ଜାତୀୟ

Hospital Fire: ଭେଣ୍ଟିଲେଟର ବ୍ଲାଷ୍ଟ ହୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ୩ ଶିଶୁ ମୃତ, ଅନେକ ଆହତ

ମୁମ୍ବାଇ,୨୪/୦୮: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଭେଣ୍ଟିଲେଟର ଫାଟି ହୁତୁ ହୁତୁ ହୋଇ ଜଳିଲା ୱାର୍ଡ । ଚାଲିଗଲା ୩ ନବଜାତକଙ୍କ ଜୀବନ । ମହାରାଷ୍ଟ୍ରର ଅମରାବତୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।  ଜିଲ୍ଲା ମହିଳା ଚିକିତ୍ସାଳୟର ଶିଶୁ ୱାର୍ଡରେ ଅଗ୍ନିକାଣ୍ଡରେ ୩ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଅନେକ ଆହତ ହୋଇଥିବା ଜଣାପଡିଛି । ପ୍ରାଥମିକ ରିପୋର୍ଟ ଅନୁସାରେ ଭେଣ୍ଟିଲେଟର ଫାଟିବାକୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଲାଟର ୩ମହଲାରେ ଥିବା ଏନଆଇସିୟୁ ୱାର୍ଡରେ ଭେଣ୍ଟିଲେଟରରେ ହଠାତ୍ ବିସ୍ଫୋରଣ ହେବା ପରେ ଭୋର ପ୍ରାୟ ୩ଟା ୩୦ ମିନିଟ୍‌ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଘଟିବା ମାତ୍ରେ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଅନେକ ପିଲାଙ୍କ ଜୀବନ ବଞ୍ଚାଯାଇଥିଲା । ଅଗ୍ନିକାଣ୍ଡକୁ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୁର୍ଘଟଣା ପରେ ୬ ଜଣ ନବଜାତ ଶିଶୁଙ୍କୁ ଚିକିତ୍ସା ପାଇଁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ଘଟିଥିବା ଏନଆଇସିୟୁ ୱାର୍ଡରେ ପ୍ରାୟ ୩୯ ନବଜାତ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଘଟଣାର ତଦନ୍ତ ନିର୍ଦ୍ଦେଶ – ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଏହା ପୂର୍ବରୁ ମଧ୍ୟ ଏନଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଶିଶୁ ପ୍ରାଣ ହରାଇଥିଲେ । ହସ୍ପିଟାଲର ଆଇସିୟୁକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉଦଘାଟନ କରିଥିଲେ । ନୂଆ ଡାକ୍ତରଖାନାରେ ଏପରି ଦୁର୍ଘଟଣା ଏକ ଗମ୍ଭୀର ବିଷୟ । ଏହି ଦୁର୍ଘଟଣାର ତଦନ୍ତ ଆବଶ୍ୟକ । ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବାୱାନକୁଲେ ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ମୃତ ଶିଶୁମାନଙ୍କ ପରିବାର ସହିତ ସରକାର ଛିଡା ହୋଇଛନ୍ତି ଏବଂ ସରକାର ଏବଂ ପ୍ରଶାସନ ଦ୍ୱାରା ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି । ଘଟଣା ଉପରେ ନଜର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଏନସିପି-ଏସସିପି ସାଂସଦ ସୁପ୍ରିୟା ସୁଲେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହା କେବଳ ଦୁର୍ଘଟଣା ନୁହେଁ ବ୍ୟବସ୍ଥାର ଅବହେଳା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ମହାରାଷ୍ଟ୍ରର ଘରୋଇ ଡାକ୍ତରଖାନାରେ ଚିକିତ୍ସା ଉପକରଣର ଅଗ୍ନି ଅଡିଟ୍ ଏବଂ ସୁରକ୍ଷା ଅଡିଟ୍ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button