Ganja: ଖାକିରେ ‘ଗଞ୍ଜେଇ’ ଦାଗ: ୫ ବର୍ଷରେ ଜେଲ୍ ଗଲେଣି ୧୪
ଗଞ୍ଜେଇଗଡ଼ ବୌଦ୍ଧ। ଗଞ୍ଜେଇ ଗଛ ଦମନ ହେଉକି ଚୋରାଚାଲାଣ; ରାଜ୍ୟରେ ବୌଦ୍ଧ ପୁଲିସ ପ୍ରଶଂସିତ ହେଉଛି। କିନ୍ତୁ ବିଭାଗର ଅସାଧୁ କର୍ମଚାରୀଙ୍କ କାରନାମା ପାଇଁ ଖାକିରେ ଲାଗିଛି ଗଞ୍ଜେଇର କଳାଦାଗ। ନିକଟରେ ଗଞ୍ଜେଇ କାରବାରକୁ ନେଇ ପୁଲିସ କର୍ମଚାରୀଙ୍କ...

ବଲାଙ୍ଗୀର: ଗଞ୍ଜେଇଗଡ଼ ବୌଦ୍ଧ। ଗଞ୍ଜେଇ ଗଛ ଦମନ ହେଉକି ଚୋରାଚାଲାଣ; ରାଜ୍ୟରେ ବୌଦ୍ଧ ପୁଲିସ ପ୍ରଶଂସିତ ହେଉଛି। କିନ୍ତୁ ବିଭାଗର ଅସାଧୁ କର୍ମଚାରୀଙ୍କ କାରନାମା ପାଇଁ ଖାକିରେ ଲାଗିଛି ଗଞ୍ଜେଇର କଳାଦାଗ। ନିକଟରେ ଗଞ୍ଜେଇ କାରବାରକୁ ନେଇ ପୁଲିସ କର୍ମଚାରୀଙ୍କ ୩ଟି ଅଡିଓ କଲ୍ ଭାଇରାଲ୍ ହେବା ପରେ ଖାକି ପୋଷାକପିନ୍ଧା ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଗତ ୫ ବର୍ଷର ପରିସଂଖ୍ୟାନ ଖେଳାଇଲେ ପୁଲିସ ବାବୁ-କର୍ମଚାରୀ ଗଞ୍ଜେଇ କରିଡର୍ର ଜଣେ ଜଣେ ପୋଖତ କାର୍ପଟଦାର। କିଏ ନିଲମ୍ବିତ ତ ପୁଣି କିଏ ଗିରଫ ହୋଇଛନ୍ତି। ଏଥିରେ ଅଛନ୍ତି ଜଣେ ଫାଣ୍ଡି ଅଧିକାରୀ (ଏଏସ୍ଆଇ), ଆଇଆର୍ବିର ୩ ଯବାନ, ୬ କନେଷ୍ଟବଳ, ୨ ଜଣ ଡିଭିଏଫ୍ ଯବାନ ଓ ୨ ଗୃହରକ୍ଷୀ। ଗଞ୍ଜେଇ ମାମଲାରେ ବାରମ୍ବାର ପୁଲିସର ସମ୍ପୃକ୍ତି ସାମନାକୁ ଆସୁଥିବାବେଳେ ଥାନାର ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଓ ‘ସାହେବ’ ହିଁ ନିଜେ ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା କଥା ପରଦା ପଛରେ ରହିଯାଇଛି। ୨୦ ଜାନୁଆରି ୨୦୨୩। ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନେଷ୍ଟବଳ ନିଜ କ୍ୱାର୍ଟରରେ ୧୬ କେଜି ଗଞ୍ଜେଇ ରଖି ଧରାପଡ଼ିଥିଲେ। ୧ ନଭେମ୍ବର ୨୦୨୩ ଡିଭିଏଫ୍ ଯବାନ ହରିଶ୍ଚନ୍ଦ୍ର ସାହୁ ଗଞ୍ଜେଇ ବେପାରୀଙ୍କୁ ସୁରକ୍ଷା ଦେବା ପାଇଁ ବଘିଆପଡ଼ା ଫାଣ୍ଡି କ୍ୱାର୍ଟରରେ ୬ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଗିରଫ କରିଥିଲା। ୨୦୨୪ ଏପ୍ରିଲ ୭ରେ ଡିଭିଏଫ ଯବାନ ଡିଙ୍ଗର ମାଝୀ ୫୪ କେଜି ଗଞ୍ଜେଇ ସହ ଗିରଫ ହୋଇଥିଲେ।
ସୌଜନ୍ୟ ସମ୍ବାଦ




