Flood Situation: ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା; ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକରେ ସ୍କୁଲ ଛୁଟି

ଭୁବନେଶ୍ବର, ୦୨/୧୦: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା କମ୍ । ଓଡ଼ିଶା ବାୟୁମଣ୍ଡଳରେ ସୃଷ୍ଟି ହୋଇଥିଲା ସିଷ୍ଟମ ଧୀରେ ଧୀରେ ଛତିଶଗଡ଼ ମୁହାଁ ହେଉଛି । ତେଣୁ ଉତ୍ତର ଛତିଶଗଡ଼ କିମ୍ବା ସେଣ୍ଟ୍ରାଲ ଇଣ୍ଡିଆରେ ବର୍ଷା ଜାରି ରହିଛି । ଓଡ଼ିଶାରେ ବର୍ଷା ନଥିଲେ ମଧ୍ୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଉତ୍ତର ଓଡ଼ିଶାର ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବୈତରଣୀରେ ବର୍ଷର ସପ୍ତମ ଥର ବନ୍ୟା ଆସିଛି । ସେପଟେ ସୁବର୍ଣ୍ଣରେଖା, ଜଳକା ମଧ୍ୟ ପୁଣି ଥରେ ନିଜର କୋପ ଦେଖାଇବା ଆରମ୍ଭ କଲେଣି । ନଦୀ ଲଗାତାର ବଢ଼ୁଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଛି ।
ଯାଜପୁରରେ ସ୍କୁଲ ଛୁଟି ଘୋଷଣା:
ବୈତରଣୀରେ ୧୮.୦୯ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି। ସପ୍ତମ ଥର ବୈତରଣୀ ନଦୀର ବନ୍ୟା ଜଳ ପ୍ରବେଶ କରିଛି। ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର, ବିଞ୍ଝାରପୁର ବ୍ଲକର ମୋଟ ୭୨ଟି ସରକାରୀ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ। ଜିଲ୍ଲାର ଦଶରଥପୁର, ବିଞ୍ଝାରପୁର ବ୍ଲକ ଅଧିକ ପ୍ରଭାବିତ ହୋଇଛି । ଏବେବି ଘରେ ଆଉ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବନ୍ୟା ପାଣି । ସେପଟରେ ଘାଇ ମରାମତି ନହେଲା ଯାଏଁ ଆମ ଦୁଃଖ ସରିବନି ବୋଲି କହିଛନ୍ତି ବନ୍ୟା ବିପନ୍ ।
ଡରାଇଲାଣି ସୁବର୍ଣ୍ଣରେଖା:
ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା । ବିପଦ ସଂକେତରୁ ବହୁ ଉଚ୍ଚରେ ସୁବର୍ଣ୍ଣରେଖା ନଦୀ ପ୍ରବାହିତ ହେଉଛି । ଜଳେଶ୍ୱର ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିଲା ବେଳେ ଆଜି ୧୧. ୫୨ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ସୁବର୍ଣ୍ଣରେଖା ନଦୀରେ ଚତୁର୍ଥ ବନ୍ୟା ଆସିବାରୁ ବାଲିଆପାଳ ବ୍ଲକର ୫ଟି ପଂଚାୟତ, ଅସ୍ତି, ବାଲିଆପାଳ, ମଧୁପୁରା, ବିଷ୍ଣୁପୁର, ଜାମକୁଣ୍ଡା ଆଦି ପ୍ରଭାବିତ ହୋଇଛି । ପଞ୍ଚାୟତର ୨୫ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ଭାବରେ ପ୍ରବାଭିତ ହୋଇଛି। ଅନେକ ଗାଁରେ ପାଣି ପଶି ଯାଇଛି, ରାସ୍ତା ଉପରେ ୫ରୁ ୬ଫୁଟ ଉଚ୍ଚରେ ପାଣିର ସୁଅ ଚାଲିଛି । ଚାଷ ଜମିରେ ୭ରୁ ୮ଫୁଟ ଉଚ୍ଚରେ ପାଣି ପବାହିତ ହେଉଛି । ଚାଷ ବାସ ସମ୍ପୂର୍ଣ୍ଣ ଭାବେ ଉଜାଡି ଯାଇଛି ବନ୍ୟା ପାଣି । ଯୁଆଡେ ଦେଖିବ ଖାଲି ପାଣି ହିଁ ପାଣି। ଅନେକ ଘରେ ପାଣି ପଶିଛି ଲୋକେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଲୋକମାନେ ଯାତାୟାତ ପାଇଁ ବୋଟ ଓ ଦେଶୀ ଡଙ୍ଗାରେ ସାହାରା ନେଉଛନ୍ତି ।
ସେପଟେ କମିଛି ବୁଢ଼ାବଳଙ୍ଗ, ଦେଲେ କମିନି ଦୁର୍ଦ୍ଦଶା । ବନ୍ୟା ଆସିବା ବେଳକୁ ଜୀବନ ବିକଳରେ କେବଳ ଜରୁରୀ ଆସବାବ ପତ୍ର ଧରି ଲୋକ ବନ୍ୟା ଆଶ୍ରୟସ୍ଥଳୀକୁ ଧାଇଁଥିଲେ । ଏବେ ଘରକୁ ଫେରୁଛନ୍ତି । ଉଜୁଡା ଘର ,ସଜାଡୁଛନ୍ତି ବନ୍ୟା ସହିତ ଘରେ ପଶିଥିବା ପାଣି ଓ କାଦୁଅ ସଫାକରି ପୁଣି ସଂସାର ସଜାଡ଼ିବା ହେଉଛି କଷ୍ଟ। ବନ୍ୟା ଆଶ୍ରୟସ୍ଥଳୀ ରେ ତ ମିଳୁଛି ମିଳୁଛି ରନ୍ଧା ଓ ଶୁଖିଲା ଖାଦ୍ୟ, ହେଲେ ଘରକୁ ଫେରି ଜୀବନ ଜୀବିକା ସଜାଡ଼ିବା ବେଳକୁ ଆଉ ମିଳୁନି ସାହାଯ୍ୟ।
ସୌଜନ୍ୟ ପ୍ରମେୟ




