ୍ରେ ଚଢ଼ଉ ଦିନ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ତାକୁ ଧରିବାକୁ ପୁଲିସ ଛାନ୍ଭିନ ଜାରି ରଖିଛି। ଏତଦ୍ବ୍ୟତୀତ ପୁଲିସ ସର୍କିଟ୍ ହାଉସ୍ର ନଥିପତ୍ର ଓ ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିଛି। ଏକ ଚିଠି ମାଧ୍ୟମରେ ସିସିଟିଭ୍ ଫୁଟେଜ୍, ରୁମ୍ ବୁକ୍ କରିଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ଦେବାକୁ ନିବେଦନ କରାଯାଇଛି।
କିଏ ସେହି ଯୁବନେତା?
ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ନାଁରେ ଏହି ସର୍କିଟ ହାଉସର ଦୁଇଟି ରୁମ୍ ବୁକ୍ କରାଯାଇଥିବା ଚର୍ଚ୍ଚା ହେଉଛି।ତେବେ ଏନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନି। ପୁଲିସ୍ର ତଦନ୍ତ ମଧ୍ୟ ସଂପୃକ୍ତ ଯୁବନେତାଙ୍କ ପାଖରେ ପହଞ୍ଚିପାରିନି। ଫଳରେ ପୁଲିସ ଓ ଜିଲ୍ଲା ପ୍ରଶାସନର ସୁରକ୍ଷା ଦେଉଥିବା ଅଭିଯୋଗ ହୁଏ। ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତହେଲେ ପ୍ରକୃତ ସତ ପଦାକୁ ଆସିବ। ତେବେ ଏ ଧରଣର କୁଖ୍ୟାତ ଅପରାଧୀ ସର୍କିଟ୍ ହାଉସ୍ରେ ୨୦ ଦିନ ଧରି ରହି ଅପରାଧ ପାଇଁ ଯୋଜନା କରିବା, ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆଶୀର୍ବାଦ ବିନା ଅସମ୍ଭବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




