Shwetaganga wall: ଶ୍ବେତଗଙ୍ଗା ପାଚେରିରେ ପୁଣି ବଡ଼ ଫାଟ: ଭୁଶୁଡ଼ିବ ସଂଲଗ୍ନ ପାଚେରି
ଶ୍ବେତଗଙ୍ଗା ପାଚେରିରେ ପୁଣି ମେଲିଲାଣି ଫାଟ। ଗଛ ଚେର କାନ୍ଥ ଫଟେଇ ପ୍ରାୟ ୮ରୁ୧୦ ଇଞ୍ଚର ଫାଟ ସୃଷ୍ଟି ହୋଇଛି। ରଥଯାତ୍ରା ଦିନ ଭୁଶୁଡ଼ି ଯାଇଥିବା ପାଚେରି ଏଯାଏଁ ମରାମତି ହୋଇନାହିଁ, ଏଣେ ପୁଣି ଫାଟ ସୃଷ୍ଟି ହୋଇ ଧସିଯିବା ଆଶଙ୍କା ସୃଷ୍ଟି ହେଲାଣି।

ପୁରୀ: ଶ୍ବେତଗଙ୍ଗା ପାଚେରିରେ ପୁଣି ମେଲିଲାଣି ଫାଟ। ଗଛ ଚେର କାନ୍ଥ ଫଟେଇ ପ୍ରାୟ ୮ରୁ୧୦ ଇଞ୍ଚର ଫାଟ ସୃଷ୍ଟି ହୋଇଛି। ରଥଯାତ୍ରା ଦିନ ଭୁଶୁଡ଼ି ଯାଇଥିବା ପାଚେରି ଏଯାଏଁ ମରାମତି ହୋଇନାହିଁ, ଏଣେ ପୁଣି ଫାଟ ସୃଷ୍ଟି ହୋଇ ଧସିଯିବା ଆଶଙ୍କା ସୃଷ୍ଟି ହେଲାଣି। ଏସବୁ ଖାଲି ଆଖିକୁ ଜଳଜଳ ଦିଶୁଛି, ଅଥଚ ଶ୍ବେତଗଙ୍ଗା ଭଳି ଐତିହ୍ୟ ତୀର୍ଥ ପୁଷ୍କରିଣୀ ପ୍ରତି ଆଖି ବୁଜିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପାଚେରି ଧସିଯାଇଥିବାରୁ ତାକୁ ଲାଗି ନିର୍ମିତ ହୋଇଥିବା ପିଲାର ମଧ୍ୟ ଧସି ଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶ୍ବେତଗଙ୍ଗାର ପଶ୍ଚିମପାର୍ଶ୍ବ ପାଚେରି ଧସିବା ପରେ ଉକ୍ତ ପାଚେରି ସଂଲଗ୍ନ କୋଠା ପ୍ରତି ବିପଦ ସୃଷ୍ଟି ହୋଇଛି। ପିଲାର ଭାଙ୍ଗିଯିବା ପରେ ପାଚେରିକୁ ଲାଗି ରହିଥିବା ଶ୍ବେତଗଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ କୋଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଆଶଙ୍କାରେ ରହିଛନ୍ତି। ବର୍ଷା ଲାଗି ରହିଥିବାରୁ ପାଚେରି ଧସିଥିବା ସ୍ଥାନରୁ ମାଟି ପୁଷ୍କରିଣୀ ଭିତରକୁ ଖସି ଚାଲିଛି। ଫଳରେ ସଂଲଗ୍ନ ପାଚେରିରେ ମଧ୍ୟ ଫାଟ ସୃଷ୍ଟି ହେଲାଣି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପାଚେରି ଭୁଶୁଡ଼ିବା ପରେ ଫାଟ ଧୀରେ ଧୀରେ ମେଲିବାରେ ଲାଗିଛି। ପାଚେରି ଧସିଥିବା ସ୍ଥାନରେ ତ୍ବରିତ ମରାମତି କାର୍ଯ୍ୟ ଆରମ୍ଭ ନ କଲେ ପଶ୍ଚିମ ପାର୍ଶ୍ବ ପାଚେରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।
ସୌଜନ୍ୟ ସମ୍ବାଦ




