ଦେଶ ବିଦେଶ

US plane in Moscow: ମସ୍କୋରେ ଆମେରିକା ବିମାନ: ଶେଷ ହେବ କି ରୁଷ୍‌-ୟୁକ୍ରେନ ଯୁଦ୍ଧ?

ଆମେରିକା ବାୟୁସେନାର ଏକ ପ୍ରମୁଖ ସାମରିକ ପରିବହନ ବିମାନ ମଙ୍ଗଳବାର ହଠାତ୍ ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ ଅବତରଣ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ୱାସିଂଟନ: ଆମେରିକା ବାୟୁସେନାର ଏକ ପ୍ରମୁଖ ସାମରିକ ପରିବହନ ବିମାନ ମଙ୍ଗଳବାର ହଠାତ୍ ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ  ଅବତରଣ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ରହସ୍ୟମୟ ସାମରିକ ବିମାନର ଆଗମନ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି ରୁଷ୍‌ ରାଷ୍ଟ୍ରପତି ଭବନ ପକ୍ଷରୁ ଦାବି କରାଯାଇଛି। ବିମାନ ଚଳାଚଳ ଉପରେ ନଜର ରଖୁଥିବା ୱେବସାଇଟ୍ ‘ଫ୍ଲାଇଟ୍‌ ରାଡାର୨୪’ର ତଥ୍ୟ ଅନୁଯାୟୀ, ଆମେରିକାରେ ପଞ୍ଜୀକୃତ ବୋଇଂ ସି-୧୭ଏ ଗ୍ଲୋବ୍‌ମାଷ୍ଟର-୩ ବିମାନ ଲାଟାଭିଆର ରିଗା ସହରରୁ ବାହାରି   ସକାଳ ପ୍ରାୟ ୭ଟାରେ ମସ୍କୋରେ ପହଞ୍ଚିଥିଲା। ଏ ସମ୍ପର୍କରେ କ୍ରେମ୍‌ଲିନର ପ୍ରେସ୍ ସଚିବ ଡିମିତ୍ରି ପେସ୍‌କୋଭ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଚଳିତ ସପ୍ତାହରେ ଆମେରିକା ପ୍ରଶାସନର କୌଣସି ପ୍ରତିନିଧିଙ୍କ ସହ ବୈଠକ କରିବା ନେଇ କୌଣସି ପୂର୍ବ ନିର୍ଦ୍ଧାରିତ ଯୋଜନା ନାହିଁ। କିନ୍ତୁ ତଥ୍ୟ ଅନୁଯାୟୀ, ଏହି ବିମାନଟି  ଅଗଷ୍ଟ ୨୩ ତାରିଖରେ ୱାସିଂଟନ ନିକଟସ୍ଥ ମେରିଲ୍ୟାଣ୍ଡର ମିଳିତ ସାମରିକ ବେସ୍ ଆଣ୍ଡ୍ରୁଜ୍‌ରୁ ବାହାରି ପ୍ରଥମେ ରିଗାରେ ପହଞ୍ଚିଥିଲା, ଯେଉଁ ବେସ୍‌କୁ ସାଧାରଣତଃ ଆମେରିକା ରାଷ୍ଟ୍ରପତି ଏବଂ ବରିଷ୍ଠ ଅଧିକାରୀମାନେ ବ୍ୟବହାର କରିଥାନ୍ତି।

ଗୁପ୍ତ ମିସନ୍‌ରେ ସିଆଇଏ ମୁଖ୍ୟ: ମାର୍କିନ୍‌ ଗଣମାଧ୍ୟମ

ଶେଷ ହେବ କି ରୁଷ୍‌-ୟୁକ୍ରେନ ଯୁଦ୍ଧ?
ବିମାନ ଗସ୍ତକୁ ନେଇ କ୍ରେମ୍‌ଲିନ ନିରବ

ଅନ୍ୟପକ୍ଷରେ ଏହି ରହସ୍ୟମୟ ସାମରିକ ବିମାନରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ମୁଖ୍ୟ ଜନ୍ ରାଟ୍‌କ୍ଲିଫ୍ ଯାଇଥିବା ନେଇ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ କେତେକ ରିପୋର୍ଟରେ ଦାବି କରାଯାଇଛି। ସିବିଏସ୍ ନ୍ୟୁଜ୍ ଏବଂ ଏକ୍ସିଓସ୍ ପକ୍ଷରୁ ପ୍ରକାଶ କରାଯାଇଛି ଯେ ସିଆଇଏ ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏକ ଗୁପ୍ତ ମିସନ୍‌ରେ ମସ୍କୋ ଗସ୍ତ କରିଛନ୍ତି। ସିଆଇଏ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଟ୍‌କ୍ଲିଫ୍‌ଙ୍କର ଏହା ପ୍ରଥମ ରୁଷ ଗସ୍ତ ବୋଲି କୁହାଯାଉଛି। ତେବେ ଏହି ସମ୍ବେଦନଶୀଳ ଗସ୍ତ ସମ୍ପର୍କରେ ସିଆଇଏ କିମ୍ବା ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଆମେରିକାର ମଧ୍ୟସ୍ଥତାରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ଚାଲିଥିବା ଆଲୋଚନା ସମ୍ପୂର୍ଣ୍ଣ ରୂପେ ସ୍ଥଗିତ ଥିବା ବେଳେ ଏହି ଗୁପ୍ତ ବୈଠକ ସେହି ସମ୍ପର୍କିତ ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button