ଜାତୀୟ

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ ଜଏଣ୍ଟ କନସଲଟେଟିଭ ମେସିନାରୀ (NC-JCM) ର ଷ୍ଟାଫ ସାଇଡ କେନ୍ଦ୍ର ସରକାରଙ୍କ ନିକଟରେ ବୋନସ ଗଣନା ସୀମା (Bonus Calculation Ceiling) କୁ ୭,୦୦୦ ଟଙ୍କାରୁ ସିଧାସଳଖ ୩ ଗୁଣ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବାକୁ ଦୃଢ଼ ଦାବି କରିଛି। ଯଦି ସରକାର ଦଶହରା ପୂର୍ୱରୁ ଏହି ପ୍ରସ୍ତାବ ଉପରେ ମୋହର ଲଗାନ୍ତି, ତେବେ ରେଳବାଇ, ଡାକ ଏବଂ ପ୍ରତିରକ୍ଷା ଭଳି ବିଭାଗର ଅଣ-ଗେଜେଟେଡ କର୍ମଚାରୀଙ୍କ ବୋନସରେ ବମ୍ପର ବୃଦ୍ଧି ଦେଖିବାକୁ ମିଳିବ।

ଦଶହରା ଏବଂ ଦୀପାବଳି ନିକଟତର ହେବା କ୍ଷଣି କେନ୍ଦ୍ର ସରକାର ପ୍ରତିବର୍ଷ ନିଜର ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ଉତ୍ପାଦକତା-ଲିଙ୍କ୍ଡ ବୋନସ (Productivity Linked Bonus PLB) ଏବଂ ଆଡ-ହକ (Non-PLB) ବୋନସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରନ୍ତି। ୨୭ ଅଗଷ୍ଟ ୨୦୨୬ରେ NC-JCM (ଷ୍ଟାଫ ସାଇଡ)ର ସଚିବ ଶିବ ଗୋପାଳ ମିଶ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ ଏ ବର୍ଷ ବୋନସ ପ୍ରଦାନ ୭,୦୦୦ ଟଙ୍କା ପରିବର୍ତ୍ତେ ସଂଶୋଧିତ ଗଣନା ସୀମା ୨୧,୦୦୦ ଟଙ୍କା ପ୍ରତି ମାସ ଆଧାରରେ କରାଯାଉ।

ନ୍ୟାସନାଲ କାଉନସିଲର ୪୯ତମ ବୈଠକରେ ଯେତେବେଳେ କର୍ମଚାରୀ ପକ୍ଷ ବୋନସ ସିଲିଂ ବୃଦ୍ଧି କରିବାର ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ସରକାରୀ ପକ୍ଷ କହିଥିଲେ ଯେ ଏହି ଦାବି ଉପରେ ବିଚାର କେବଳ ସେତିକିବେଳେ ସମ୍ଭବ, ଯେତେବେଳେ ସରକାର Code on Wages, 2019 (କିମ୍ୱା Payment of Bonus Act, 1965) ଅଧୀନରେ ସର୍ୱନିମ୍ନ ମଜୁରୀ ସୀମାରେ ପରିବର୍ତ୍ତନ କରିବେ।

ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ୨୫ ଅଗଷ୍ଟରେ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି ଯେ ଯଦି କୌଣସି କର୍ମଚାରୀଙ୍କ ଯୋଗ୍ୟତା ସୀମା ମାସକୁ ୭,୦୦୦ ଟଙ୍କାରୁ ଅଧିକ ହୁଏ, ତେବେ ବୋନସ ଗଣନା ୭,୦୦୦ ଟଙ୍କା କିମ୍ୱା କେନ୍ଦ୍ର ସରକାରଙ୍କ ଦ୍ୱାରା ର୍ନିଦ୍ଧାରିତ ସର୍ୱନିମ୍ନ ମଜୁରୀ (ଯାହା ବି ଅଧିକ ହେବ) ଆଧାରରେ କରାଯିବ। ଏହି ନିୟମ ୨୧ ନଭେମ୍ୱର ୨୦୨୫ରୁ ଲାଗୁ ବୋଲି ବିବେଚନା କରାଯାଇଛି।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ୱନିମ୍ନ ମଜୁରୀ ଢାଞ୍ଚା ମାସକୁ ୨୦,୩୫୮ ଟଙ୍କାରୁ ୨୬,୯୧୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଅନେକ ରାଜ୍ୟ (ଯେପରିକି ଉତ୍ତର ପ୍ରଦେଶ ଏବଂ ହରିୟାଣା) ମଧ୍ୟ ସର୍ୱନିମ୍ନ ଦରମା ୨୧,୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ଆଧାରରେ NC-JCM ଯୁକ୍ତି ଦର୍ଶାଇଛି ଯେ ନୂତନ ବୋନସ ସିଲିଂ ୨୧,୦୦୦ ଟଙ୍କା ର୍ନିଦ୍ଧାରଣ କରାଯିବା ଉଚିତ।

କେନ୍ଦ୍ର ସରକାରଙ୍କ ଲେଭଲ-୧ରୁ ଲେଭଲ-୮ ପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଅଣ-ଗେଜେଟେଡ (Non-Gazetted) କର୍ମଚାରୀ ଏହି ସଂଶୋଧନ ଦ୍ୱାରା ସିଧାସଳଖ ଆର୍ଥିକ ଲାଭ ପାଇବେ। କର୍ମଚାରୀ ସଂଗଠନଗୁଡ଼ିକର କହିବା କଥା ହେଉଛି ୨୦୧୪-୧୫ ପରଠାରୁ ବୋନସ ସିଲିଂରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯେତେବେଳେ କି ଏହି ସମୟ ମଧ୍ୟରେ ମହଙ୍ଗା ଭତ୍ତା ଏବଂ ସର୍ୱନିମ୍ନ ଦରମାରେ ଅନେକ ଥର ସଂଶୋଧନ କରାଯାଇସାରିଛି। ଏବେ ସମସ୍ତଙ୍କ ନଜର କ୍ୟାବିନେଟ ସଚିବ ଏବଂ ଅର୍ଥ ମନ୍ତ୍ରଣାଳୟର ଚୂଡ଼ାନ୍ତ ନିର୍ଦ୍ଦେଶ ଉପରେ ରହିଛି, ଯାହା ସେପ୍ଟେମ୍ୱର ଶେଷ କିମ୍ୱା ଅକ୍ଟୋବର ପ୍ରଥମ ସପ୍ତାହରେ (ଦଶହରା ପୂର୍ୱରୁ) ଜାରି ହେବାର ସମ୍ଭାବନା ରହିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button