ମହାନଗର

Auto driver: ଅଟୋ ଚାଳକଙ୍କ ହିଂସା ମାମଲା: ପର୍‌ମିଟ୍‌ ବାତିଲ ପ୍ରକ୍ରିୟା ଆରମ୍ଭ, ଅନେକଙ୍କର ନାହିଁ ଫିଟ୍‌ନେସ, ପ୍ରଦୂଷଣ, ଇନ୍‌ସୁରାନ୍ସ

ଲୋୟର ପିଏମ୍‌ଜିରେ ବିକ୍ଷୋଭ ବେଳେ ହିଂସାକାଣ୍ଡ ଘଟାଇଥିବା ଓଲା, ଉବର ଓ ରାପିଡୋ ଅଟୋ ଚାଳକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ।

ଭୁବନେଶ୍ବର: ଲୋୟର ପିଏମ୍‌ଜିରେ ବିକ୍ଷୋଭ ବେଳେ ହିଂସାକାଣ୍ଡ ଘଟାଇଥିବା ଓଲା, ଉବର ଓ ରାପିଡୋ ଅଟୋ ଚାଳକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଶୁକ୍ରବାର ଦିନ ୩୮୦ ଅଟୋ ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବେଳେ ଆଜି ସେମାନଙ୍କ ପରମିଟ୍‌ ବାତିଲ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆର୍‌ଟିଓ ମାନସ ମିଶ୍ର କହିଛନ୍ତି। ତେବେ ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଅନେକ ଅଟୋର ଫିଟ୍‌ନେସ୍‌ ନାହିଁ। କେବଳ ଫିଟ୍‌ନେସ୍‌ ନୁହେଁ, ପ୍ରଦୂଷଣ, ଇନ୍‌ସ୍ୟୁରାନ୍ସ ମଧ୍ୟ ନାହିଁ।ବର୍ଷ ବର୍ଷ ହେବ ଏମାନେ ଏଭଳି ବେଆଇନ୍‌ ଭାବେ ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଥିଲେ।

ସେହିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଥା ମଧ୍ୟ ସାମ୍ନାକୁ ଆସିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଯୋଗୁ ଅନେକଙ୍କ ବିରୋଧରେ ମାଳ ମାଳ ଇ-ଚାଲାଣ ମଧ୍ୟ ପେଣ୍ଡିଂ ରହିଛି। ଏହାଛଡ଼ା ୨୦୦ଜଣଙ୍କ ବିରୋଧରେ ଇ-ଚାଲାଣ କଟାଯାଇଛି।  ଆଞ୍ଚଳିକ ପରିବହନ ବିଭାଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପରେ ୩ଦିନ ମଧ୍ୟରେ ମାତ୍ର ୨୦-୨୫ଜଣ ଏହାର ଜବାବ ରଖିଛନ୍ତି। ଏବେ ବି ଶତାଧିକ ମାଲିକ ଏହାକୁ ଖାମଖିଆଲି ଭାବି କୌଣସି ଜବାବ ଦେଇନାହାନ୍ତି। ଆକ୍ସନ ମୁଡ୍‌ରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜବତ ହୋଇଥିବା ସମସ୍ତ ଅଟୋର ତଥ୍ୟ ଯାଞ୍ଚ କରି ବେଆଇନ୍‌ ଅଟୋଗୁଡ଼ିକର ତାଲିକା କରୁଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ ହୋଇଛି। ଏଥିପାଇଁ ଅଟୋଗୁଡ଼ିକର ପର୍‌ମିଟ୍‌ ବାତିଲ ପାଇଁ ନିଷ୍ପତ୍ତି ହୋଇଛି। ଆଞ୍ଚଳିକ ପରିବହନ ବିଭାଗର ଏଭଳି ଗୋଟିଏ ପରେ ଗୋଟିଏ କଡ଼ା ଆଭିମୁଖ୍ୟ ପରେ ଅଟୋ ଚାଳକଙ୍କ ନିଦ ହଜିଛି।

ମିଳୁନି ଏକାଧିକ ଜବତ ଅଟୋ
ୱାରେଣ୍ଟ ଜାରି ହେବା ନେଇ ସୂଚନା
ପୁଲିସ ଜବତ କରିଥିବା ଅଟୋ ମଧ୍ୟରୁ ଏକାଧିକ ଅଟୋ ମିଳୁନାହିଁ। ‌‌ପୁଲିସ ହେପାଜତରୁ ଅଟୋ ନେଇଯାଇଥିବା ଜଣାପଡ଼ିଛି। ଏନେଇ ଗାଡ଼ି ଚାଳକଙ୍କୁ ୱାରେଣ୍ଟ ଜାରି ହେବ ବୋଲି ଜଣାପଡ଼ିଛି। ପ୍ରାୟ ୧୦ଟି ଗାଡ଼ି ପାଇଁ ୱାରେଣ୍ଟ ଜାରି କରାଯିବ ଜଣାପଡ଼ିଛି। ସୂଚନା ଅନୁସାରେ ୧୯ ତାରିଖ ଘଟଣା ପ‌ରେ ରାସ୍ତା ଉପରେ ବ୍ଲକିଂ କରାଯାଇଥିବା ଗାଡ଼ିକୁ ପୁଲିସ ପକ୍ଷରୁ ଜବତ କରାଯାଇଥିଲା। ‌ମୋଟ୍‌ ୩୫୪ ଗାଡ଼ିକୁ ଜବତ କରାଯାଇଥିଲା। ଗାଡ଼ିଗୁଡ଼ିକୁ ଟୋଇଂ କରି ରିଜର୍ଭ ଗ୍ରାଉଣ୍ଡକୁ ନିଆଯାଇଥିଲା। କିନ୍ତୁ ସେଥିରୁ ପ୍ରାୟ ୧୦ଟି ଗାଡ଼ି ମିଳୁନଥିବା ଜଣାପଡ଼ିଛି। ପୁଲିସ ହେପାଜତରୁ ଗାଡ଼ିଗୁଡ଼ିକୁ ନିଆଯାଇଥିବାରୁ ଏହାକୁ ନେଇ ୱାରେଣ୍ଟ ଜାରି କରାଯିବ।

ଜବତ ଅଟୋ ମଧ୍ୟରୁ ୧୫୦ ଗାଡ଼ିର ପରମିଟ ନାହିଁ
ବିନା ପରମିଟରେ ଅନଲାଇନରେ ଯାତ୍ରୀ ଚାଲାଣ କରୁଥିଲେ ଅଟୋ ଚାଳକ।  ଜବତ ୩୫୪ ଗାଡ଼ି ମଧ୍ୟରୁ ମାତ୍ର ୨୦୦ ଗାଡ଼ି‌ର ପର୍‌ମିଟ୍‌ ଅଛି। ସମସ୍ତ କାଗଜପତ୍ର ଠିକ ରହିଛି। ଏହି ଗାଡ଼ିଗୁଡ଼ିକୁ କାରଣଦର୍ଶାଅ ନୋଟିସ ପଠାଯାଇଛି। କିନ୍ତୁ ପ୍ରାୟ ୧୫୦ ଗାଡ଼ିର ପରମିଟ୍‌ କିମ୍ବା କାଗଜପତ୍ର ନଥିବା ଜଣାପଡ଼ିଛି।

କାରଣଦର୍ଶାଅ ନୋଟିସର ଉତ୍ତର ନଦେବାକୁ ସଂଘର ଚାପ

ଜେଲରେ ଥିବା ଅଟୋ ମାଲିକ କଣ କରିବେ
କାରଣଦର୍ଶାଅ ନୋଟିସର ଉତ୍ତର ନଦେବାକୁ ସଂଘ ପକ୍ଷରୁ ଚାପ ପକାଯାଉଯାଉଛି। ନୋଟିସ୍‌ର ଉତ୍ତର ଦେବାକୁ ଆସିଥିବା କିଛି ଅଟୋ ଚାଳକ କହିଛନ୍ତି ଯେ ଗତକାଲି ସଂଘ ପକ୍ଷରୁ ସେମାନଙ୍କୁ ଆଜି ଆର୍‌ଟିଓକୁ ଆସି ନୋଟିସର ଉତ୍ତର ନଦେବାକୁ କୁହାଯାଇଥିଲା। ଜେଲରେ ଥିବା ଡ୍ରାଇଭରମାନେ ନୋଟିସର ଉତ୍ତର ଦେଇ ନାହାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button