ମହାନଗର

Gopal Teerth Math: ଭୁଶୁଡ଼ିପଡ଼ିବ ଗୋପାଳତୀର୍ଥ ମଠ: ସୁରକ୍ଷା ଦାବି କଲା ଏକାମ୍ର ଜନ ଜାଗରଣ ମଞ୍ଚ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଖ ଗୋପାଳତୀର୍ଥ ମଠର ସୁରକ୍ଷା ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ଏ ସଂପର୍କରେ ମଞ୍ଚ ମଠର ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛି।

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଖ ଗୋପାଳତୀର୍ଥ ମଠର ସୁରକ୍ଷା ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ଏ ସଂପର୍କରେ ମଞ୍ଚ ମଠର ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛି। ମଞ୍ଚ ଅଭିଯୋଗ କରିଛି, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ନୀତିକାନ୍ତି ସହ ଗୋପାଳତୀର୍ଥ ମଠର ସେବା ଜଡ଼ିତ। କିନ୍ତୁ ତଥାକଥିତ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ଆଳରେ ଏହାର ଅସ୍ତିତ୍ବ ହଜାଇ ଦିଆଯାଇଛି। ଜନପ୍ରତିବାଦ କାରଣରୁ ଗୋପାଳତୀର୍ଥ ମଠର ଗାଦିଘର ଭଙ୍ଗାଯିବାରୁ ଅଳ୍ପକେ ବର୍ତ୍ତିଯାଇଛି। କିନ୍ତୁ ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ କୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ପଡ଼ିବା ସମ୍ଭାବନା ରହିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ବହୁବାର ପ୍ରଶାସନକୁ ଅନୁରୋଧ ସତ୍ତ୍ବେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।

ଏ ଭିତରେ ଗୋପାଳତୀର୍ଥ ମଠର କାନ୍ଥରେ ବଡ଼ ବଡ଼ ଗଛ ଉଠିବା ସହ କାନ୍ଥ ଫାଟି ଆଁ କଲାଣି। ଏଣୁ ଏହାର ତ୍ବରିତ ସଂରକ୍ଷଣ ପାଇଁ ସଂଗଠନ ଦାବି କରିଛି। ଦେବୋତ୍ତର ବିଭାଗ ଏହି ମଠର ସୁରକ୍ଷା ନ କରିପାରିଲେ, ଆମେ ନିଜସ୍ବ ଖର୍ଚ୍ଚରେ ଏହାକୁ ସୁରକ୍ଷିତ କରିବାକୁ ପ୍ରସ୍ତୁତ ଅଛୁ। ଏଣୁ ପ୍ରଶାସନ ଯଦି ନିଜେ ନ କରି ପାରୁଛି, ଆମକୁ ଗୋପାଳତୀର୍ଥ ମଠର ସୁରକ୍ଷା ଦିଗରେ ଆବଶ୍ୟକ ପଦ‌କ୍ଷେପ ନେବାକୁ ଅନୁମତି ଦେଉ ବୋଲି ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି। ଅପରପକ୍ଷେ, ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ବାର ନିକଟରେ ଇ-ହୁଣ୍ଡି ସ୍ଥାପନ ପାଇଁ ମଞ୍ଚ ଦାବି କରିଛି। ମଞ୍ଚ କହିଛି, ଆଜିର ଡିଜିଟାଲ ଯୁଗରେ ଲୋକେ କ୍ୟାସଲେସ୍‌ ବ୍ୟବସ୍ଥାକୁ ଅଧିକ ପସନ୍ଦ କରୁଛନ୍ତି। ମୋବାଇଲ୍‌ ନମ୍ବର କିମ୍ବା କ୍ୟୁଆର କୋଡ୍‌ରେ ଟଙ୍କା ପଠାଉଛନ୍ତି। ଶ୍ରଲିଙ୍ଗରାଜଙ୍କ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଦାନ କରିବାକୁ ଚାହୁଁଥିଲେ ବି ପାଖରେ ଟଙ୍କା ରଖୁନଥିବାରୁ ଦାନ କରି ପାରୁନାହାନ୍ତି। ଏଣୁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ନିକଟରେ କ୍ୟୁଆର୍‌ କୋଡ୍‌ ସହିତ ହୁଣ୍ଡି ସ୍ଥାପନ କରିବାକୁ ମଞ୍ଚ ଦାବି କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button