‘ପ୍ରମେୟ’, ନ୍ୟୁଜ-୭, ସୋଆ ପକ୍ଷରୁ ଅନ୍ତଃବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା,୧୦ କୃତୀ ପ୍ରତିଯୋଗୀ ପୁରସ୍କୃତ, ୫୦ଜଣଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ

ଭୁବନେଶ୍ୱର,୩୧/୦୮: ‘ପ୍ରକୃତି ହେଉଛି ଆମର ମା’ । ଯେମିତି ଜନ୍ମଦାତ୍ରୀ ମା’ ପିଲାର ଲାଳନପାଳନ କରେ, ପ୍ରକୃତି ମା’ ମଧ୍ୟ ଫୁଲ, ଫଳ, ଅମ୍ଳଜାନ ଓ ଛାଇ ମଣିଷକୁ ଦିଏ । ହେଲେ ଆଜିର ସ୍ୱାର୍ଥପର ମଣିଷ ପ୍ରକୃତିର ମହାନ ଅବଦାନକୁ ଭୁଲିଯାଇଛି । ମା’ ଉପରେ ବାରମ୍ବାର ଅତ୍ୟାଚାର କରୁଛି । ହେଲେ ଆମେ ପ୍ରକୃତି ମା’ଙ୍କୁ ବଞ୍ଚାଇବୁ । ତାକୁ କେବେ ମରିବାକୁ ଦେବୁନି’ । ଅନ୍ତଃବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା ଅବସରରେ ଏକଥା କହି ଛାତ୍ରଛାତ୍ରୀମାନେ ନିଜ ଚପଳ ମନ ମଧ୍ୟରୁ ପ୍ରକୃତିମନସ୍କ ମନୋଭାବକୁ ଜାଗ୍ରତ କରିଛନ୍ତି ।
ରବିବାର ସୋଆ କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ‘ପ୍ରମେୟ’, ‘ନ୍ୟୁଜ ୭’(ଏସ୍ଆର୍ଏମ୍ପିଏଲ୍) ଆନୁକୂଲ୍ୟରେ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହଯୋଗରେ ଅନ୍ତଃ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ସହ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗତ ଦେଢ଼ମାସ ଧରି ରାଜଧାନୀର ୧୦ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚାଲିଆସୁଥିବା ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ଶ୍ରେଷ୍ଠ-୬୦ ପ୍ରତିଯୋଗୀ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ । ଚୂଡ଼ାନ୍ତ ପର୍ଯ୍ୟାୟରେ ପଞ୍ଚମରୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା କନିଷ୍ଠବର୍ଗର ପ୍ରତିଯୋଗୀ (କନିଷ୍ଠବର୍ଗ) ‘ବର୍ଷାଋତୁରେ ମୋ ଗାଁ’ ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିଥିଲେ । ଅଷ୍ଟମରୁ ଦଶମ ଶ୍ରେଣୀରେ ପଢ଼ୁଥିବା ବରିଷ୍ଠ ବର୍ଗର ପ୍ରତିଯୋଗୀ ‘ପରିବେଶ ସୁରକ୍ଷା ମୋ ଦାୟିତ୍ୱ’ ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିଥିଲେ । ଉଭୟ ବର୍ଗରୁ ଆସିଥିବା ୬୦ଟି ସୁନ୍ଦର ଚିତ୍ରମାନଙ୍କ ମଧ୍ୟରୁ ୧୦ଟି କୃତି ଚିତ୍ର ଓ ଚିତ୍ରଶିଳ୍ପୀଙ୍କୁ ଖୋଜି ବାହାର କରାଯାଇଛି ।
କନିଷ୍ଠ ବର୍ଗରେ ୟୁନିଟ୍-୮ ଏସ୍ଏସ୍ଭିଏମ୍ର ଛାତ୍ର ରୁଦ୍ରାଭିରାୟ ସାହୁ, ଘାଟିକିଆ ଏସ୍ଏସ୍ଭିଏମ୍ ଛାତ୍ରୀ ଆୟେଶା ଅଭିନୀତା ଦାଶ, ବଡ଼ଗଡ଼ ବ୍ରିଟ କଲୋନୀ ଏସ୍ଏସ୍ଭିଏମ୍ ଛାତ୍ରୀ ସାଇଶ୍ରଦ୍ଧା ବେହେରା, ୟୁନିଟ-୩ ଏସ୍ଏସ୍ଭିଏମ୍ ଛାତ୍ରୀ ସୃଷ୍ଟି ପାତ୍ର, ନୂଆଗାଁ ଏସ୍ଏସ୍ଭିଏମ୍ ଛାତ୍ରୀ ପ୍ରତ୍ୟୁଷା ପ୍ରଧାନଙ୍କୁ ମାନପତ୍ର, ଉତ୍ତରୀୟ, ଟ୍ରଫି ଏବଂ ଅର୍ଥରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।
ସୌଜନ୍ୟ ପ୍ରମେୟ




