Fraud case: ଠକେଇ ଘଟଣାରେ ମୁହଁ ଖୋଲିଲେ ସାଂସଦ ସୁଜିତ କୁମାର: ୧୫ ସୁଦ୍ଧା ଟଙ୍କା ଫେରି ପାଇବେ ବୋଲି ମିଳିଛି ପ୍ରତିଶ୍ରୁତି
ପର୍ଜଙ୍ଗର ପୂର୍ବତନ ବିଜେଡି ବିଧାୟକ ନୃସିଂହ ସାହୁଙ୍କ ପୁଅ ଅଜିତ କୁମାର ସାହୁ ଠକେଇ କରିବା ଘଟଣାରେ ଅଭିଯୋଗକାରୀ ତଥା ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ଗଣମାଧ୍ୟମରେ ମତ ରଖିଛନ୍ତି।

ଭୁବନେଶ୍ବର: ପର୍ଜଙ୍ଗର ପୂର୍ବତନ ବିଜେଡି ବିଧାୟକ ନୃସିଂହ ସାହୁଙ୍କ ପୁଅ ଅଜିତ କୁମାର ସାହୁ ଠକେଇ କରିବା ଘଟଣାରେ ଅଭିଯୋଗକାରୀ ତଥା ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ଗଣମାଧ୍ୟମରେ ମତ ରଖିଛନ୍ତି। ସାଂସଦ କହିଛନ୍ତି, ୨୦୨୩ ମସିହାରେ ଜମିଜମା ବ୍ୟବସାୟ ପାଇଁ ଅଜିତ ତାଙ୍କ ସମେତ ୩ଜଣଙ୍କଠାରୁ କିଛି ଟଙ୍କା ନେଇଥିଲେ। ତାଙ୍କଠାରୁ ୨୫ଲକ୍ଷ ଟଙ୍କା ନେଇଥିବା ବେଳେ ଭୁବନେଶ୍ବରରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କଠାରୁ ୨୦ଲକ୍ଷ ଟଙ୍କା ନେଇଥିଲେ। ଏଥିପାଇଁ ଅଜିତ ସେମାନଙ୍କ ସହ ଏକ ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ଅଜିତ ଟଙ୍କା ନ ଦେଇପାରିଲେ ସେମାନଙ୍କୁ ଜମି ଦେବେ ବୋଲି ଉଲ୍ଲେଖ ରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଜିତ ଚୁକ୍ତି ଖିଲାପ କରିଥିଲେ। ତାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରାଯାଇଥିଲେ ବି ସେ ଟଙ୍କା ଦେଇ ନଥିଲେ କି ଫେରସ୍ତ ପାଇଁ କୌଣସି ଉତ୍ତର ରଖୁନଥିଲେ।
ଯେଉଁଥି ପାଇଁ ସାଂସଦ ନୂଆଦିଲ୍ଲୀସ୍ଥିତ ତୁଗଲକାବାଦ୍ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଅନ୍ୟଜଣେ ମଧ୍ୟ ଭୁବନେଶ୍ବର ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଜିତ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ମାତ୍ର ଚୁକ୍ତିନାମା ଆଧାରରେ ନୂଆଦିଲ୍ଲୀର ପାଟିଆଲା କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲା। ଏହା ପରେ ପଟିଆଲା କୋର୍ଟ ଜରିଆରେ ଅଜିତଙ୍କୁ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। ମାତ୍ର କୋର୍ଟଙ୍କୁ ଅବମାନନା କରିବାରୁ ପାଟିଆଲା କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଜିତଙ୍କୁ ଥାନାରେ ଅଟକ ରଖିବା ପାଇଁ ଭୁବନେଶ୍ବର ୟୁପିଡିର ନୂଆପଲ୍ଲୀ ଥାନା ପୁଲିସକୁ ଏକ ନିର୍ଦ୍ଦେଶନାମା ଆସିଥିଲା।
ସୌଜନ୍ୟ ସମ୍ବାଦ




