Miss Universe India 2026: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମାଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

ନୂଆଦିଲ୍ଲୀ, ୨୪/୦୮: କେରଳର କାଜିଆ ଲିଜ୍ ମାଜୋ ‘ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬’ର ବିଜେତା ହୋଇଛନ୍ତି। ଅଗଷ୍ଟ ୨୩ ତାରିଖରେ ରାଜସ୍ଥାନର ଜୟପୁରସ୍ଥିତ ଜୀ ଷ୍ଟୁଡିଓରେ ଆୟୋଜିତ ଏହି ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଦୀର୍ଘ ପ୍ରତିଯୋଗିତା ପରେ ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା।
ଶ୍ରେଷ୍ଠ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କାଜିଆ ଲିଜ୍ ମାଜୋ, ଗୁଜରାଟର ଅନୁଶ୍ରୀ ସାତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ସ୍ଥାନ ପାଇଥିଲେ। ଫାଇନାଲ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ୪୦ ସେକେଣ୍ଡ ମଧ୍ୟରେ ନିଜର ଶେଷ ମନ୍ତବ୍ୟ ରଖିବାକୁ କୁହାଯାଇଥିଲା। ଏହି ରାଉଣ୍ଡରେ ନିଜର ଆତ୍ମବିଶ୍ୱାସ ଓ ଚିନ୍ତାଧାରାର ଦୃଢ଼ ପ୍ରଦର୍ଶନ କରି କାଜିଆ ଲିଜ୍ ମାଜୋ ବିଜୟ ହାସଲ କରିଥିଲେ। ପୂର୍ବତନ ବିଜେତା ମନିକା ବିଶ୍ୱକର୍ମା ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ।
ଫାଇନାଲରେ କାଜିଆ ଲିଜ୍ ମାଜୋ ଓ ତାମିଲନାଡୁର ବୈଷ୍ଣବୀ ଗଣେଶଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ କାଜିଆ ବିଜେତା ହୋଇଥିବା ବେଳେ ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି। ଗୁଜରାଟର ଅନୁଶ୍ରୀ ସାତୱାଲେକର ଦ୍ୱିତୀୟ ରନର୍ସ ଅପ୍, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ ତୃତୀୟ ରନର୍ସ ଅପ୍ ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ଚତୁର୍ଥ ରନର୍ସ ଅପ୍ ହୋଇଛନ୍ତି।
କିଏ ଏହି କାଜିଆ ଲିଜ୍ ମାଜୋ?
୧୯ ବର୍ଷୀୟା କାଜିଆ ଲିଜ୍ ମାଜୋ ଜଣେ ଆଇନ ଛାତ୍ରୀ, ମଡେଲ୍ ଏବଂ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ତାଙ୍କର ଏହା ପ୍ରଥମ ବଡ଼ ସଫଳତା ନୁହେଁ। ସେ ପୂର୍ବରୁ ‘ମିସ୍ ଟିନ୍ ଇଣ୍ଟରନ୍ୟାସନାଲ୍’ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ପ୍ରଥମ ରନର୍ସ ଅପ୍ ହୋଇଥିଲେ। ୨୦୨୬ରେ ଜାତୀୟ ସ୍ତରର ‘ମିସ୍ ୟୁନିଭର୍ସ ଇଣ୍ଡିଆ’ ମୁକୁଟ ଜିତିବା ପୂର୍ବରୁ ସେ ‘ମିସ୍ ୟୁନିଭର୍ସ କେରଳ ୨୦୨୬’ ଟାଇଟଲ ମଧ୍ୟ ହାସଲ କରିଥିଲେ। ଏବେ ଜାତୀୟ ମଞ୍ଚରେ ବିଜୟ ପରେ ତାଙ୍କ ଉପରେ ଆଉ ଏକ ବଡ଼ ଦାୟିତ୍ୱ ଆସିଛି।
କାଜିଆ ଲିଜ୍ ମାଜୋ ନଭେମ୍ବର ୨୦୨୬ରେ ପୁଏର୍ଟୋ ରିକୋରେ ଆୟୋଜିତ ହେବାକୁ ଥିବା ‘ମିସ୍ ୟୁନିଭର୍ସ ୨୦୨୬’ରେ ଭାରତକୁ ପ୍ରତିନିଧିତ୍ୱ କରିବେ। ଜାତୀୟ ମଞ୍ଚରେ ବିଜୟ ପରେ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବ ବଢ଼ାଇବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେବ।
ସୌଜନ୍ୟ ପ୍ରମେୟ




