ରାଜ୍ୟ

Panchayat vote: ଆଗକୁ ପଞ୍ଚାୟତ ଭୋଟ: ଦ୍ବିତୀୟ ସ୍ତରର ନେତା ଅଭାବ, ଶୀର୍ଷଙ୍କ ମୁଣ୍ଡରେ ସବୁ ଦାୟିତ୍ବ

ରାଜ୍ୟରେ ଯେଉଁ ଦଳର ସରକାର ଥାଉ, ବଲାଙ୍ଗୀର ଜିଲ୍ଲାରୁ ପ୍ରତିନିଧିତ୍ବ ସବୁବେଳେ ଓଜନଦାର ରହିଥାଏ। ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଏହାର ଏକ ସଦ୍ୟ ପ୍ରମାଣ।

ବଲାଙ୍ଗୀର: ରାଜ୍ୟରେ ଯେଉଁ ଦଳର ସରକାର ଥାଉ, ବଲାଙ୍ଗୀର ଜିଲ୍ଲାରୁ ପ୍ରତିନିଧିତ୍ବ ସବୁବେଳେ ଓଜନଦାର ରହିଥାଏ। ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଏହାର ଏକ ସଦ୍ୟ ପ୍ରମାଣ। ଆଗକୁ ପଞ୍ଚାୟତ ନିର୍ବାଚନ। ଗତ ସାଧାରଣ ନିର୍ବାଚନରେ ବଲାଙ୍ଗୀରକୁ ବାଦ୍‌ ଦେଇ ବାକି ୪ଟି ନିର୍ବାଚନମଣ୍ଡଳୀରେ ବିଜେପି ବାଜି ମାରିଥିଲା। ଏବେ ସେହି ବିଜୟୀ ପ୍ରାର୍ଥୀଙ୍କ ଅସଲ ରିପୋର୍ଟ କାର୍ଡ ପଞ୍ଚାୟତ ନିର୍ବାଚନରେ ଖୋଲିବ। ତେଣୁ, ସ୍ବାଭାବିକ ଭାବେ ବିଜେପି ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ବର ସହ ନେଇଛି। କିଛି ଦିନ ତଳେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବଛାବଛା ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ଫେରିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବାକୁ ମନ୍ତ୍ର ଦେଇ ଶ୍ରୀ ସାମଲ ବାହୁଡ଼ିଛନ୍ତି। କିନ୍ତୁ, ଜିଲ୍ଲାରେ ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ସେଭଳି ସକ୍ରିୟ ହେଲା ଭଳି ମନେ ହେଉନାହିଁ। ପ୍ରଥମତଃ, ଦଳରେ କୌଣସି ନିର୍ବାଚନମଣ୍ଡଳୀରେ ଦ୍ବିତୀୟ ସ୍ତରର ନେତା ନାହାନ୍ତି। ମନ୍ତ୍ରୀ ଏବଂ ବିଧାୟକମାନେ ବର୍ଷର ଅଧିକାଂଶ ସମୟ ଭୁବନେଶ୍ବରରେ ରହୁଛନ୍ତି।

ଶୀର୍ଷଙ୍କ ମୁଣ୍ଡରେ ସବୁ ଦାୟିତ୍ବ
ଜିଲ୍ଲା ଗଠନ ପ୍ରସଙ୍ଗରେ ସଭିଏଁ ଚୁପ୍‌

ଅତି ଜରୁରି କାର୍ଯ୍ୟକ୍ରମ ଥିଲେ ସେମାନେ ନିର୍ବାଚନମଣ୍ଡଳୀରେ ରହୁଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ନିର୍ବାଚନମଣ୍ଡଳୀରେ ସଂଗଠନ ପରିଚାଳନା କରିବାକୁ ଆଉ ନେତା ନାହାନ୍ତି। ଜିଲ୍ଲା ସଂଗଠନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପସ୍ଥିତି ଉପରେ ନିର୍ଭର କରୁଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତି ରହିଲେ ବିଜେପିକୁ ବହୁ ମହଙ୍ଗା ପଡ଼ିବ ବୋଲି ସମୀକ୍ଷକମାନେ ମତ ରଖୁଛନ୍ତି। ବଲାଙ୍ଗୀରକୁ କୌଣସି ବଡ଼ ପ୍ରକଳ୍ପ ଆଣିବା, ଆଖିଦୃଶିଆ ଯୋଜନା ପ୍ରଣୟନ କରିବାରେ ଦଳ ବିଫଳ ହୋଇଛି। ବରଂ, ଧାନକିଣା ବିଭ୍ରାଟ, ଦାଦନ ସୁଅ ମାମଲାରେ ଦଳ ସମାଲୋଚନାର ଶିକାର ହେଉଛି। ଉଭୟ ପ୍ରସଙ୍ଗରେ ବିରୋଧୀ ଦଳ ବିଜେପିକୁ ଘେରିବାର ସହଜ ବାଟ ପାଇଛନ୍ତି। କେବଳ ରାଜନୈତିକ ଦୃଷ୍ଟିକୋଣରୁ ବିଜେପି ସେଭଳି କିଛି ଆଖିଦୃଶିଆ ଅଗ୍ରଗତି କରିନାହିଁ। କ୍ଷମତା କେବଳ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକଙ୍କ ହାତରେ ସୀମିତ ରହିଛି। ପୁରୁଖା ନେତାଙ୍କ ନିଗମ କିମ୍ବା ପରିଷଦ ପଦ ପାଇବା ଆଶା ମଉଳି ଯାଇଛି। ଫଳରେ ପଞ୍ଚାୟତ ନିର୍ବାଚନ ପାଇଁ ଶିବିରରେ ଉତ୍ସାହ ନାହିଁ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button