ରାଜ୍ୟ

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ କୋଠରିରେ ନୁହେଁ, ବରଂ ଜନସାଧାରଣଙ୍କ ଦ୍ୱାରଦେଶରେ ଥାଏ। ଭାରତୀୟ ଗଣତନ୍ତ୍ରର ମୂଳଦୁଆ ସ୍ଥାନୀୟ ସ୍ବାୟତ୍ତ ଶାସନ ଉପରେ ପ୍ରତିଷ୍ଠିତ। ଏହି ଦିବସ ଆମକୁ ସ୍ମରଣ କରାଇଦିଏ ଯେ ବିକାଶର ପ୍ରକୃତ ସଂଜ୍ଞା କେବଳ ଭୌତିକ ଭିତ୍ତିଭୂମିର ନିର୍ମାଣ ନୁହେଁ, ବରଂ ନାଗରିକଙ୍କ ଆବଶ୍ୟକତା, ଅଭିଳାଷ ଓ ସହଭାଗିତାରେ ଏକ ଆତ୍ମନିର୍ଭରଶୀଳ ସମାଜ ଗଠନ କରିବା। ଆମର ସହର ଓ ନଗରଗୁଡ଼ିକ ହେଉଛି ତୃଣମୂଳ ଗଣତନ୍ତ୍ରର ସବୁଠାରୁ ଜୀବନ୍ତ ତଥା ସ୍ପନ୍ଦନଶୀଳ ଅଭିବ୍ୟକ୍ତି।
ଐତିହ୍ୟରୁ ଆଧୁନିକତା:
ଓଡ଼ିଶାର ନଗର ଚେତନା
ଓଡ଼ିଶାର ନଗର ଶାସନ ଓ ସହରୀୟ ସଭ୍ୟତାର ଇତିହାସ ଅତ୍ୟନ୍ତ ପ୍ରାଚୀନ ତଥା ଗୌରବମୟ। ଆଜି ସ୍ବାଧୀନ ଭାରତର ସମ୍ବିଧାନର ୭୪ତମ ସଂଶୋଧନ ମାଧ୍ୟମରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ମିଳିଛି, ଯାହା ଐତିହ୍ୟକୁ ଆଧୁନିକ ଗଣତାନ୍ତ୍ରିକ ଢାଞ୍ଚାରେ ଆହୁରି ସୁଦୃଢ଼ କରିଛି।
ଆଜି ଓଡ଼ିଶାରେ ଗ୍ରାମାଞ୍ଚଳରୁ ସହରମୁଖୀ ପ୍ରବାହ, ଶିଳ୍ପ, ବାଣିଜ୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟସେବାର କେନ୍ଦ୍ରୀକରଣ ଯୋଗୁ ନଗର ନିକାୟଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇଛି। ତେଣୁ ଆମର ଆଜିର ଯୋଜନା ଆଗାମୀ ପିଢ଼ି ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ‘ଭବିଷ୍ୟତ ନଗର ଓଡ଼ିଶା’ର ଦୃଢ଼ ମୂଳଦୁଆ ସ୍ଥାପନ କରିବା ।
ସମାବେଶୀ ବିକାଶ:
ଅନ୍ତ୍ୟୋଦୟରୁ ସର୍ବୋଦୟ
ଆମର ନଗର ଉନ୍ନୟନ ଦର୍ଶନ ‘ଅନ୍ତ୍ୟୋଦୟ’ ଉପରେ ଆଧାରିତ। ସହରର ଅର୍ଥନୀତିକୁ ଗତିଶୀଳ ରଖୁଥିବା ଶ୍ରମିକ, ଦିନମଜୁରିଆ, ଉଠାଦୋକାନୀ, ନିମ୍ନ ଆୟକାରୀ ବର୍ଗ, ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଏବଂ ତୃଣମୂଳ ସ୍ତରର ଲୋକମାନେ ଯେପରି ବିକାଶର ସୁଫଳ ପାଇବେ, ତାହା ସୁନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ।
ପୌର ସଂସ୍ଥାର ସଶକ୍ତୀକରଣ
ଓ ଆର୍ଥିକ ସ୍ବାବଲମ୍ବନ
ପାନୀୟ ଜଳ, ଆଲୋକ, ସ୍ବଚ୍ଛତା, ରାସ୍ତା, ଡ୍ରେନେଜ୍‌, ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଆଦି ସେବା ପାଇଁ ଜଣେ ନାଗରିକ ପ୍ରଥମେ ନିଜ ପୌର ସଂସ୍ଥା ଉପରେ ହିଁ ନିର୍ଭର କରେ। ଏହି ପରିପ୍ରେକ୍ଷୀରେ ପୌର ସଂସ୍ଥାଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ଓ ଆର୍ଥିକ ସ୍ବୟଂସମ୍ପୂର୍ଣ୍ଣତା ଏକାନ୍ତ ଅପରିହାର୍ଯ୍ୟ।
ସୁନିୟୋଜିତ ନଗର ଯୋଜନା ଓ ଟିଅର-୨, ଟିଅର-୩ ସହରର ଉତ୍ଥାନ
ଦୀର୍ଘମିଆଦୀ ମାଷ୍ଟରପ୍ଲାନ କେବଳ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର କିମ୍ବା ରାଉରକେଲା ଭଳି ବୃହତ୍‌ ସହରରେ ସୀମିତ ନ ରହି, ରାଜ୍ୟର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକୁ ଭବିଷ୍ୟତର ପ୍ରମୁଖ ବିକାଶ କେନ୍ଦ୍ର ଭାବେ ଗଢ଼ିତୋଳିବା ଆମର ଲକ୍ଷ୍ୟ।
ଆଧୁନିକ ଭିତ୍ତିଭୂମି: ନଗର
ଗତିଶୀଳତା ଓ ବୈଜ୍ଞାନିକ ଡ୍ରେନେଜ
ସୁରକ୍ଷିତ ଓ ପରିବେଶ-ଅନୁକୂଳ ଗଣପରିବହନ ବ୍ୟବସ୍ଥାର ପ୍ରସାର, ଫୁଟପାଥ୍‌ ନିର୍ମାଣ ଏବଂ ଇ-ଯାନ ଚଳାଚଳକୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ। ସହରଗୁଡ଼ିକରେ ବୈଜ୍ଞାନିକ ଡ୍ରେନେଜ୍‌ ମାଷ୍ଟରପ୍ଲାନ୍‌ କାର୍ଯ୍ୟକାରୀ କରିବା, ପ୍ରାକୃତିକ ଜଳାଶୟ ଓ ନାଳଗୁଡ଼ିକୁ ଜବରଦଖଲମୁକ୍ତ କରି ସେଗୁଡ଼ିକର ପୁନରୁଦ୍ଧାର କରିବା ଏବଂ ‘ସ୍ପଞ୍ଜ ସିଟି’ ଅବଧାରଣା ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉଛି।
ସମ୍ପୂର୍ଣ୍ଣ ସ୍ବଚ୍ଛତା, ବର୍ଜ୍ୟ ପରିଚାଳନା
ଓ ସର୍କୁଲାର ଅର୍ଥନୀତି
ସହରାଞ୍ଚଳରେ ‘ବର୍ଜ୍ୟରୁ ସମ୍ପଦ’ ନୀତି ଆଧାରରେ କଠିନ ବର୍ଜ୍ୟବସ୍ତୁରୁ ଖତ ଓ ଶକ୍ତି ଉତ୍ପାଦନ କରାଯାଉଛି। ସେହିପରି ବ୍ୟବହୃତ ଜଳ ଓ ମଳମୂତ୍ରର ସୁରକ୍ଷିତ ବିଶୋଧନ ଏବଂ ବିଶୋଧିତ ଜଳର ଶିଳ୍ପ ଓ ଉଦ୍ୟାନ କାର୍ଯ୍ୟରେ ପୁନଃବ୍ୟବହାର ମାଧ୍ୟମରେ ଏକ ନିରନ୍ତର ‘ସର୍କୁଲାର ଇକୋନୋମି’ ଗଠନ ଦିଗରେ ଓଡ଼ିଶା ଆଗେଇ ଚାଲିଛି। ଏହି ସ୍ବଚ୍ଛତା ଯାତ୍ରାରେ ଅହରହ ସେବା ଯୋଗାଉଥିବା ‘ସଫେଇ ମିତ୍ର’ ତଥା ସ୍ବଚ୍ଛତା କର୍ମଚାରଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସାମାଜିକ ନିରାପତ୍ତା ସୁନିଶ୍ଚିତ କରିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା।
ନିରାପଦ ଆବାସ:
ସମ୍ମାନର ସହ ବଞ୍ଚିବାର ଅଧିକାର
ପ୍ରତ୍ୟେକ ନାଗରିକଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଏକ ନିରାପଦ ଛାତ ଏବଂ ମୌଳିକ ସୁବିଧା ଯୋଗାଇବା ଆମର ସାମାଜିକ ଦାୟିତ୍ୱ। ସହରାଞ୍ଚଳ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ସୁଲଭ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ, ପରିମଳ ସୁବିଧା, ବିଦ୍ୟୁତ୍‌ ସଂଯୋଗ ଏବଂ ଉନ୍ନତ ପରିବେଶ ଯୋଗାଇଦେଇ ବସ୍ତିବାସିନ୍ଦାଙ୍କ ଜୀବନରେ ସମ୍ମାନ ଫେରାଇ ଆଣିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଡିଜିଟାଲ ଶାସନ ଓ ସମ୍ବେଦନଶୀଳ ପ୍ରଶାସନ
ଆଜିର ଡିଜିଟାଲ ଯୁଗରେ ନଗର ପ୍ରଶାସନରେ ସୂଚନା ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏକ ନୂଆ ବିପ୍ଳବ ଆଣିଛି। ଡାଟା ଆଧାରିତ ନିଷ୍ପତ୍ତି, ସ୍ମାର୍ଟ ମନିଟରିଂ, ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ୍‌ ଏବଂ ଅନ୍‌ଲାଇନ୍‌ ନାଗରିକ ସେବା ମାଧ୍ୟମରେ ପ୍ରଶାସନକୁ ଦଲାଲମୁକ୍ତ, ସ୍ବଚ୍ଛ ଓ ଲୋକାଭିମୁଖୀ କରାଯାଉଛି।
ନାଗରିକ ଭାଗୀଦାରି:
ବିକାଶର ଶ୍ରେଷ୍ଠ ମାର୍ଗ
ସ୍ବାୟତ୍ତ ଶାସନର ସଫଳତା କେବଳ ସରକାର କିମ୍ବା ପ୍ରଶାସନିକ ତନ୍ତ୍ର ଉପରେ ନିର୍ଭର କରେନାହିଁ, ଏହା ନାଗରିକଙ୍କ ସଚେତନତା ଓ ସକ୍ରିୟ ଅଂଶଗ୍ରହଣ ଉପରେ ପର୍ଯ୍ୟବସିତ। ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ସହରକୁ ନିଜର ପରିବାର ମନେକରି ପରିଷ୍କାର ରଖିବେ ଓ ନିୟମ ପାଳନ କରିବେ, ସେତେବେଳେ ଆମର ପ୍ରୟାସ ପୂର୍ଣ୍ଣାଙ୍ଗ ହେବ।
ନୂତନ ଓଡ଼ିଶାର ସଂକଳ୍ପ
ଏହି ପବିତ୍ର ସ୍ବାୟତ୍ତ ଶାସନ ଦିବସରେ ଆମେ ସମସ୍ତେ ମିଳିତ ସଂକଳ୍ପ ନେବା-ସଶକ୍ତ ସ୍ଥାନୀୟ ଶାସନ, ସ୍ବଚ୍ଛ ପ୍ରଶାସନ, ସକ୍ରିୟ ନାଗରିକ ଭାଗୀଦାରି ଏବଂ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ମାଧ୍ୟମରେ ଆମ ସହରଗୁଡ଼ିକୁ ବିକାଶ, ଶାନ୍ତି ଓ ସମୃଦ୍ଧିର ଆଦର୍ଶ କେନ୍ଦ୍ରରେ ପରିଣତ କରିବା।
-ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button