Low Pressure: ଆଜିଠୁ ବଢ଼ିପାରେ ବର୍ଷା, କାଲି ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭/୦୮: ଗୁରୁବାରଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ । ବିସ୍ତୃତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି ।
୨୮ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୩୦ ବା ୩୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ବର୍ଷା ଲାଗି ରହିବ । ସେପଟେ ମହାନଦୀରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । କିନ୍ତୁ ବିପଦ ସମ୍ପୂର୍ଣ୍ଣ ଟଳିନି । ହୀରାକୁଦରୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୩୪ହଜାର ଘନଫୁଟ ପାଣି ପ୍ରବେଶ କରୁଛି । ୧୬ଟି ଗେଟ୍ ଜରିଆରେ ୨ଲକ୍ଷ ୯୦ ହଜାର ଘନଫୁଟ ପାଣି ଛଡ଼ାଯାଉଛି । ରାତି ୯ଟା ସୁଦ୍ଧା ମୁଣ୍ଡଳୀରେ ୬ଲକ୍ଷ ୬୯ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା । ଖଇରମାଳରେ ୪ଲକ୍ଷ ୪୮ହଜାର ଓ ବରମୂଳରେ ୪ଲକ୍ଷ ୭୬ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା । ଗୁରୁବାର ଏହା ଆହୁରି କମିଯିବ । ମୁଣ୍ଡଳୀରେ ପାଣି କମିବା ସହ ତଳ ଅଞ୍ଚଳରୁ ପାଣି ନିଷ୍କାସିତ ହୋଇଯିବ । ଏଣୁ ସେଭଳି ବନ୍ୟା ପରିସ୍ଥିତି ରହିବନି । ସକାଳ ସୁଦ୍ଧା ମୁଣ୍ଡଳୀରେ ପାଣି ୬ଲକ୍ଷକୁ ଖସିପାରେ ବୋଲି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି ।
ସେପଟେ ଗୁରୁବାର ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ନିଷ୍କାସନରେ ସମସ୍ୟା ହୋଇପାରେ । ସମୁଦ୍ରରେ ଉଚ୍ଚ ଜୁଆର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରୁ ପାଣି ଶୀଘ୍ର ଖସିବନି । ଫଳରେ ମହାନଦୀର ପାଣି ତଳିଆ ଅଞ୍ଚଳରେ ନିଷ୍କାସନ ହେବାରେ ସମୟ ଲାଗିପାରେ । ବାଙ୍କୀର କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ତାଳବସ୍ତ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେବଳ ମହାନଦୀ ନୁହେଁ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀ ସ୍ଥିତିରେ ସୁଧାର ଆସିଛି । ବୈତରଣୀର ଆଖୁଆପଦାଠାରେ ଦିନରେ ଜଳସ୍ତର ୧୮.୩୫ ମିଟର ଥିବାବେଳେ ରାତି ସୁଦ୍ଧା ୧୭.୪୯ ମିଟରକୁ ଖସିଛି । ବ୍ରାହ୍ମଣୀରେ ବିପଦ ଏବେବି ଟଳିନି । ଜେନାପୁରଠାରେ ବ୍ରାହ୍ମଣୀର ଜଳସ୍ତର ବଢ଼ି ୨୧.୦୭ ମିଟରରେ ପହଞ୍ଚିଛି । କେନ୍ଦ୍ରାପଡ଼ାର ୫ଟି ବ୍ଲକ୍ , ଭଦ୍ରକର ୨ଟି ବ୍ଲକ୍ ଏବଂ ଯାଜପୁରର ୨ଟି ବ୍ଲକ୍ ବନ୍ୟାରେ ପ୍ରଭାବିତ ହୋଇଛି । ୬୮ଟି ପଞ୍ଚାୟତର ୧୮୯ଟି ଗାଁର ୮୦୨୮୪ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୧ଲକ୍ଷ ୨ହଜାର ୪୮୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୨୧ଟି ଓଡ୍ରାଫ୍, ୧ଟି ଏନଡିଆରଏଫ, ୩୩ଟି ଅଗ୍ନିଶମ ଓ ସ୍ଥାନୀୟ ଟିମକୁ ମିଶାଇ ମୋଟ ୫୭ଟି ଟିମ୍ ନିୟୋଜିତ ହୋଇଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍, ୩୦ଟି ଗ୍ରାମ ପଞ୍ଚାୟତର ୫୫ଟି ଗ୍ରାମ ଏବଂ ୪,୭୧୦ ଜଣ ଲୋକ ପ୍ରଭାବିତ ଥିବା ବେଳେ ଭଦ୍ରକ ଜିଲ୍ଲାର ୨ଟି ବ୍ଲକ୍, ୧୮ଟି ପଞ୍ଚାୟତ, ୭୦ଟି ଗାଁ ଓ ୨୫,୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁରର ୨ଟି ବ୍ଲକ୍, ୨୦ଟି ପଞ୍ଚାୟତ, ୬୪ଟି ଗାଁ ଓ ୫୦,୧୪୨ ଜଣ ଲୋକ ପ୍ରଭାବିତ ଅଛନ୍ତି । ଏବେସୁଦ୍ଧା ମୋଟ ୪୧,୭୬୧ ଜଣ ଉଦ୍ଧାର ହୋଇଛନ୍ତି । ୭୬,୦୫୧ ଜଣଙ୍କୁ ଡଙ୍ଗା ଦ୍ୱାରା ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ୭୭୫ଟି ବିଚ୍ଛିନ୍ନ ଗ୍ରାମକୁ ପୁନଃ ଯୋଗାଯୋଗ ସଂଯୋଗ କରାଯାଇଛି । ଜରୁରୀକାଳୀନ ଚିକିତ୍ସା ପାଇଁ ବେଳେ ୨୧୫ ଜଣଙ୍କୁ ନିଆଯାଇଥିବା ସରକାର ସୂଚନା ଦେଇଛନ୍ତି । ଯାଜପୁରରେ ୩୦୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୪୯ଜଣଙ୍କୁ ସାପ କାମୁଡ଼ିଛି ।
ବନ୍ୟା ଓ ଲଗାଣ ବର୍ଷାରେ ପ୍ରଭାବିତ ୧୦ ଜିଲ୍ଲାରେ ୮୮ଟି ରାସ୍ତା ତଥା ପୋଲ ପ୍ରଭାବିତ ହୋଇଛି । ପ୍ରାୟ ୧ଲକ୍ଷ ୨ହଜାର ୪୮୧ ହେକ୍ଟର ଜମିରେ ଧାନ ଫସଲ ପ୍ରଭାବିତ ହୋଇଛି । ୫,୬୦,୩୫୬ ପଶୁ ସମ୍ପଦ ଓ ୫୬,୯୮୩ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ରାଜ୍ୟରେ ଉଦ୍ଧାରକାରୀ ଟିମ୍, ଖାଦ୍ୟ, ବିଶୁଦ୍ଧ ପିଇବା ପାଣି, ଔଷଧ ବା ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ । ଆବଶ୍ୟକତା ଅନୁସାରେ ଅଧିକ ସମ୍ବଳ ଯୋଗାଇବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
ସୌଜନ୍ୟ ପ୍ରମେୟ




