Goat Death ; ୟୁରିଆ ମିଶା ଖଟା ଖାଇ ୧୦ ଛେଳି ମୃତ: ପରିବା ବଗିଚା ମାଲିକଙ୍କ ବିରୋଧରେ ଥାନାରେ ଏତଲା

ଅନୁଗୋଳ, ୩୧/୦୮ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବନ୍ଦାଣପଶି ଗ୍ରାମରେ ପରିବା ବଗିଚା ପାଶ୍ୱର୍ରେ ପକାଯାଇଥିବା ୟୁରିଆ ମିଶା ଖଟା ଖାଇ ୧୦ଟି ଛେଳିଙ୍କର ମୃତ୍ୟୁ ହୋଇଛି । ମୃତ ଛେଳିଗୁଡ଼ିକ ଗ୍ରାମର ଧରଣୀଧର ସାହୁଙ୍କର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଧରଣୀଧର ବଉଳି ନାଳ ପଠାରୁ ଛେଳିପଲକୁ ନେଇ ଘରକୁ ଫେରୁଥିଲେ । ଗାଁ ଛକ ବୁଲାଣି ନିକଟରେ ଜଣେ ବ୍ୟକ୍ତିଙ୍କ ପରିବା ବଗିଚାର ବାଡ଼ ନିକଟରେ ପକାଯାଇଥିବା ଖଟା ଛେଳିପଲ ଖାଇଥିଲେ । ଛେଳିକୁ ନେଇ ସେ ଘରକୁ ଆସିଥିବା ବେଳେ ଗୁହାଳରେ ଗୋଟିକ ପରେ ଗୋଟିଏ ଛେଳି ଟଳିପଡ଼ିଥିଲେ ।
୨ଟି ଛେଳି ଖଟା ଖାଇନଥିବାରୁ ବର୍ତ୍ତି ଯାଇଥିବା ବେଳେ ୧୦ଟି ଛେଳିଙ୍କ ମୃତ୍ୟୁ ହୋଇଛି । ପରିବା ବଗିଚାକୁ ସୁରକ୍ଷା ଦେବାକୁ ଜାଣିଶୁଣି ଜମି ମାଲିକ ୟୁରିଆ ମିଶା ଖଟା ସେଠାରେ ପକାଇଥିବାରୁ ତାହା ଖାଇ ଛେଳି ମରିଥିବା ଅଭିଯୋଗରେ ଧରଣୀଧର ବନ୍ତଳା ଥାନାରେ ଏତଲା ଦେଇଛନ୍ତି । ଧରଣୀଧର ଛେଳି ପାଳନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଛେଳି ମରିଯିବା ପରେ ସେ ଚିନ୍ତାରେ ପଡ଼ିଛନ୍ତି ।
ସୌଜନ୍ୟ ପ୍ରମେୟ




