ରାଜ୍ୟ

Manikya: ‘ମାଣିକ୍ୟ’ ଉପରେ ମାଫିଆଙ୍କ ନଜର: ସନ୍ଧ୍ୟା ହେଲେ ଜିଲିଙ୍ଗଦରରୁ ରତ୍ନପଥର ଲୁଟ୍‌

ମାଟି ତଳେ ମାଣିକ୍ୟ (ରତ୍ନପଥର) ଭରପୂର। ହେଲେ ଏ ମାଟିର ମଣିଷକୁ ମିଳୁନି କାମ। ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କଳାହାଣ୍ଡି ମାଟି ତଳେ ଥିବା ଖଣିଜ ଓ ରତ୍ନପଥର ଉପରେ ପଡ଼ିଛି ମାଫିଆଙ୍କ ନଜର।

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ମାଟି ତଳେ ମାଣିକ୍ୟ (ରତ୍ନପଥର) ଭରପୂର। ହେଲେ ଏ ମାଟିର ମଣିଷକୁ ମିଳୁନି କାମ। ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କଳାହାଣ୍ଡି ମାଟି ତଳେ ଥିବା ଖଣିଜ ଓ ରତ୍ନପଥର ଉପରେ ପଡ଼ିଛି ମାଫିଆଙ୍କ ନଜର। ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଉଛି ଖୁଲମଖୁଲା ଲୁଟ୍‌। ଖଣି ବିଭାଗ ଓ ପୁଲିସ ପାଖରେ ଖବର ଅଛି। ପ୍ରଶାସନ ବି ଅବଗତ। ହେଲେ କେହି ପାଟି ଫିଟାଉ ନାହାନ୍ତି। ସମସ୍ତଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଛି ଯେମିତି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ହିଞ୍ଜିଲିବାହାଲି ଓ ଜିଲିଙ୍ଗଦରରେ ରତ୍ନପଥର ଗଚ୍ଛିତ ଥିବା ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖଣି ଖନନ ନେଇ ଆଶା ସଞ୍ଚାର ହୋଇଥିଲା। ରତ୍ନପଥରର ପ୍ରକ୍ରିୟାକରଣ କରିବେ ସରକାର। ଲୋକଙ୍କୁ ରୋଜଗାର ମିଳିବ। ଆହୁରି ସମୃଦ୍ଧ ହେବ କଳାହାଣ୍ଡି ବୋଲି ଜିଲ୍ଲାବାସୀ ଆଶା ରଖିଥିଲେ। କିନ୍ତୁ ସବୁ ଏବେ ଫୁସ୍‌। ତଥ୍ୟ ଅନୁସାରେ, ହିଞ୍ଜିଲିବାହାଲି ଓ ଜିଲିଙ୍ଗଦରରେ ରତ୍ନପଥର ଖଣିରୁ ଗତ କିଛି ବର୍ଷ ପୂର୍ବେ ଓଏମ୍‌ସି ଖନନ କରୁଥିଲା। ପରେ ଜେମ୍‌କୋ ନାମକ ଏକ କମ୍ପାନିକୁ ଖଣି ଖନନ ଦାୟିତ୍ୱ ମିଳିଥିଲା। ବର୍ତ୍ତମାନ ସମସ୍ତ ଖଣି ଖନନ ବନ୍ଦ। ଏହାର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। କିନ୍ତୁ ଜିଲିଙ୍ଗଦର ରତ୍ନପଥର ଖଣି ମୁକୁଳା। ଏହାର ଫାଇଦା ନେଇ ଜମି ମାଲିକମାନେ ବେଧଡ଼କ ରତ୍ନପଥର ଖୋଳୁଛନ୍ତି। ସନ୍ଧ୍ୟାରେ ୧୫ରୁ ୨୦ଟି ଦଳ ରତ୍ନପଥର ଖୋଳିବା କାମରେ ନିୟୋଜିତ ହେଉଛନ୍ତି। ପ୍ରତି ଦଳରେ ପ୍ରାୟ ୨୦ ଜଣ ଶ୍ରମିକ ସାମିଲ ହେଉଛନ୍ତି। ବର୍ଷା ଯୋଗୁଁ ଖାଦାନରେ ପାଣି ଜମି ରହୁଛି।

ତେଣୁ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଖୋଳୁଛନ୍ତି। ଜୁନାଗଡ଼ ଅଞ୍ଚଳର କିଛି ବ୍ୟବସାୟୀ ପ୍ରଥମ ପର୍ଯ୍ୟାୟରେ ଯାଇ ଶ୍ରମିକଙ୍କୁ ଲଗାଇ କାମ ଚଳାଇଥିଲେ। ଏ ବିଷୟ ପୁଲିସ ଓ ଖଣି ବିଭାଗ କାନରେ ବି ପଡ଼ିଥିଲା। ପୁଲିସର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା। ହେଲେ କେହି ତୁଣ୍ଡ ଖୋଲୁ ନାହାନ୍ତି। ବର୍ତ୍ତମାନ ଏଠାରୁ ବେଧଡ଼କ ଖଣି ଖନନ ଚାଲିଥିବା ଚର୍ଚ୍ଚା ହେଉଛି। ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ରାତିରେ କେହି ଯିବାକୁ ସାହସ କରୁନାହାନ୍ତି। ଫଳରେ ମାଣିକ୍ୟ ହରିଲୁଟ୍‌ରେ ମାଫିଆ ଲାଗିପଡ଼ିଛନ୍ତି। ଉନ୍ନତ ମାନର ମାଣିକ୍ୟ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଦେଇ ରାଜସ୍ଥାନକୁ ଚାଲାଣ କରାଯାଉଛି। ଜିଲ୍ଲା ବାହାରର ଜଣେ ପ୍ରଭାବଶାଳୀ ବିଧାୟକ ଓ ଜୁନାଗଡ଼ ଅଞ୍ଚଳର କିଛି ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ଥିବା ଆଲୋଚନା ହେଉଛି। ଦୁନ୍ଦେଲମାଲ, ଦେଦର, ବୁଢ଼ୀଦର, ଶଗଡ଼ା, ଜିଲିଙ୍ଗଦର, ଗୋଲାମୁଣ୍ଡା, ଜୁନାଗଡ଼ ସମେତ ବିଭିନ୍ନ ଅଞ୍ଚଳରୁ ଶ୍ରମିକ ଏହି କାମରେ ନିୟୋଜିତ ହେଉଛନ୍ତି। ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରି ଚଢ଼ଉ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button