ରାଜ୍ୟ

Water drainage: ଜଳ ନିଷ୍କାସନରେ ବାଧକ ଅଧାଗଢ଼ା ନାଳିଆ ସେତୁ: ବନ୍ୟାଜଳରେ ବୁଡ଼ିଛି ୫ ପଞ୍ଚାୟତ

ଭଦ୍ରକ ବ୍ଲକ୍‌ ଅର୍ଣ୍ଣପାଳ ପଞ୍ଚାୟତ ଅଧୀନ ରାଜମୁକୁନ୍ଦପୁର ନିକଟ ନାଳିଆ ନଦୀ ଉପରେ ନୂଆ ସେତୁ ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି। ସାଳନ୍ଦୀ ନଦୀରେ ଜଳସ୍ତର ବଢ଼ିବା ସହ ଏହାର ଶାଖାନଦୀ ନାଳିଆରେ ବନ୍ୟା ଆସି ପୁରୁଣା ସେତୁ ବୁଡ଼ିଯାଇଥିଲା।

ଭଦ୍ରକ: ଭଦ୍ରକ ବ୍ଲକ୍‌ ଅର୍ଣ୍ଣପାଳ ପଞ୍ଚାୟତ ଅଧୀନ ରାଜମୁକୁନ୍ଦପୁର ନିକଟ ନାଳିଆ ନଦୀ ଉପରେ ନୂଆ ସେତୁ ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି। ସାଳନ୍ଦୀ ନଦୀରେ ଜଳସ୍ତର ବଢ଼ିବା ସହ ଏହାର ଶାଖାନଦୀ ନାଳିଆରେ ବନ୍ୟା ଆସି ପୁରୁଣା ସେତୁ ବୁଡ଼ିଯାଇଥିଲା। ନୂଆ ସେତୁର ଅଧାଗଢ଼ା କାମ ଜଳ ନିଷ୍କାସନକୁ ବାଧା ଦେଉଛି। ଫଳରେ ଭଦ୍ରକ ଓ ତିହିଡ଼ି ବ୍ଲକ୍‌ର ୫ ପଞ୍ଚାୟତର ୨୫ ଗାଁ ବନ୍ୟାରେ ଉବୁଟୁବୁ ହେଉଛି। ବିଶେଷକରି ସେତୁ ନିକଟ ଗାଁ ରାଜମୁକୁନ୍ଦପୁର ସମେତ ଆଖପାଖ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି।

ଚଳିତବର୍ଷ ନାଳିଆରେ ତିନି ଥର ବନ୍ୟା ଆସିଛି। ଅର୍ଦ୍ଧନିର୍ମିତ ନୂଆ ସେତୁ ଯୋଗୁଁ ଜଳ ନିଷ୍କାସନ ହୋଇ ନପାରି ଭଦ୍ରକ ବ୍ଲକ୍‌ର ଅର୍ଣ୍ଣପାଳ, ବିଷ୍ଣୁପୁରବିନ୍ଧା, ତିହିଡ଼ି ବ୍ଲକ୍‌ର ତଳଗୋପବିନ୍ଧା, ବୋଡ଼କ, କୁବେରା ଆଦି ୫ଟି ପଞ୍ଚାୟତର ପ୍ରାୟ ୮ ହଜାର ହେକ୍ଟର ଧାନଚାଷ ଓ ୭୦୦ ହେକ୍ଟର ଜମିରେ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୩୦୦ରୁ ଅଧିକ ମାଟିଘର ଭୁଶୁଡ଼ି ପଡ଼ିଥିବାବେଳେ ଅନେକ ପକ୍କାଘର ଏବେ ବି ପାଣିରେ ବୁଡ଼ି ରହିଛି। ସେତୁ ନିକଟବର୍ତ୍ତୀ ରାଜମୁକୁନ୍ଦପୁର, ରାଜୁଆଳିବିନ୍ଧା, ହଟନଗର, ମତଗଜପୁର, ରାଉତସାହି, ଆଙ୍କଡ଼ା ଆଦି ବହୁ ଗାଁରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୧୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଅନେକ ପରିବାର ଏବେ ବି ଜଳବନ୍ଦି ଅବସ୍ଥାରେ ଅଛନ୍ତି।

ବନ୍ୟାପାଣି ଦୀର୍ଘଦିନ ଧରି ଜମି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଜ୍ୱର, କାଶ ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଅଣ୍ଟାଏ ପାଣି ଭିତରେ ଚାଲି ମେଡିକାଲ୍‌ ଯିବାକୁ ପଡ଼ୁଛି। ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଚିକିତ୍ସା ପାଇଁ ନେବାବେଳେ ଲୋକଙ୍କୁ ବିପଦପୂର୍ଣ୍ଣ ପରିସ୍ଥିତିର ସାମନା କରିବାକୁ ପଡ଼ୁଛି। ପାନୀୟଜଳ ସମସ୍ୟା ଦେଖାଦେଇଥିବାରୁ ସଂକ୍ରାମକ ରୋଗ ନେଇ ଆଶଙ୍କା ବଢ଼ିଛି।
ରାଜୁଆଲିବିନ୍ଧାର ନରେଶ ଜେନା କହିଛନ୍ତି, ଜମିରେ ପାଣି ଜମି ରହିଥିବାରୁ ପୁଣି ଧାନଚାଷ କରିବା ସମ୍ଭବ ନୁହେଁ। ଏଥର ବନ୍ୟା ବର୍ଷକର ଆହାର ଛଡ଼ାଇ ନେଇଛି। ଚାଷ ହିଁ ଆମର ଜୀବିକା, କିନ୍ତୁ ଏବେ ସମସ୍ତ ଆଶା ପାଣିରେ ଭାସିଯାଇଛି ବୋଲି ସେ କହିଛନ୍ତି। ସେହିପରି ରାଜମୁକୁନ୍ଦପୁରର ପ୍ରଭାକର ବେହେରା କହିଛନ୍ତି, ନାଳିଆ ସେତୁର ଅଧାଗଢ଼ା କାମ ବନ୍ୟା ପରିସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ସେତୁ ନିର୍ମାଣ ସମୟରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ବନ୍ୟାପାଣି ଦୀର୍ଘ ସମୟ ଧରି ଅଟକି ରହୁଛି। ଅଧାଗଢ଼ା ସେତୁ ଆମକୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ଅର୍ଣ୍ଣପାଳ ପଞ୍ଚାୟତ ଭକ୍ତିବ୍ରହ୍ମପୁର ଗ୍ରାମର ଗୋପାଳ ଓଝା, ବାବୁରାମ ଜେନା, ରାମ ନାୟକ, ପୀତାମ୍ବର ଜେନା, ସଦାଶିବ ଜେନା, ସୁବଳ ଜେନା, ରମା ନାୟକ ପ୍ରମୁଖଙ୍କର ମଧ୍ୟ ସମାନ ମତ। ନାଳିଆ ସେତୁ ପାଇଁ ଆମେ ଆଜି ପାଣି ଘେରରେ ରହିଛୁ। ଯଦି ବିଭାଗ ପୋଲ କାମ ଖରାଦିନରୁ ସାରିଦେଇଥାନ୍ତା ତେବେ ଆଜି ଏଭଳି ଦଶା ଭୋଗିବାକୁ ପଡ଼ି ନଥାନ୍ତା ବୋଲି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button