OPGC: ଓପିଜିସି ପାଉଁଶ କରୁଛି ମାଲାମାଲ୍: ବର୍ଷକୁ ଲୁଟ୍ ୧୫୦ କୋଟି, ସଜଡ଼ା ଯାଉନି ସ୍ଲରି ପାଇପ୍
ରାଜ୍ୟରେ ବାଲି, ପାଣି, ଖଣି ପରେ ପାଉଁଶ ଏବେ ଚୋରିର ଏକ ବଡ଼ ମାଧ୍ୟମ ପାଲଟିଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ବନହରପାଲିଠାରେ ଥିବା ଓପିଜିସିର ଇବ୍ ଥର୍ମାଲ ପାୱାର ଷ୍ଟେସନର ପାଉଁଶ ପରିଚାଳନାରୁ ଏହି ଘଟଣା ସାମନାକୁ ଆସିଛି।

ଭୁବନେଶ୍ବର: ରାଜ୍ୟରେ ବାଲି, ପାଣି, ଖଣି ପରେ ପାଉଁଶ ଏବେ ଚୋରିର ଏକ ବଡ଼ ମାଧ୍ୟମ ପାଲଟିଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ବନହରପାଲିଠାରେ ଥିବା ଓପିଜିସିର ଇବ୍ ଥର୍ମାଲ ପାୱାର ଷ୍ଟେସନର ପାଉଁଶ ପରିଚାଳନାରୁ ଏହି ଘଟଣା ସାମନାକୁ ଆସିଛି। ଏହି କାରଖାନାର ପାଉଁଶ ପରିଚାଳନା ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। ଚଳିତ ଆର୍ଥିକବର୍ଷରେ ଏଥିପାଇଁ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୩୦୦ କୋଟିରୁ ତଳୁ ଉପର ଯାଏଁ ପ୍ରାୟ ୧୫୦ କୋଟି ଟଙ୍କା ଭାଗବଣ୍ଟା ହୋଇ ଲୁଟ୍ ହେଉଛି। ବର୍ଷକୁ ୫୦୦ କୋଟି ଟଙ୍କା ପାଖାପାଖି ଲାଭ କରୁଥିବା ଓପିଜିସିର ଯଦି ପାଉଁଶବୁହାରେ ୩୦୦ କୋଟି ଖର୍ଚ୍ଚ ହେବ ତା’ହେଲେ କମ୍ପାନିର ଭବିଷ୍ୟତ କ’ଣ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତଳୁ ଉପର ଯାଏଁ, ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜନେତାମାନେ ଅସାଧୁ ମେଣ୍ଟ କରି ଏହି ଆଖିବୁଜା ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଓପିଜିସିର ଏହି କାରଖାନାରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ୪ଟି ୟୁନିଟ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ୨ଟି ୟୁନିଟ୍ରୁ ମୋଟ ୪୨୦ ମେଗାୱାଟ୍ ବିଜୁଳି ଉତ୍ପାଦନ କରିବା କ୍ଷମତା ରହିଛି। ଏଠାରୁ ବାହାରୁଥିବା ପାଉଁଶ ପକାଇବା ପାଇଁ ରେଙ୍ଗାଲି-କ ଅଞ୍ଚଳରେ (ସାଢ଼େ ୬ କିମି ଦୂର) ପୋଖରୀ ନିର୍ମାଣ କରାଯାଇଛି। କିନ୍ତୁ କାରଖାନାର ସଂପ୍ରସାରଣ ପରେ ୧୩୨୦ ମେଗାୱାଟ୍ର ଦୁଇଟି ନୂଆ ୟୁନିଟ୍ ନିର୍ମାଣ ହୋଇଛି। ଏହି ନୂଆ ୟୁନିଟ୍ ଦୁଇଟିର ପାଉଁଶ ଗଦା କରିବା ପାଇଁ ଅପେକ୍ଷାକୃତ ଦୂର ସ୍ଥାନ (ସାଢ଼େ ୧୩ କିମି) ତିଲିଆଠାରେ ପୋଖରୀ ନିର୍ମାଣ କରାଯାଇଛି। କାରଖାନାରୁ ସେଠାକୁ ସ୍ଲରି ପାଇପ୍ ଜରିଆରେ ପାଉଁଶ ପଠାଯାଉଥିଲା। ପୂର୍ବରୁ କମ୍ପାନି ପରିଚାଳନା ଦାୟିତ୍ବରେ ଥିବା ଏଇଏସ୍ ନିୟମକୁ ଖାତିର ନକରି ହୀରାକୁଦ ଜଳଭଣ୍ଡାର ନିକଟ ଦେଇ ସ୍ଲରି ପାଇପ୍ ନିର୍ମାଣ କରିଥିଲା। ନିମ୍ନମାନର ପାଇପ୍ ବ୍ୟବହାର ସହିତ ଇଞ୍ଜିନିୟରିଂ ଡିଜାଇନ୍ ଓ ନିର୍ମାଣଜନିତ ତ୍ରୁଟି ପାଇଁ ସେହି ସ୍ଲରି ପାଇପ୍ ବାରମ୍ବାର ଲିକ୍ ହେଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଜରକୁ ଏହା ଆସିବା ପରେ ସ୍ଲରି ପାଇପ୍କୁ ବନ୍ଦ ନିର୍ଦ୍ଦେଶ ଦିଆଗଲା। ଏହା ପରେ ଅସ୍ଥାୟୀ ଭାବେ କାରଖାନାର ପାଉଁଶକୁ ପୁରୁଣା ୟୁନିଟ୍ ସ୍ଥାପନ ସମୟରେ ଖୋଳା ଯାଇଥିବା ୩ଟି ପୋଖରୀରେ ଗଦା କରାଗଲା। ସବୁ ଯାକ ୟୁନିଟ୍ର ପାଉଁଶ ବୋଝ ସମ୍ଭାଳି ନପାରି ୨୦୨୩ ଡିସେମ୍ବରରେ ଏହି ପୋଖରୀ ଭାଙ୍ଗି ଯିବାରୁ ଲୋକଙ୍କ ଜମିରେ ପାଉଁଶ ମିଶିଲା। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଲା। ଏସବୁ ସତ୍ତ୍ବେ କମ୍ପାନି କର୍ତ୍ତୃପକ୍ଷ ଓ ସରକାର ତିଲିଆକୁ ଯାଇଥିବା ସ୍ଲରି ପାଇପ୍ ସଜାଡ଼ିବା ପରିବର୍ତ୍ତେ ପୁରୁଣା ପୋଖରୀରେ ପାଉଁଶ ଗଦା କରୁଛନ୍ତି। ତେଣୁ ସ୍ଲରି ପାଇପ୍କୁ ସଜାଡ଼ିବା ଏବଂ ପୁରୁଣା ପୋଖରୀ ନିକଟରେ ଆଉ ଏକ ପାଉଁଶ ପୋଖରୀ ନିର୍ମାଣ ପାଇଁ ରହିଥିବା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉଛି।
ବର୍ଷକୁ ଲୁଟ୍ ୧୫୦ କୋଟି
ସଜଡ଼ା ଯାଉନି ସ୍ଲରି ପାଇପ୍
କମ୍ ପାଉଁଶ ନେଇ ଅଧିକ ବିଲ୍
ଉଲ୍ଲେଖଯୋଗ୍ୟ, ବିଜୁଳି ଉତ୍ପାଦନ ପାଇଁ ଓପିଜିସି କାରଖାନାର ୪ଟି ଯାକ ୟୁନିଟ୍ରେ ଦୈନିକ ପ୍ରାୟ ୨୫ ହଜାରୁ ୨୭ ହଜାର ମେଟ୍ରିକ ଟନ୍ କୋଇଲା ପୋଡ଼ା ଯାଇଥାଏ। ସେଥିରୁ ୪୦ ପ୍ରତିଶତ ବା ଦୈନିକ ୧୦ ହଜାରରୁ ୧୧ ହଜାର ଟନ୍ ପାଉଁଶ ବାହାରିଥାଏ। ନିର୍ଗତ ହେଉଥିବା ଏତେ ମାତ୍ରାର ପାଉଁଶକୁ ରେଳ ଓ ସଡ଼କ ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନ ଓ କଳକାରଖାନାକୁ ପଠାଯାଉଛି। ଏହି ପାଉଁଶ ପରିଚାଳନା ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। କାରଖାନାରୁ ବାହାରୁଥିବା ପାଉଁଶକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରେରଣ କରିବା ପାଇଁ ଟେଣ୍ଡର ହେଉଛି। ରାଜନୈତିକ ଚାପ ହେଉ କିମ୍ବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରରୋଚନାରେ ଟେଣ୍ଡର ନିୟମରେ ଖୋଲା ଉଲ୍ଲଂଘନ ହେଉଛି। ଗୋଟିଏ ଗୋଟିଏ ସଂସ୍ଥାର ବାର୍ଷିକ କାରବାରଠାରୁ ପ୍ରାୟ ୪ ଗୁଣା ଅଧିକ ମୂଲ୍ୟର ପାଉଁଶ ପରିବହନ ପାଇଁ ଟେଣ୍ଡର ଦିଆଯାଇଛି। ଏଥିରେ ଅସାଧୁ ଅଧିକାରୀ ଓ ରାଜନେତାଙ୍କ ପକେଟକୁ ବି ଅର୍ଥ ଯାଉଛି।
ସୌଜନ୍ୟ ସମ୍ବାଦ




