ରାଜ୍ୟ

PESA Act: ପେସା ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ନିଷ୍କ୍ରିୟତା ଓ ଏ ପର୍ଯ୍ୟନ୍ତ ନିୟମାବଳୀ ପ୍ରଣୟନ ହୋଇ ନଥିବା ଅଭିଯୋଗ

ପେସା ଆଇନ, ୧୯୯୬ ( ପଞ୍ଚାୟତସ ଏକ୍ସଟେନସନ ଟୁ ସିଡ୍ୟୁଲ୍ଡ ଏରିଆଜ ଆକ୍ଟ) ରାଜ୍ୟରେ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

କଟକ: ପେସା ଆଇନ, ୧୯୯୬ ( ପଞ୍ଚାୟତସ ଏକ୍ସଟେନସନ ଟୁ ସିଡ୍ୟୁଲ୍ଡ ଏରିଆଜ ଆକ୍ଟ) ରାଜ୍ୟରେ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଦୁଇ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ଅନୁସୂଚିତ ଜନଜାତି ବର୍ଗର ପୁରୁଷୋତ୍ତମ ହିକାକା ଓ ଅନ୍ୟ ତିନି ଜଣ ନାଗରିକଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପେସା ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ ନିଷ୍କ୍ରିୟତାକୁ ବିରୋଧ କରି ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଅନୁସୂଚିତ ଅଞ୍ଚଳ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସମ୍ବିଧାନ ସ୍ବତନ୍ତ୍ର ସୁରକ୍ଷା ପ୍ରଦାନ କରିଛି। ଏଥି ପାଇଁ ୧୯୯୬ରେ ପେସା ଆଇନ ପ୍ରଣୟନ ହୋଇଥିଲା। କିନ୍ତୁ ଓଡ଼ିଶାରେ ପେସା ଆଇନ କାର୍ଯ୍ୟକାରୀ କରାଯାଉ ନାହିଁ। ଏହି ଆଇନ ଆସିବା ତିନି ଦଶନ୍ଧି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପେସା ଆଇନ କାର୍ଯ୍ୟକାରୀ ପାଇଁ ନିୟମାବଳୀ ପ୍ରଣୟନ କରି ନାହାନ୍ତି। ପେସା ଆଇନ ଗ୍ରାମସଭାକୁ ଅନୁସୂଚିତ ଜନଜାତିଙ୍କ ପରମ୍ପରା, ପ୍ରଥା, ସାଂସ୍କୃତିକ ପରିଚୟ, ଗୋଷ୍ଠୀ ସମ୍ବଳ ସୁରକ୍ଷା ଓ ସଂରକ୍ଷଣ ପାଇଁ କ୍ଷମତା ଦେଇଛି।

ଅନୁସୂଚିତ ଅଞ୍ଚଳରେ ବେଆଇନ ଜମି ହସ୍ତାନ୍ତର ଉପରେ ଗ୍ରାମସଭା ଅଙ୍କୁଶ ଜାରି କରି ପାରିବ। ଓଡ଼ିଶାରେ ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର ସଂପୂର୍ଣ୍ଣ ଭାବେ ଓ ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମକଳାହାଣ୍ଡି, ବାଲେଶ୍ବର ଜିଲ୍ଲାର ଆଂଶିକ ଭାବେ ଅନୁସୂଚିତ ଅଞ୍ଚଳ। କିନ୍ତୁ ଏହା ସତ୍ବେ ପେସା ଆଇନ ଆସିବାର ୩୦ ବର୍ଷ ପରେ ମଧ୍ୟ ପେସା ନିୟମାବଳୀ ପ୍ରଣୟନ କରାଯାଇ ନାହିଁ। ତେଣୁ ବାସ୍ତବରେ ପେସା ଆଇନ କାର୍ଯ୍ୟକାରୀ କରାଯାଇ ନାହିଁ। ପେସା ଆଇନରେ ଥିବା ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିୟମାବଳୀ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ନ୍ୟାସନାଲ କମିିସନ ଫର ଏସଟିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button