ଜାତୀୟ

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ ସିଜେପି କର୍ମୀମାନେ ‘ସ୍କୁଲ ଠିକ୍‌ କରୋ’ ଅଭିଯାନରେ ଆସି ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ପରେ ରାଜସ୍ଥାନ ସରକାର ସ୍କୁଲର ନୂତନ କୋଠା ନିର୍ମାଣ ପାଇଁ ମଞ୍ଜୁରି ଦେଇଛନ୍ତି। ସିଜେପି ପ୍ରବକ୍ତା ଆଶୁତୋଷ ରାଙ୍କା କହିଛନ୍ତି, ରାମପୁରା ସ୍କୁଲକୁ ନେଇ ସେମାନଙ୍କର ତତ୍କାଳ ଦାବି ପୂରଣ ହୋଇଛି, କିନ୍ତୁ ସରକାରୀ ସ୍କୁଲଗୁଡ଼ିକର ସ୍ଥିତି ସୁଧାରିବା ପାଇଁ ସେମାନଙ୍କର ଅଭିଯାନ ଜାରି ରହିବ। ଆମେ ସେଠାକୁ ଭୋଟ ମାଗିବାକୁ ଯାଇ ନ ଥିଲୁ। ସ୍କୁଲର ସମସ୍ୟା ସୁଧାରିବା ପାଇଁ ଆଲୋଚନା କରିବାକୁ ଯାଇଥିଲୁ। ସେପ୍ଟେମ୍ବର ୧ରୁ କାର୍ଯ୍ୟ ଆରମ୍ଭ ପାଇଁ ସରକାର ମଞ୍ଜୁରୀ ଦେଇଥିବାରୁ ଆମର ୪୮ ଘଣ୍ଟିଆ ଚେତାବନୀ ସହ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ରାଙ୍କା ପ୍ରକାଶ କରିଛନ୍ତି।
ଉତ୍ତର ପ୍ରଦେଶର ଲକ୍ଷ୍ନୌ, କନ୍ନୌଜ, ଉନ୍ନାଓ ଓ ଫତେପୁରରେ ଛାତ୍ରୀଛାତ୍ରମାନେ ଶିକ୍ଷକ ଅଭାବ, ଅସୁରକ୍ଷିତ ପାନୀୟ ଜଳ ଏବଂ ପ୍ରଧାନଶିକ୍ଷକଙ୍କ ମନମୁଖି ଶାସନ ବିରୋଧରେ ରାସ୍ତା ଅବରୋଧ କରିଥିଲେ। ଲକ୍ଷ୍ନୌରେ ବୋର୍ଡ ପରୀକ୍ଷା ପାଖେଇ ଆସୁଥିଲେ ବି ବିଜ୍ଞାନ ଶିକ୍ଷକ ନ ଥିବାରୁ ପ୍ରବଳ ବର୍ଷା ମଧ୍ୟରେ ଛାତ୍ରୀମାନେ ବିକ୍ଷୋଭ କରିଥିଲେ। ସେହିପରି ରାଜସ୍ଥାନର ଆଜମେରରେ ଜଣେ ପ୍ରଧାନଶିକ୍ଷକଙ୍କ ଯୌନ ନିର୍ଯାତନା ବିରୋଧରେ ଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କ ମୁହଁରେ କାଳି ବୋଳି ପୋଲିସରେ ଏତଲା ଦେଇଛନ୍ତି। ଜୟପୁରର ଆନନ୍ଦୀଲାଲ ପୋଦ୍ଦାର ବୋବି-କାଲ ସ୍କୁଲର ଛାତ୍ରୀଛାତ୍ରମାନେ ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ନେଇ ସାଙ୍କେତିକ ଭାଷାରେ ପ୍ରତିବାଦ କରିବା ପରେ ପ୍ରଧାନଶିକ୍ଷକଙ୍କୁ ହଟାଯାଇଛି। ମଧ୍ୟପ୍ରଦେଶରେ ୨୫,୦୦୦ରୁ ଅଧିକ ସରକାରୀ ସ୍କୁଲ ବନ୍ଦ ହେବା ଓ ଦଦରା କୋଠା ବିରୋଧରେ ୩୬ଟି ଜିଲାର ଛାତ୍ରୀଛାତ୍ର ଓ ଶିକ୍ଷକ ଆଶାୟୀମାନେ ‘ସ୍କୁଲ ବଞ୍ଚାଓ’ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ପ୍ରଫେସର ପ୍ରଭୁ ମହାପାତ୍ର କହିଛନ୍ତି, ଶିକ୍ଷାନୀତିରେ ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅଂଶୀଦାର ଭାବେ ଗ୍ରହଣ ନ କରିବାର ଏହା ଏକ ପରିଣାମ। ଶିକ୍ଷାର ମାନ, ଶିକ୍ଷକଙ୍କ ଉପଲବ୍ଧତା ଓ ଭିତ୍ତିଭୂମିରେ କ୍ରମାଗତ ଅବନତି ଯୋଗୁ ବିଶେଷକରି ଉତ୍ତର ଓ ପୂର୍ବ ଭାରତରେ ଏହି ସମସ୍ୟା ଗୁରୁତର ରୂପ ନେଇଛି। ଏହି କ୍ରମରେ ସିଜେପିର ‘ସ୍କୁଲ ଠିକ୍‌ କରୋ’ ଅଭିଯାନ ସହ ଆଗାମୀ ୩ ମାସ ପାଇଁ ‘ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ’ (ଏସ୍‌ଏଫ୍‌ଆଇ) ସାରା ଦେଶରେ ‘ସ୍କୁଲ ବଞ୍ଚାଓ ଆନ୍ଦୋଳନ’ କରିବାକୁ ଘୋଷଣା କରିଛି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button