ଦେଶ ବିଦେଶ

Captain Arrested: ମୋ ସ୍ବାମୀଙ୍କୁ ‘ବଲିକା ବକ୍ରା’ ସଜାଯାଇଛି: ବ୍ରିଟେନରେ ଭାରତୀୟ କ୍ୟାପଟେନ ଗିରଫ

ରୁଷିଆର କଟକଣାପ୍ରାପ୍ତ ଅଶୋଧିତ ତୈଳ ବହନ କରୁଥିବା ଏକ ଜାହାଜକୁ ବ୍ରିଟିଶ କମାଣ୍ଡୋମାନେ ଜବତ କରିବା ପରେ ଏହାର ଭାରତୀୟ କ୍ୟାପଟେନ ଅଜୟ ପନ୍ତଙ୍କୁ ଗିରଫ କରାଯାଇଛି। ୩୮ ବର୍ଷୀୟ ଅଜୟଙ୍କ ବିରୋଧରେ କଟକଣା ଉଲ୍ଲଂଘନ ଅଭିଯୋଗ ଆଗତ କରାଯାଇଥିବା ବେଳେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ।

ଲଣ୍ଡନ: ରୁଷିଆର କଟକଣାପ୍ରାପ୍ତ ଅଶୋଧିତ ତୈଳ ବହନ କରୁଥିବା ଏକ ଜାହାଜକୁ ବ୍ରିଟିଶ କମାଣ୍ଡୋମାନେ ଜବତ କରିବା ପରେ ଏହାର ଭାରତୀୟ କ୍ୟାପଟେନ ଅଜୟ ପନ୍ତଙ୍କୁ ଗିରଫ କରାଯାଇଛି। ୩୮ ବର୍ଷୀୟ ଅଜୟଙ୍କ ବିରୋଧରେ କଟକଣା ଉଲ୍ଲଂଘନ ଅଭିଯୋଗ ଆଗତ କରାଯାଇଥିବା ବେଳେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ। ଏହି ଘଟଣାରେ ଅଜୟଙ୍କ ସ୍ତ୍ରୀ ରୀତୁ ପନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ‘ବଲିକା ବକ୍ରା’ ବା ଫସାଇ ଦିଆଯାଇଛି। ସେ କୌଣସି ଅପରାଧ କରିନାହାନ୍ତି, ବରଂ ଭୁଲ ସମୟରେ ଭୁଲ ସ୍ଥାନରେ ଉପସ୍ଥିତ ଥିବାରୁ ଏହି ବିପଦରେ ଛନ୍ଦି ହୋଇପଡ଼ିଛନ୍ତି। ଗତ ଜୁନ ମାସରେ ଗିରଫ ହେବା ପରେ ଜାମିନ ନମିଳିବାରୁ ସେ ଜେଲ ମଧ୍ୟରେ ଭାଙ୍ଗିପଡ଼ିଛନ୍ତି।

୯୮ ହଜାର ଟନ ଅଶୋଧିତ ତୈଳ

ଗତ ଜୁନ ୧୪ ତାରିଖରେ ଇଂଲିଶ ଚ୍ୟାନେଲରେ ବ୍ରିଟିଶ କମାଣ୍ଡୋମାନେ ହେଲିକପ୍ଟରରୁ ରସି ସାହାଯ୍ୟରେ ଓହ୍ଲାଇ ”ସ୍ମିର୍ତୋସ” ନାମକ ଏକ ତୈଳବାହୀ ଜାହାଜକୁ କବଜାକୁ ନେଇଥିଲେ। ଏହି ଜାହାଜଟି ରୁଷିଆର ଗୁପ୍ତ ତୈଳ ନେଟୱାର୍କର ଅଂଶବିଶେଷ, ଯାହା ମାଧ୍ୟମରେ ୟୁକ୍ରେନ ଯୁଦ୍ଧ ପରେ ଲଗାଯାଇଥିବା ଆନ୍ତର୍ଜାତୀୟ କଟକଣାକୁ ଏଡ଼ାଇ ଅଶୋଧିତ ତୈଳ ଚାଲାଣ କରାଯାଉଥିଲା। ଜାହାଜଟି ରୁଷିଆର ଉସ୍ତ-ଲୁଗା ବନ୍ଦରରୁ ବାହାରି ମିଶରର ପୋର୍ଟ ସୈଦ ଅଭିମୁଖେ ଯାଉଥିବା ବେଳେ ବ୍ରିଟେନ ପକ୍ଷରୁ ଏହି ପ୍ରଥମ ଅପରେସନ କରାଯାଇଥିଲା। ଏହି ଜାହାଜରେ ପ୍ରାୟ ୯୮ ହଜାର ଟନ ଅଶୋଧିତ ତୈଳ ଥିଲା ଏବଂ କ୍ୟାପଟେନ ଭାବେ ଅଜୟ ଏହି ମାଲ ବିଷୟରେ ଜାଣିଥିଲେ ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି।

ସେପଟେ କୋର୍ଟରେ ଅଜୟଙ୍କ ଓକିଲ ଏବଂ ତାଙ୍କ ପରିବାର ପକ୍ଷରୁ ସଫେଇ ଦିଆଯାଇଛି ଯେ, ସେ ଜଣେ କର୍ମଚାରୀ ଭାବେ କେବଳ ଜାହାଜ ମାଲିକଙ୍କ ଆଦେଶ ପାଳନ କରୁଥିଲେ। ଜାହାଜର କ୍ୟାପଟେନ ଭାବେ ସୁରକ୍ଷିତ ଭାବେ ମାଲ ପହଞ୍ଚାଇବା ତାଙ୍କର ଦାୟିତ୍ୱ ଥିଲା। ଏହି ଘଟଣାରେ ଜାହାଜର ଅନ୍ୟ ୨୪ ଜଣ ନାବିକଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଇଥିବା ବେଳେ କେବଳ ଅଜୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆସନ୍ତା ଡିସେମ୍ବର ୧୫ରୁ ଏହି ମାମଲାର ବିଚାର ଆରମ୍ଭ ହେବ, ଯାହାକି ସମଗ୍ର ବିଶ୍ବର ନାବିକମାନଙ୍କ ପାଇଁ ଏକ ବଡ଼ ଆଇନଗତ ଦିଗ ନିର୍ଦ୍ଧାରଣ କରିବ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ଜେଲରେ ଅଜୟଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏହି ଘଟଣା ପରେ ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ଅଜୟଙ୍କ ବୃଦ୍ଧା ମା” ଓ ପରିବାର ଲୋକେ ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button