କାଠମାଣ୍ଡୁ: ନେପାଳ ଓ ତିବ୍ବତ ସୀମାରେ ବୁଧବାର ଗ୍ଲାସିୟର
ଭୂସ୍ଖଳନଜନିତ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬୦୦ରେ ପହଞ୍ଚିଛି। ସେହିପରି ନଦୀର ଉପରମୁଣ୍ଡରେ ସୃଷ୍ଟି ହୋଇଥିବା ଏକ ବିଶାଳ ପ୍ରାକୃତିକ ହ୍ରଦ ଉଛୁଳିବା ଆରମ୍ଭ କରିଥିବାରୁ ଦ୍ୱିତୀୟ ବଡ଼ ବନ୍ୟାର ଆଶଙ୍କା ଦେଖାଦେଇଛି। ଚୀନ୍ ସୀମାନ୍ତ ଗ୍ୟାରୋଙ୍ଗ ବନ୍ଦରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏହି ଅସ୍ଥାୟୀ ହ୍ରଦରେ ୨୦ ଲକ୍ଷ କ୍ୟୁବିକ୍ ମିଟରରୁ ଅଧିକ ଜଳ ଜମା ହୋଇରହିଛି। ସେଠାରେ ସ୍ଥିତି ଅତି ବିପଜ୍ଜନକ ଥିବାରୁ ଚୀନ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ନେପାଳ ପୁଲିସ ଓ ସେନା ପକ୍ଷରୁ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀକୂଳରେ ଥିବା ସମସ୍ତ ଜନବସତି ପାଇଁ ଜରୁରିକାଳୀନ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୀମାର ଦୁଇ ପାର୍ଶ୍ୱରେ ମୋଟ ୧,୪୬୮ ଜଣ ଲୋକ ନିଖୋଜ ଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି।
ନେପାଳରେ ୯୧୦, ତିବ୍ବତରେ ୫୫୮ ନିଖୋଜ
୩୨୦ ଭାରତୀୟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ମହାବିପର୍ଯ୍ୟୟରୁ ଉଦ୍ଧାର ହୋଇଥିବା ୨୧ ଜଣ ଭାରତୀୟ ନାଗରିକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି। ସେହିପରି ଅଗଷ୍ଟ ୨୧ ତାରିଖରେ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଆନ୍ଧ୍ରପ୍ରଦେଶର ୨୮ ଜଣ ତୀର୍ଥଯାତ୍ରୀ ଜଳ ପ୍ରଳୟ ସୃଷ୍ଟି ହେବା ପୂର୍ବରୁ ସୀମାନ୍ତ ଇମିଗ୍ରେସନ୍ ଅଫିସ ଅତିକ୍ରମ କରିଯାଇଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ନିଖୋଜ ଲୋକଙ୍କ ମଧ୍ୟରେ ୩୨୦ ଜଣ ଭାରତୀୟ ଏବଂ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ସାମିଲ ଅଛନ୍ତି। ୩୨୦ ଭାରତୀୟଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନଥିବା ସରକାର ସୂଚନା ଦେଇଛନ୍ତି। ଅପରପକ୍ଷରେ ତିବ୍ବତ ସୀମାରେ ଅଟକି ରହିଥିବା ପ୍ରାୟ ୪୦୦ ଭାରତୀୟ ସୁରକ୍ଷିତ ଥିବା ବେଳେ ୯୩ ଜଣ ନାଗରିକ ସଫଳତାର ସହ ନେପାଳ ମଧ୍ୟକୁ ପ୍ରବେଶ କରିଛନ୍ତି। ଭାରତ ସରକାର ଆଜି ସନ୍ଧ୍ୟାରେ ପଠାଇଥିବା ତୃତୀୟ ସ୍ୱତନ୍ତ୍ର ରିଲିଫ୍ ବିମାନରେ ୧୨ରୁ ୧୩ ଟନ୍ ଓଜନର ପୋର୍ଟେବଲ୍ ଜେନେରେଟର, ଜରୁରିକାଳୀନ ମେଡିକାଲ କିଟ୍ ଏବଂ ସୋଲାର ଲ୍ୟାମ୍ପ ସାମଗ୍ରୀ ପଠାଯାଇଛି।
ଉପଗ୍ରହ ଚିତ୍ରରୁ ଗ୍ଲାସିୟର ଭୂସ୍ଖଳନ ସ୍ଥଳ ନିକଟରେ ଦୁଇଟି କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିବା ବେଳେ ତାହା ଯେକୌଣସି ସମୟରେ ଫାଟିବାର ଭୟ ରହିଛି। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନେପାଳ ପ୍ରଶାସନ ନଦୀର ନିମ୍ନମୁଣ୍ଡରେ ଥିବା ତିମୁରେ ଅଞ୍ଚଳରେ ସ୍ୱତନ୍ତ୍ର କ୍ୟାମେରା ଓ ସେନ୍ସର ଲଗାଇବାକୁ ଯୋଜନା କରିଛି। ଏହି ବନ୍ୟା ବିଭୀଷିକା ଯୋଗୁଁ ତ୍ରିଶୂଳୀ ଏବଂ ଦେବୀଘାଟ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ତ୍ରିଶୂଳୀ-୧ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିବା ପ୍ରାୟ ୩୫୦ ଜଣ ଶ୍ରମିକ ଓ ସ୍ଥାନୀୟ କର୍ମଚାରୀଙ୍କୁ ନେପାଳ ସେନା ପକ୍ଷରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେ ବି ୧୦୦ରୁ ଅଧିକ ଲୋକ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ସେନା ହେଲିକପ୍ଟର ମାଧ୍ୟମରେ ୮୦୦ ଏବଂ ସ୍ଥଳପଥରେ ୭୦୦ ବିପନ୍ନଙ୍କୁ ଉଦ୍ଧାର କରାଯାଇଛି। ମୋଟ ନିଖୋଜ ଲୋକଙ୍କ ମଧ୍ୟରୁ ୬୪୪ ଜଣ ବିଦେଶୀ ନାଗରିକ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକଟ କରାଯାଇଛି।