Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ
ଓଡ଼ିଶା କ୍ରିକେଟ ଆସୋସିଏସନ ଏହାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନିଶ୍ଚିତତା ଭିତରେ ରଖି ପାରିବ ନାହିଁ। ନିଜ ବାଇ ଲ’, ବୋର୍ଡ ଅଫ୍ କଂଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆର ଏମଓଏ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଓସିଏକୁ ତୁରନ୍ତ ନିର୍ବାଚନ କରିବାକୁ ହେବ।

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଏହାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନିଶ୍ଚିତତା ଭିତରେ ରଖି ପାରିବ ନାହିଁ। ନିଜ ବାଇ ଲ’, ବୋର୍ଡ ଅଫ୍ କଂଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ)ର ଏମଓଏ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଓସିଏକୁ ତୁରନ୍ତ ନିର୍ବାଚନ କରିବାକୁ ହେବ।
ହାଇକୋର୍ଟରେ ବିସିସିଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଏହାର ମେମେରୋଣ୍ଡମ ଅଫ ଆସୋସିଏସନ (ଏମଓଏ) ଅନୁସାରେ ଜଣେ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ତିନି ବର୍ଷ। ଜଣେ କାର୍ଯ୍ୟକର୍ତ୍ତା ତିନି ଥରରୁ ଅଧିକ ରହି ପାରିବେ ନାହିଁ ଯାହା ଅର୍ଥ ୯ ବର୍ଷ। ଜଣେ କାର୍ଯ୍ୟକର୍ତ୍ତା କୌଣସି ପଦବିରେ ଲଗାତାର ଦୁଇ ଥରରୁ ଅଧିକ ରହିବା ପରେ ୩ ବର୍ଷର କୁଲିଂ ଅଫ ଅବଧି ପୂରଣ କରିବାକୁ ପଡ଼ିବ। ଯଦି ଜଣେ କାର୍ଯ୍ୟକର୍ତ୍ତା ଲାଗାତାର ଦୁଇ ଥର ପଦବିରେ ରୁହନ୍ତି ତେବେ ତାଙ୍କୁ ୩ ବର୍ଷର କୁଲିଂ ଅଫ୍ ଅବଧି ପୂରଣ କରିବାକୁ ହେବ। ଏଭଳି ନିୟମ ବିସିସିଆଇ ଗ୍ରହଣ କରିଥିବା ବେଳେ ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓସିଏ କ୍ଷେତ୍ରରେ ମଧ୍ୟ ଲାଗୁ। ବିସିସିଆଇ ସଦସ୍ୟତା ଓ ସ୍ବୀକୃତି ବାଜୟ ରଖିବା ପାଇଁ ରାଜ୍ୟ ସଂଘ ଗୁଡ଼ିକୁ ଏପରି ନିୟମ ପାଳନ କରିବାକୁ ହେବ। ସତ୍ୟପାଠରେ ସମୟରେ ନିର୍ବାଚନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ କାର୍ଯ୍ୟକର୍ତ୍ତା ଓ ରାଜ୍ୟ ସଂଘର ନିର୍ବାଚିତ ସଦସ୍ୟ କ୍ରିକେଟର ପରିଚାଳନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ଏହା ଅପରିହାର୍ଯ୍ୟ ଯେ ଓସିଏ ତୁରନ୍ତ ଏହାର ନିର୍ବାଚନ କରିବା ଉଚିତ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ସୌଜନ୍ୟ ସମ୍ବାଦ




