ମହାନଗର

Urban wastewater recycling: ବ୍ୟାପକ ହେବ ସହରାଞ୍ଚଳ ବର୍ଜ୍ୟଜଳ ପୁନଃବ୍ୟବହାର ପ୍ରକଳ୍ପ: ବ୍ୟବହୃତ ଜଳ ପରିଚାଳନା ଉପରେ ବୈଷୟିକ ସମ୍ମିଳନୀ

ବ୍ୟବହୃତ ଜଳର ପୁନର୍ବ୍ୟବହାର ହେବ। ଏ ଉପରେ ବୈଷୟିକ ଅଧିକାରୀମାନେ ବ୍ୟାପକ ବିଚାରବିମର୍ଶ କରିଛନ୍ତି। ଓଡ଼ିଶା ଅର୍ବାନ କନକ୍ଲେଭ୍-୨୦୨୬ ଅବସରରେ ବ୍ୟବହୃତ ଜଳ ପରିଚାଳନା....

ଭୁବନେଶ୍ୱର: ବ୍ୟବହୃତ ଜଳର ପୁନର୍ବ୍ୟବହାର ହେବ। ଏ ଉପରେ ବୈଷୟିକ ଅଧିକାରୀମାନେ ବ୍ୟାପକ ବିଚାରବିମର୍ଶ କରିଛନ୍ତି। ଓଡ଼ିଶା ଅର୍ବାନ କନକ୍ଲେଭ୍-୨୦୨୬ ଅବସରରେ ବ୍ୟବହୃତ ଜଳ ପରିଚାଳନା ଉପରେ ବୈଷୟିକ ସମ୍ମିଳନୀ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ଶିଳ୍ପ ପ୍ରତିନିଧିମାନେ ଯୋଗଦେଇ ବର୍ଜ୍ୟଜଳ ବିଶୋଧନ, ପୁନଃବ୍ୟବହାର ଓ ସମ୍ପଦ ପୁନରୁଦ୍ଧାର ପାଇଁ ସ୍ଥାୟୀ, ନିରାପଦ ତଥା ଆର୍ଥିକ ଦୃଷ୍ଟିକୋଣରୁ ସୁଲଭ ଉପାୟ ଉପରେ ଆଲୋଚନା କରିଛନ୍ତି।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ରୁତ ସହରୀକରଣ ପରିପ୍ରେକ୍ଷୀରେ ପ୍ରଭାବଶାଳୀ ବ୍ୟବହୃତ ଜଳ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶୋଧିତ ବର୍ଜ୍ୟଜଳ, କାଦୁଅ ଓ ଅନ୍ୟ ଅବଶେଷର ନିରାପଦ ପରିଚାଳନା ଉପରେ ଜୋର ଦେଇଥିଲେ। ବର୍ଜ୍ୟଜଳକୁ ଆବର୍ଜନା ପରିବର୍ତ୍ତେ ଏକ ମୂଲ୍ୟବାନ ସମ୍ପଦରେ ପରିଣତ କରିପାରୁଥିବା ସମାଧାନ ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ସହରାଞ୍ଚଳ ବର୍ଜ୍ୟଜଳ ପରିଚାଳନା ପାଇଁ ସରକାରୀ ସଂସ୍ଥା, ବୈଷୟିକ ପ୍ରତିଷ୍ଠାନ, କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତା ଓ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ବ୍ୟକ୍ତିବିଶେଷ ସମନ୍ବିତ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବିଶୋଧିତ ଜଳର ଯୋଜନାବଦ୍ଧ ଓ ନିରାପଦ ପୁନଃବ୍ୟବହାର ଦିଗରେ ଗୁରୁତ୍ବାରୋପ କରିଥିଲେ।

ସିପିଏଚ୍‌ଇଇଓ ଡ. ଭି. କେ. ଚୌରାସିଆ, ବିଭାଗୀୟ ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଆଇଆଇଟି ରୁର୍‌କିର ପ୍ରଫେସର ଭାସ୍କର ଜ୍ୟୋତି ଡେକା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ରାଜେଶ ରୋଷନ ଦାଶ, ଡ. ନୀତିନ ବାସି, ସୁବ୍ରତ ଚକ୍ରବର୍ତ୍ତୀ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଇଂ. ଅବିନାଶ ରାଉଳ ପ୍ରମୁଖ ବର୍ଜ୍ୟଜଳ ଓ କାଦୁଅ ପରିଚାଳନା ଦିଗରେ ବୈଷୟିକ ପରାମର୍ଶ ଦେଇଥିଲେ। ଜନସ୍ୱାସ୍ଥ୍ୟ ମୁଖ୍ୟଯନ୍ତ୍ରୀ ଇଂ. ବିଳାସ ବେହେରା, ୱାଟ୍‌କୋ ପରିଚାଳନା ନିର୍ଦ୍ଦେଶକ ଇଂ. ଦେବବ୍ରତ ମହାନ୍ତି, ମୁଖ୍ୟଯନ୍ତ୍ରୀ ଇଂ. ଭାଗ୍ୟଧର ମହାନ୍ତି ସମ୍ମିଳନୀ ପରିଚାଳନା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button