କୋଇଡା: ବୀମା ଟଙ୍କା କରାଇଦେବି… ଘରକୁ ଆସିବି…ଏହି ଆଶ୍ୱାସନ ଦେଇ ଆଦିବାସୀ ବିଧବା ମହିଳାଙ୍କ ଘରେ ଘରେ ପହଞ୍ଚୁଥିଲେ ଜଣେ ବ୍ୟାଙ୍କ କର୍ମଚାରୀ। ବୀମା ଟଙ୍କା ଆସିଥିବା କହି ମହିଳାଙ୍କଠାରୁ ଜୋରଜବରଦସ୍ତ ଭାବେ ଟଙ୍କା ନେବା ସହ ଦୁର୍ବ୍ୟବହାର ଓ ଅସଦାଚରଣ କରୁଥିଲେ , ଏପରିକି ମହିଳାଙ୍କ ସହ ସେଲ୍ଫି ନେବା ନେଇ ମଧ୍ୟ ଅଭିଯୋଗ ରହିଛି।
ସେମାନଙ୍କ ଘରକୁ ବାରମ୍ବାର ଆସୁଥିଲେ
ଏଭଳି ସଙ୍ଗିନ ଅଭିଯୋଗ ଆସିଛି ସୁନ୍ଦରଗଡ଼ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ କେବଲାଙ୍ଗ ଥାନା ଅଞ୍ଚଳର ଚୋରଧରା ପଞ୍ଚାୟତ ଗଗନାପୋଷ ଗ୍ରାମରୁ।
ସ୍ଥାନୀୟ ତିନିଜଣ ଆଦିବାସୀ ବିଧବା ମହିଳାଙ୍କ ଅଭିଯୋଗ ଅନୁସାରେ, ଏସ୍ବିଆଇ ଉଲସୁରେଇ ଶାଖାର ଜଣେ କର୍ମଚାରୀ ପବିତ୍ର ବେହେରା ପ୍ରଧାନମନ୍ତ୍ରୀ ବୀମା ଯୋଜନାର ଟଙ୍କା କରାଇଦେବାକୁ କହି ସେମାନଙ୍କ ଘରକୁ ବାରମ୍ବାର ଆସୁଥିଲେ । ଏହି ସମୟରେ ମହିଳାଙ୍କ ସହ କୁନି କୁନି ଶିଶୁଙ୍କ ସମ୍ମୁଖରେ ଦୁର୍ବ୍ୟବହାର କରିବା ସହ ସେଲ୍ଫି ନେଉଥିବା ଏବଂ ଆକାଉଣ୍ଟରେ ଟଙ୍କା ଆସିଥିବା କହି ଜୋରଜବରଦସ୍ତ ଟଙ୍କା ନେଉଥିବା ଅଭିଯୋଗ କରିଥିଲେ। ମହିଳାମାନଙ୍କ ଦାବି ଅନୁଯାୟୀ, ଏହିପରି ଭାବେ ସେମାନଙ୍କଠାରୁ ମୋଟ ୭୦ ହଜାର ଟଙ୍କାରୁ ଅଧିକ ନିଆଯାଇଛି। ଏପରିକି ଆଉ ଟଙ୍କା ନଦେଲେ ଘରକୁ ଯିବାକୁ ଧମକ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ଅଭିଯୋଗର ସତ୍ୟତା ଜାଣିବା ପାଇଁ ତିନିଜଣ ମହିଳା ଲକ୍ଷ୍ମୀ ମୁଣ୍ଡା , ଦୁଲାରୀ ମୁଣ୍ଡାରୀ,ମାନି ମୁଣ୍ଡା ଓ ଗ୍ରାମର ଜଣେ ଯୁବକ ଶିବଶଙ୍କର ମୁଣ୍ଡାରୀଙ୍କ ସହ ଆମେ ଏସ୍ବିଆଇ ଉଲସୁରେଇ ଶାଖାରେ ପହଞ୍ଚିଥିଲୁ। ସେଠାରେ ଶାଖା ପରିଚାଳକ ଅମିତ କୁମାରଙ୍କ ସମ୍ମୁଖରେ ସମ୍ପୃକ୍ତ କର୍ମଚାରୀ ପବିତ୍ର ବେହେରାଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଉଚରା କରାଯାଇଥିଲା।
ମହିଳାମାନଙ୍କ ଅଭିଯୋଗ ନେଇ ପଚରାଉଚରା ସମୟରେ ସମ୍ପୃକ୍ତ କର୍ମଚାରୀ ବହୁ ଅଭିଯୋଗ ସ୍ୱୀକାର କରିଥିଲେ। ତେବେ ଘଟଣାର ପ୍ରକୃତ ସତ୍ୟତା ଓ ଟଙ୍କା ନେବାର ସମ୍ପୂର୍ଣ୍ଣ ତଥ୍ୟ ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏବେ ବଡ଼ ପ୍ରଶ୍ନ ଆର୍ଥିକ ଭାବେ ଅସହାୟ ଆଦିବାସୀ ବିଧବା ମହିଳାମାନଙ୍କୁ ଯଦି ସତରେ ବୀମା ଟଙ୍କା ନାଁରେ ଟଙ୍କା ଆଦାୟ କରାଯାଇଥାଏ, ତେବେ ଏହା ପଛରେ କାହାର କାହାର ଭୂମିକା ରହିଛି? ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ କେତେ ଗମ୍ଭୀରତାର ସହ ନେଉଛନ୍ତି ? ଆଉ କେତେ ନିରୀହ ବିଧବା ଏମିତି ଠକାମିର ଶୀକାର ହେଇଛନ୍ତି ,ମହିଳାମାନଙ୍କ ଟଙ୍କା ଫେରସ୍ତ ହେବ କି? ଏବଂ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ?
ଅମିତ୍ କୁମାର ( ବ୍ୟାଙ୍କ ଶାଖା ପରିଚାଳକ ) : ଘଟଣା ନିଶ୍ଚିତ ଭାବରେ ଏକ ବଡ଼ ଅପରାଧ, ଏ ସମ୍ପର୍କରେ ମହିଳାଙ୍କ ଅଭିଯୋଗ ଶୁଣିଲି ଏବଂ ଟଙ୍କା ଫେରସ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବା ସହ ତାଙ୍କ ଏବଂ ଆଉ କେହି ସମ୍ପୃକ୍ତ ନେଇ ତଦନ୍ତ କରୁଛି , ଦୃଢ କାର୍ଯ୍ୟାନୁଷ୍ଠାନ ସହ ଆଗକୁ ଯେମିତି ଏ ଘଟଣା ନ ଘଟେ ସେ ନେଇ ପଦକ୍ଷେପ ନବୁ ।
ଅଭିଯୋଗର ନିରପେକ୍ଷ ତଦନ୍ତ ହୋଇ ଯଦି ଦୋଷ ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ମହିଳାମାନଙ୍କ ଟଙ୍କା ଫେରସ୍ତ କରାଯିବା ଦାବି ଜୋର ଧରିଛି।
ସୌଜନ୍ୟ ସମ୍ବାଦ