Thief: ମାସକରେ ଚୋର ଦୋଷୀ ସାବ୍ୟସ୍ତ: ଘଟଣାଦିନ ହିଁ ଚାର୍ଜସିଟ୍ ଦାଖଲ କରିଥିଲେ ଆଇଓ
ଘରେ ପଶି ୬୦ହଜାର ଟଙ୍କା ଚୋରି କରିବା ଘଟଣାରେ ସଂଜୟ ବେହେରାକୁ ଭୁବନେଶ୍ବରର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ-୩ର ବିଚାରପତି କାରୋନିକା ଘୋଷ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଭୁବନେଶ୍ବର: ଘରେ ପଶି ୬୦ହଜାର ଟଙ୍କା ଚୋରି କରିବା ଘଟଣାରେ ସଂଜୟ ବେହେରାକୁ ଭୁବନେଶ୍ବରର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ-୩ର ବିଚାରପତି କାରୋନିକା ଘୋଷ ଦୋଷୀ ସାବ୍ୟସ୍ତ କରିଛନ୍ତି। ୭ଜଣ ସାକ୍ଷୀ ଓ ୫ଟି ଦସ୍ତାବିଜ୍ ଆଧାରରେ ସଂଜୟକୁ ବର୍ଷେ ଜେଲ୍ ଦଣ୍ଡ ଦେବା ସହିତ ୬ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୩ମାସ ଜେଲ୍ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜୁଲାଇ ୩୧ତାରିଖରେ ଭୋର୍ରୁ ସିଆର୍ପି ଛକ ମୁଣ୍ଡାସାହିସ୍ଥିତ ନୀଳକଣ୍ଠନଗରରେ ବୁଦ୍ଧିବାମନ ଦାସଙ୍କ ଘରୁ ପ୍ରାୟ ୬୦ହଜାର ଟଙ୍କା ଚୋରି ହୋଇଥିଲା।
ସ୍ଥାନୀୟ କିଛି ଲୋକଙ୍କୁ ପଚରାଉଚରା ପରେ ସଂଜୟ ଘରେ ପଶିଥିବା କିଛି ଲୋକ ଦେଖିଥିଲେ। ତେଣୁ ସେହିଦିନ ହିଁ ଆଇଆର୍ସି ଭିଲେଜର ତ୍ରିନାଥ ବସ୍ତିରୁ ସଂଜୟକୁ ଗିରଫ କରି ପୁଲିସ କୋର୍ଟରେ ହାଜର କରାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୋର୍ଟରେ ହାଜର କରାଇବା ସହିତ ତଦନ୍ତକାରୀ ଅଧିକାରୀ ଶୁଭ୍ରାଂଶୁ ମହାପାତ୍ର ସେହିଦିନ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ଫଳରେ ମାତ୍ର ମାସକ ମଧ୍ୟରେ ଏହି ଚୋରି ମାମଲାରେ ସଂଜୟ ଦୋଷୀ ସାବ୍ୟସ୍ତ ହୋଇଥିଲା। ସରକାରଙ୍କ ପକ୍ଷରୁ ସହକାରୀ ପିପି ଚିରନ୍ତନୀ ବାଗ୍ ଓ ବିଜୟ ବାରିକ ମାମଲା ପରିଚାଳନା କରିଥିଲେ।
ସୌଜନ୍ୟ ସମ୍ବାଦ




