Engine: ବଗି ଛାଡ଼ି ଇଞ୍ଜିନ୍ ଛୁ: ଅଧଘଣ୍ଟା ପରେ ପୁଣି ଯୋଡ଼ିହେଲା
ବଗି ଛାଡ଼ି ଇଞ୍ଜିନ୍ ପଳାଇଲା। କିଛି ବାଟ ଯିବା ପରେ ପୁଣି ଫେରି ବଗିଗୁଡ଼ିକୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ। ରବିବାର ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ପୁରୁଣାକଟକ-ଭୁବନେଶ୍ବର ଇଣ୍ଟରସିଟି ବଲାଙ୍ଗୀର ଷ୍ଟେସନ୍ରେ ପହଞ୍ଚିଥିଲା।

ବଲାଙ୍ଗୀର: ବଗି ଛାଡ଼ି ଇଞ୍ଜିନ୍ ପଳାଇଲା। କିଛି ବାଟ ଯିବା ପରେ ପୁଣି ଫେରି ବଗିଗୁଡ଼ିକୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ। ରବିବାର ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ପୁରୁଣାକଟକ-ଭୁବନେଶ୍ବର ଇଣ୍ଟରସିଟି ବଲାଙ୍ଗୀର ଷ୍ଟେସନ୍ରେ ପହଞ୍ଚିଥିଲା। କିଛି ମିନିଟ୍ର ରହଣି ପରେ ଟ୍ରେନ୍ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ହେଲେ ବଲାଙ୍ଗୀର ଷ୍ଟେସନ୍ରୁ ମାତ୍ର ୪ ଶହ ମିଟର ଦୂର ସୁଦପଡ଼ା ପାଖରେ ଇଞ୍ଜିନ୍ ଏକାକୀ ପଳାଇଥିଲା। ଇଞ୍ଜିନ୍ ପଛ ଭାଗରେ ଥିବା ସବୁ ବଗି ସେମିତି ରେଳଧାରଣା ଉପରେ ଛିଡ଼ା ହୋଇ ରହିଥିଲା।
ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଭୟରେ କିଛି ଯାତ୍ରୀ ଚିତ୍କାର କରିବା ସହ ପ୍ରାୟ ସମସ୍ତେ ବଗିରୁ ଓହ୍ଲାଇ ପଡ଼ିଥିଲେ। ବଲାଙ୍ଗୀର ଷ୍ଟେସନ୍ ଛାଡ଼ିବା ବେଳେ ଟ୍ରେନ୍ର ବେଗ ଧିମା ଥିବାରୁ ବଗିଗୁଡ଼ିକ ସୁରକ୍ଷିତ ଅଟକି ଯାଇଥିଲା। ପରେ ଲୋକୋ ପାଇଲଟ୍ ବଗି ପଛରେ ରହିଯାଇଥିବା ଜାଣିପାରିଥିଲେ। ଅଧଘଣ୍ଟା ଭିତରେ ଇଞ୍ଜିନ୍ ପୁଣି ଫେରିଥିଲା। ବଗିରେ ସଂଯୋଗ ହେବା ପରେ ଟ୍ରେନ୍ ବିଳମ୍ବରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ତେବେ, ଏହି ଅଘଟଣ ସମ୍ପର୍କରେ ବଲାଙ୍ଗୀର ଷ୍ଟେସନ୍ ମାଷ୍ଟର କିମ୍ବା କୌଣସି ରେଳ ଅଧିକାରୀ ପ୍ରତିକ୍ରିୟା ରଖି ନାହାନ୍ତି।
ସୌଜନ୍ୟ ସମ୍ବାଦ




