ମହାନଗର

Empty playground: ଉଜୁଡ଼ା କ୍ରୀଡ଼ାଭୂମି ଅଲୋଡ଼ା ପ୍ରତିଭା

ଆଲୋଡ଼ା ହେବେନି କ୍ରୀଡ଼ା ପ୍ରତିଭା। ପ୍ରତିଭାର ବିକାଶ ପାଇଁ କ୍ରୀଡ଼ାର ଭିତ୍ତିଭୂମି ଯୋଗାଇଦେବେ ସରକାର। ଫୁଟ୍‌ବଲ୍‌, କ୍ରିକେଟ୍‌, କବାଡ଼ି, ‌ଖୋ ଖୋ, ସବୁ ଖେଳାଳି ସମାନ ସୁବିଧା ସୁଯୋଗ ପାଇବେ।

ଭୁବନେଶ୍ବର (ସୁମନ୍ତ ପରିଡ଼ା): ଆଲୋଡ଼ା ହେବେନି କ୍ରୀଡ଼ା ପ୍ରତିଭା। ପ୍ରତିଭାର ବିକାଶ ପାଇଁ କ୍ରୀଡ଼ାର ଭିତ୍ତିଭୂମି ଯୋଗାଇଦେବେ ସରକାର। ଫୁଟ୍‌ବଲ୍‌, କ୍ରିକେଟ୍‌, କବାଡ଼ି, ‌ଖୋ ଖୋ, ସବୁ ଖେଳାଳି ସମାନ ସୁବିଧା ସୁଯୋଗ ପାଇବେ। ଏଥିପାଇଁ ଭୁବନେଶ୍ବରର ବଛା ବଛା ଖେଳପଡ଼ିଆର ବିକାଶ କରାଯିବ। ୨ ବର୍ଷ ତଳେ ଏଭଳି କିଛି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଯୋଜନା ଅନୁସାରେ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ବିଡିଏ ପକ୍ଷରୁ ୧୯ଟି ଖେଳପଡ଼ିଆ ବିକାଶ ବି ହେଲା। ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ କାମ ସରିବା ବର୍ଷେ ବିତିଗଲାଣି, ଅଦ୍ୟାବଧି ଏହା ଲୋକାର୍ପଣ ହୋଇପାରିନି।

ଦୁର୍ଭାଗ୍ୟର କଥା ଅଦ୍ୟାବଧି ପଡ଼ିଆ ବି ବିଡିଏକୁ ହସ୍ତାନ୍ତର ହୋଇପାରିନି। ଏବେ ବି ଏହା ଠିକାଦାରଙ୍କ ହାତରେ ରହିଛି। ଫଳସ୍ବରୂପ ଯେଉଁ ସବୁ ବିକାଶ କରାଯାଇଥିଲା, ତାହା ଉଜୁଡ଼ିବାରେ ଲାଗିଲାଣି। ଖେଳପଡ଼ିଆର ପୋଷାକ ବଦଳା ଗୃହ, ସୁରକ୍ଷାକର୍ମୀ ଗୃହ ସବୁ ଭୂତ କୋଠି ପାଲଟିଲାଣି। ଦାମୀ ଘାସ ଗାଲିଚା ବି ନଷ୍ଟ ହୋଇଗଲାଣି। ଘାସ ଗାଲିଚା ବଞ୍ଚାଇବାକୁ ତଥା ପାଣି ସିଞ୍ଚନ ପାଇଁ ଲାଗିଥିବା ଦାମୀ ଯନ୍ତ୍ରାଂଶ, ସ୍ପ୍ରିଙ୍କଲର, ରେନ୍‌ ଗଜ୍‌ ବି ଅନେକ ଜାଗାରେ ପଡ଼ି ପଡ଼ି ନଷ୍ଟ ହେଲାଣି। ଯେଉଁ ପଡ଼ିଆକୁ କୋଟି କୋଟି ଟଙ୍କାରେ ଚିକ୍କଣ କରାଯାଇଥିଲା, ସେଠାକୁ ଯିବାକୁ ଡର ଲାଗୁଛି। କେତେକ ଜବରଦଖଲକୁ ଚାଲିଗଲାଣି। କେଉଁଠି କବାଡ଼ିଆ ସାମଗ୍ରୀ ଗଦା ହୋଇଛି ତ ଆଉ କେଉଁଠି କାର ଓ ବଡ଼ ବଡ଼ ଗାଡ଼ି ପାର୍କିଂ ହେଉଛି। କିଛି ନିଶାଗସ୍ତଙ୍କ କବଳକୁ ଚାଲିଗଲାଣି। ଅପରପକ୍ଷେ ଯେଉଁ କ୍ରୀଡ଼ା ପ୍ରତିଭାମାନେ ଏ ଆଶା ରଖିଥିଲେ ଯେ ପଡ଼ିଆ ଉନ୍ନତୀକରଣ ପରେ ସେମାନେ ଏଠାରେ ନିୟମିତ ଅଭ୍ୟାସ କରିବେ ଓ ଭାଗ୍ୟ ଗଢ଼ିବେ, ସେମାନଙ୍କ ଆଶା ବି ମଉଳିଗଲାଣି।

‘ଆମ ଭୂମି’ ଆପ୍‌ ଅଚଳ

ଖେଳପଡ଼ିଆର ବିକାଶ ‘ଆମ ଭୂମି’ (ଆସ୍ୟୁର୍‌ଡ ମାସ୍‌ ଆସେସ୍‌ ଥ୍ରୁ ଭୁବନେଶ୍ବର ଓପନ୍‌ ସ୍ପେସ୍‌ ଓନର୍‌ସିପ୍‌ ମ୍ୟାନେଜମେଣ୍ଟ ଇନିସିଏଟିଭ୍‌) ଯୋଜନାରେ କରାଯାଇଥିଲା। ‘ଆମ ଭୂମି’ ଯୋଜନା ଆମେରିକା, ଇଂଲଣ୍ଡ ଭଳି ଉନ୍ନତ ଦେଶର ଅବିକଳ ନକଲ। ସେଠାରେ ଖାଲି ଜାଗାକୁ ଖେଳ ପଡ଼ିଆରେ ପରିଣତ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର କରିଥିଲେ। କେବଳ ସେତିକି ନୁହେଁ, ଖେଳ ପଡ଼ିଆ ଉନ୍ନତୀକରଣ ଶେଷ ପରେ ସରକାରୀ ତହବିଲ ବଦଳରେ ନିଜସ୍ବ ଖର୍ଚ୍ଚରେ କିଭଳି ଖେଳପଡ଼ିଆର ରକ୍ଷଣାବେକ୍ଷଣ ଓ ପରିଚାଳନା ହୋଇପାରିବ, ତାର ବି ବ୍ୟବସ୍ଥା କରାଯାଇଥିଲା। ବିଡିଏର ଜଣେ ଅଧିକାରୀ କହିଛନ୍ତି, ଏଥିପାଇଁ ସ୍ବତନ୍ତ୍ର ‘ଆମ ଭୂମି’ ଆପ୍‌ ବିକଶିତ କରାଯାଇଥିଲା। ଯେଉଁଥିରେ ଖେଳପଡ଼ିଆ ବୁକିଂ, ଅଭିଯୋଗ ଗ୍ରହଣ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିଲା। ଲୋକେ ସିଧାସଳଖ ଏହି ଆପ୍‌ ଜରିଆରେ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ପାରିବାର ବ୍ୟବସ୍ଥା କରାଯାଇଥିଲା। ଖେଳ ପାଇଁ କେହି ଖେଳ ପଡ଼ିଆ ବୁକିଂ କରିବାକୁ ଚାହିଁଲେ ଏହି ଆପ୍‌ ଜରିଆରେ ବୁକିଂର ବ୍ୟବସ୍ଥା କରାଯାଇଥିଲା। ଏ ବାବଦରେ କିଛି ଅର୍ଥ ଦେବାର ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟ, ସ୍ଥାନୀୟ ଯୁବ ସଂଗଠନ, କ୍ଲବ୍‌କୁ ଏହାର ପରିଚାଳନା ଦାୟିତ୍ବ ଦେବାକୁ ଯୋଜନା ଥିଲା। କିନ୍ତୁ ଏହି ଆପ୍‌ ଅଚଳ ଅବସ୍ଥାରେ ପଡ଼ିଛି।

୧୯ ଖେଳପଡ଼ିଆରୁ ୧୧ ବିଦ୍ୟାଳୟର, ବାକି ଖୋଲା ଜାଗା 
‘ଆମ ଭୂମି’ ଯୋଜନାରେ ଭୁବନେଶ୍ବର ଲକ୍ଷ୍ମୀସାଗର ସ୍କୁଲ ଖେଳପଡ଼ିଆ, ବଡ଼ଗଡ଼ ହାଇସ୍କୁଲ ଖେଳପଡ଼ିଆ, ସହିଦନଗର, ଘାଟିକିଆ, ନଖରା, ଯଦୁପୁର, ଡମଣା ହାଇସ୍କୁଲ ଖେଳପଡ଼ିଆ, ଗାଡ଼କଣ କେଳୁଚରଣ ପାର୍କ ନିକଟସ୍ଥ ଖେଳପଡ଼ିଆ, ୟୁନିଟ୍‌ ୮ ଓ ୟୁଟି ୬ ହାଇସ୍କୁଲ ଖେଳପଡ଼ିଆ, ରାଜଧାନୀ କଲେଜ ଖେଳପଡ଼ିଆ, ୟୁନିଟ୍‌-୨ ବାଳିକା ହାଇସ୍କୁଲ ଖେଳପଡ଼ିଆ ଆଦି ସ୍ଥାନରେ ୧୯ଟି ଖେଳ ପଡ଼ିଆର ବିକାଶ କରାଯାଇଥିଲା। ଯେଉଁଥିରୁ ୧୧ଟି ବିଦ୍ୟାଳୟର ଖେଳ ପଡ଼ିଆ ଥିଲା ଓ ବାକି ୮ଟି ଖୋଲା ଜାଗା ଚିହ୍ନଟ କରି ବିକାଶ କରାଯାଇଥିଲା। କିଛି ପଡ଼ିଆ ଓଡ଼ିଶା ଖଣି ନିଗମ ଉନ୍ନତିକରଣ କରିଥିଲା। ଆଉ କିଛି ଓଡ଼ିଶା ବନ ନିଗମ, ହାଉସିଂ ବୋର୍ଡ ବିକାଶ କରିଥିଲା। ଏହି ଖେଳ ପଡ଼ିଆରେ ବିଶ୍ବସ୍ତରୀୟ ସୁବିଧା ଦେବାକୁ ଲକ୍ଷ୍ୟ ଥିଲା। ବିଭିନ୍ନ ଖେଳର ଭିତ୍ତିଭୂମି ସାଙ୍ଗକୁ ପୋଷାକ ବଦଳା ଗୃହ, ସୁରକ୍ଷାକର୍ମୀ ଗୃହ, ଜଳସିଞ୍ଚନ, ଡ୍ରେନେଜ୍‌ ବ୍ୟବସ୍ଥା ଥିଲା। କଂକ୍ରିଟ୍‌ ବଦଳରେ ମାଟିକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ସବୁ ପଡ଼ିଆ ସମାନ ଢଙ୍ଗରେ ବିକଶିତ ହୋଇଥିଲା। ବିକାଶ ‌ହେବା ପରେ ଏହାର ପରିଚାଳନା ଦାୟିତ୍ବ କାହାକୁ ଦିଆଯିବ, ସେକଥା କିଛି ଚିନ୍ତା କରାଗଲାନି। ଏଣୁ କୋଟି କୋଟି ଟଙ୍କାର ଏହି ଭିତ୍ତିଭୂମି ନଷ୍ଟ ହେବା ସ୍ବାଭାବିକ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button