ଖେଳ

Lanier made history: ଇତିହାସ ରଚିଲେ ଲାନିଏର

ନୂଆଦିଲ୍ଲୀରେ ଖେଳାଯାଇଥିବା ବିଶ୍ବ ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ରେ ନୂଆ ଇତିହାସ ଲେଖା ହୋଇଛି। ଫ୍ରାନ୍ସର ପ୍ରଥମ ଖେଳାଳି ଭାବେ ୨୧ବର୍ଷୀୟ ଆଲେକ୍ସ ଲାନିଏର ପୁରୁଷ ଏକକ ଟ୍ରଫି ଜିତି ନିଜ ଦେଶର କ୍ରୀଡ଼ା ଇତିହାସରେ ସଫଳତାର ନବୀନ ଫର୍ଦ୍ଦ ଯୋଡ଼ିଛନ୍ତି।

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଖେଳାଯାଇଥିବା ବିଶ୍ବ ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ରେ ନୂଆ ଇତିହାସ ଲେଖା ହୋଇଛି। ଫ୍ରାନ୍ସର ପ୍ରଥମ ଖେଳାଳି ଭାବେ ୨୧ବର୍ଷୀୟ ଆଲେକ୍ସ ଲାନିଏର ପୁରୁଷ ଏକକ ଟ୍ରଫି ଜିତି ନିଜ ଦେଶର କ୍ରୀଡ଼ା ଇତିହାସରେ ସଫଳତାର ନବୀନ ଫର୍ଦ୍ଦ ଯୋଡ଼ିଛନ୍ତି। ସେହିଭଳି ପ୍ରଥମ ଫରାସୀ ଯୋଡ଼ି ଭାବେ ଥମ୍‌ ଗିକ୍ବେଲ ଓ ଡେଲଫିନ ଡେଲରୁ ମିଶ୍ରିତ ଯୁଗଳ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି। ରବିବାରର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ଗିକ୍ବେଲ ଓ ଡେଲରୁ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଚୀନର ଫେଙ୍ଗ ୟାନ ଝେ’ ଓ ହୁଆଙ୍ଗ ଡଙ୍ଗ ପିଙ୍ଗଙ୍କୁ ୨୧-୧୧, ୨୧-୧୧ ଗେମ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାରେ ଫ୍ରାନ୍ସର ପ୍ରଥମ ଯୋଡ଼ି ହୋଇଥିଲେ।

ଏହା ପରେ ଲାନିଏର ପୁରୁଷ ଏକକ ଫାଇନାଲ୍‌ରେ ପୂର୍ବତନ ରୌପ୍ୟ ପଦକ ବିଜେତା ଜାପାନର କୋଡାଇ ନାରାଓକାଙ୍କୁ ମାତ୍ର ୫୦ ମିନିଟ୍‌ ଭିତରେ ସେହି ୨୧-୧୧, ୨୧-୧୧ ଗେମ୍‌ରେ ପରାସ୍ତ କରି ନୂଆଦିଲ୍ଲୀ ସଂସ୍କରଣକୁ ଫ୍ରାନ୍ସ ପାଇଁ ସବୁଦିନ ଲାଗି ସ୍ମରଣୀୟ କରି ଦେଇଥିଲେ। ଜଣେ କିଶୋର ଭାବେ ୟୁ‌ରୋପୀୟ ଚାମ୍ପିଅନସିପ୍‌ ଜିତିଥିବା ଲାନିଏର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୮,୦୦୦ରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଅପୂର୍ବ କ୍ରୀଡ଼ା କୌଶଳର ପରିଚୟ ଦେଇ ଦଶମ ସିଡ୍‌ ନାରାଓକାଙ୍କୁ ତ୍ରୁଟି ପରେ ତ୍ରୁଟି କରିବାକୁ ବାଧ୍ୟ କରିଥିଲେ। ଶେଷରେ ବିଜେତା ହୋଇ ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପକ୍ଷରେ ମହିଳା ଏକକରେ କୋରିଆର ଆନ୍ ସେ ୟଙ୍ଗ୍‌ ବାଜି ମାରି ନେଇଥିଲେ। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ୟଙ୍ଗ୍‌ ୪୯ ମିନିଟ୍‌ ଭିତରେ ଜାପାନର ତିନି ଥର ବିଶ୍ବବିଜୟିନୀ ଆକାନେ ୟାମାଗୁଚିଙ୍କୁ ୨୧-୧୪ ଓ ୨୧-୧୭ ଗେମ୍‌ରେ ହରାଇ ଦେଇଥିଲେ। ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ୟଙ୍ଗ୍‌ଙ୍କର ଏହା ଥିଲା ଦ୍ବିତୀୟ ବିଶ୍ବ ଚାମ୍ପିଅନସିପ୍‌ ଟାଇଟଲ୍।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button