ଜାତୀୟ

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି କମ୍‌ ନୁହେଁ। ସାମ୍ବାଦିକା ପୂରବୀ ଶ୍ରୀଧର ଏବଂ ସଂଘିତା ସିଂହଙ୍କ ଦ୍ୱାରା ଲିଖିତ ପୁସ୍ତକ ଦି ପ୍ରାଇମ ମିନିଷ୍ଟର୍ସ ଟେବୁଲରେ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଜୀବନର ଅଜଣା ଦିଗକୁ ଉଲ୍ଲେଖ କରାଯାଇଛି।
ମଞ୍ଜୁଲ ପବ୍ଲିଶିଂ ହାଉସ୍‌ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀମାନଙ୍କ ରୋଷେଇ ଘର ଏବଂ ଖାଇବା ଘରର ଦୃଶ୍ୟ ସ୍ଥାନ ପାଇଛି। ସେମାନେ କ’ଣ ଖାଉଥିଲେ, କିପରି ଅତିଥି ଚର୍ଚ୍ଚା କରୁଥିଲେ, ସେମାନଙ୍କ ପ୍ରିୟ ରେସିପି ଏବଂ ସରକାରୀ ପଦବୀର ବ୍ୟସ୍ତତା ବାହାରେ ସେମାନଙ୍କ ସମ୍ପର୍କ କିପରି ଥିଲା, ତାହା ଏଥିରେ ବର୍ଣ୍ଣନା କରାଯାଇଛି। ଉଦାହରଣ ସ୍ବରୂପ ଇନ୍ଦିରା ଗାନ୍ଧୀ ନିଜ ଡାକ୍ତରଙ୍କ ସହ ଅନ୍ତାକ୍ଷରୀ ଖେଳୁଥିବା ସ୍ମୃତି ହେଉ କିମ୍ବା ମନମୋହନ ସିଂହ ବିଦେଶରେ ରହୁଥିବା ପ୍ରାରମ୍ଭିକ ଦିନଗୁଡ଼ିକରେ ନିଜ ସ୍ତ୍ରୀଙ୍କୁ ବାସନ ମାଜିବାରେ ସାହାଯ୍ୟ କରିବା ପ୍ରସଙ୍ଗ ଏହି ପୁସ୍ତକରେ ସ୍ଥାନ ପାଇଛି। ସେହିପରି ତାଜମହଲ ହୋଟେଲରେ ଅଟଳ ବିହାରୀ ବାଜପେୟୀଙ୍କ ଗୋଲ୍‌ଡେନ୍‌ ଫ୍ରାଇଡ ପ୍ରନ୍‌(ଚିଙ୍ଗୁଡ଼ି ଫ୍ରାଏ) ଏବଂ ଲକ୍ଷ୍ନୌର ଚାଟ୍‌ ପ୍ରତି ଥିବା ଦୁର୍ବଳତା ସହିତ ପ୍ରଧାନମନ୍ତ୍ରୀ ମୋଦି ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସ୍ତ୍ରୀଙ୍କୁ କିପରି ସାଗୁଦାନା ଖିଚିଡ଼ି ତିଆରି କରାଯାଏ, ତାହା ଶିଖାଉଥିବାର କାହାଣୀ ମଧ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀମାନେ କ’ଣ ଖାଲି ଜଣେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ? ସେମାନଙ୍କ ରାଜନୈତିକ ଏବଂ ସାର୍ବଜନୀନ ବ୍ୟକ୍ତିତ୍ୱ ବାହାରେ ଥିବା ସେମାନଙ୍କ ଘର, ପାରିବାରିକ ଜୀବନ, ବନ୍ଧୁତା, କାର୍ଯ୍ୟାଳୟର ସମ୍ପର୍କ ଏବଂ ଡାଇନିଂ ଟେବୁଲର ପସନ୍ଦ ଓ ଚର୍ଚ୍ଚାକୁ ନେଇ ମନ ଭିତରେ ଥିବା ଜିଜ୍ଞାସାକୁ ଏହି ପୁସ୍ତକ ମାଧ୍ୟମରେ ପରିପ୍ରକାଶ କରାଯାଇଥିବା ଏହାର ସହ ଲେଖିକା ପୂରବୀ କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ପୁସ୍ତକ ସଂକଳନ କରିବା ସହଜ ନ ଥିଲା। ୯୦ ବର୍ଷର ବୃଦ୍ଧଙ୍କଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ଅନେକ ଆମ ପାଇଁ ଦ୍ୱାର ଖୋଲିଥିଲେ। କେତେକେ ଦ୍ୱାର ବନ୍ଦ ମଧ୍ୟ କରିଦେଇଥିଲେ, କିନ୍ତୁ ଶେଷରେ ଆମର ନିରନ୍ତର ପ୍ରଚେଷ୍ଟା ସଫଳ ହୋଇପାରିଛି ବୋଲି ପୂରବୀ କହିଛନ୍ତି। ଲେଖିକାଦ୍ୱୟ ପ୍ରଧାନମନ୍ତ୍ରୀମାନଙ୍କ ଦୈନନ୍ଦିନ ଖାଦ୍ୟ ପସନ୍ଦ, ପ୍ରିୟ ବ୍ୟଞ୍ଜନଠାରୁ ଆରମ୍ଭ କରି ପିଢ଼ି ପିଢ଼ି ଧରି ଚାଲିଆସୁଥିବା ପାରିବାରିକ ରେସିପି ପର୍ଯ୍ୟନ୍ତ ସବୁକିଛି ଅନୁସନ୍ଧାନ କରିଛନ୍ତି। ଏହା ମାଧ୍ୟମରେ, ରାଜନୀତି ଏବଂ ସମସାମୟିକ ଇତିହାସର ପୃଷ୍ଠଭୂମିରେ ଭାରତୀୟ ଖାଦ୍ୟ ଓ ସଂସ୍କୃତିର ୭ ଦଶନ୍ଧିର ଯାତ୍ରାକୁ ଦସ୍ତାବିଜୀକରଣ କରାଯାଇଛି, ଯାହା ଦେଶର ପ୍ରଧାନମନ୍ତ୍ରୀ ଏବଂ ସ୍ବାଧୀନତା ପରଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବିକାଶ ଉପରେ ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରୁଛି। ଏହି ପୁସ୍ତକରେ ଭାରତର ସର୍ବୋଚ୍ଚ ପଦବୀ ଚାରିପାଖରେ ବଦଳୁଥିବା ଖାଦ୍ୟ ସଂସ୍କୃତିକୁ ମଧ୍ୟ ଦର୍ଶାଯାଇଛି। ସେହିପରି ରାଜକୀୟ ରୋଷେଇ ଘରର ବୈଭବଠାରୁ ଆରମ୍ଭ କରି ଗଣତାନ୍ତ୍ରିକ କ୍ଷମତାର ଅଧିକ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଉଲ୍ଲେଖ ରହିଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ପରିବାର, ବ୍ୟକ୍ତିଗତ ରୋଷେୟା, ବନ୍ଧୁ ଏବଂ ପରିଚିତ ବ୍ୟକ୍ତିଙ୍କ ସାକ୍ଷାତ୍‌କାର ଏବଂ ସେମାନଙ୍କ ସହ ଜଡ଼ିତ ରେଷ୍ଟୁରାଣ୍ଟ ଓ ଘର ପରିଦର୍ଶନରୁ ଏହି କାହାଣୀଗୁଡ଼ିକ ସାମ୍ନାକୁ ଆସିଛି। ଦି ପ୍ରାଇମ ମିନିଷ୍ଟର୍ସ ଟେବୁଲ ପୁସ୍ତକର ମୂଲ୍ୟ ୧,୪୯୯ ଟଙ୍କା ରଖାଯାଇଛି ଏବଂ ଏହା ସମସ୍ତ ଅନ୍‌ଲାଇନ ଓ ଅଫ୍‌ଲାଇନ ଷ୍ଟୋରଗୁଡ଼ିକରେ ବିକ୍ରି ପାଇଁ ଉପଲବ୍ଧ ରହିଛି। ଏହି ଦୁଇ ଲେଖିକା ପୂର୍ବରୁ ଉତ୍ତର-ପୂର୍ବ ଭାରତର ଖାଦ୍ୟ ଐତିହ୍ୟକୁ ନେଇ ‘ଦି ସେଭେନ ସିଷ୍ଟର୍ସ କିଚେନ୍‌ ଟେଲ୍ସ ଫ୍ରମ୍‌ ଦି ନର୍ଥ-ଇଷ୍ଟ’ ପୁସ୍ତକ ପାଇଁ ଏକାଠି କାର୍ଯ୍ୟ କରିଥିଲେ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button