ରାଜ୍ୟ

Gun Seizure Case: ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା: ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚୁନି କାର୍ଯ୍ୟାନୁଷ୍ଠାନ

ସର୍କିଟ୍ ହାଉସ୍‌ରୁ ବନ୍ଧୁକ ଜବତ ମାମଲାରେ ରାଉରକେଲା ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଆଣି ଘଟଣାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଚଳାଇଥିବାବେଳେ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ବତନ୍ତ୍ର ଟିମ୍‌ ଯାଞ୍ଚ୍‌ ପ୍ରକ୍ରିୟାକୁ ବ୍ୟାପକ କରିଛି।

ରାଉରକେଲା (ଦେବବ୍ରତ ଗଡ଼ତିଆ):ସର୍କିଟ୍ ହାଉସ୍‌ରୁ ବନ୍ଧୁକ ଜବତ ମାମଲାରେ ରାଉରକେଲା ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଆଣି ଘଟଣାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଚଳାଇଥିବାବେଳେ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ବତନ୍ତ୍ର ଟିମ୍‌ ଯାଞ୍ଚ୍‌ ପ୍ରକ୍ରିୟାକୁ ବ୍ୟାପକ କରିଛି। ଅପରପକ୍ଷରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ୨୩ ଦିନଧରି ସୁରକ୍ଷିତ ସ୍ଥାନ ଯୋଗାଇଥିବା ଉପଜିଲ୍ଲାପାଳଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପହଞ୍ଚିପାରୁନି। ଏହା ପଛରେ ଜିଲ୍ଲାର ଜଣେ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ଅଯାଚିତ ଅନୁକମ୍ପା ଥିବା ଅଭିଯୋଗ ହୁଏ।

ରାଉରକେଲାରୁ ରାଜଧାନୀ ଯାଏ ଆଲୋଡ଼ନ ସୃଷ୍ଟି

ତଦନ୍ତ ବେଳେ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ୩ ଦିନ, ଅର୍ଥାତ୍‌ ଜୁଲାଇ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଗ୍ୟାଙ୍ଗ୍‌ ମୁଖିଆ ପ୍ରକାଶ ପାଶୱାନଙ୍କ ପାଇଁ ରୁମ୍‌ ବୁକ୍‌ କରିଥିଲେ। ଏଥିପାଇଁ ସଂପୃକ୍ତ ଶୀର୍ଷ ଅଧିକାରୀ କୁଆଡ଼େ ମୌଖିକ ଭାବେ ସୁପାରିସ୍‌ କରିଥିଲେ। ଆରମ୍ଭରୁ ଏହି ଘଟଣାକୁ ଚପାଇବାକୁ ଏହି ବରିଷ୍ଠ ଅଧିକାରୀ ହିଁ ଚାପ ସୃଷ୍ଟି କରିଥିଲେ ମଧ୍ୟ ପୁଲିସ୍‌ ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବା ସହ ଗ୍ୟାଙ୍ଗ୍‌ ଉପରୁ ପରଦା ଉଠାଇଥିଲା। ଏହି ରାଜନୈତିକ-ଆପରାଧିକ ମେଣ୍ଟର ଖୁଲାସାପରେ ରାଉରକେଲାରୁ ରାଜଧାନୀ ଯାଏ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ନିଜର ତ୍ରୁଟି ଲୁଚାଇବାକୁ ଉପଜିଲ୍ଲାପାଳ ଓ ସଂପୃକ୍ତ ବରିଷ୍ଠ ଅଧିକାରୀ ଯୋଜନା କରିଥିଲେ। ଏମିତିକି ପୁଲିସ ଜେରା ସମୟରେ କନିଷ୍ଠ କର୍ମଚାରୀଙ୍କ ଉପରେ ଦୋଷ ଲଦିବାକୁ ପ୍ରୟାସ କରିଥିବା ଜଣାପଡ଼ିଥିଲା। ସମଗ୍ର ଘଟଣାରେ ଉପଜିଲ୍ଲାପାଳଙ୍କ ତ୍ରୁଟି ଜଳଜଳ ହୋଇ ଦିଶୁଛି। ପ୍ରକାଶଙ୍କ ନାଁରେ ରୁମ୍‌ ବୁକ୍‌ ହୋଇଥିବାବେଳେ ସେଠାରେ ଜଣେ ନେତାଙ୍କ ପୁତୁରା ରହିବା, ୨୩ ଦିନ ଧରି ଅପରାଧୀଙ୍କ ସୁରକ୍ଷିତ ଆଡା ପାଲଟିବା, ସର୍କିଟ୍‌ ହାଉସ୍‌ କର୍ମଚାରୀଙ୍କୁ ମାଡ଼ପିଟ୍‌ କରିବା, ସର୍କିଟ୍‌ ହାଉସ୍‌ ଭିତରୁ ସାମାଜିକ ଗଣମାଧ୍ୟମରେ ଲାଇଭ୍‌ ଭିଡିଓ ମାଧ୍ୟମରେ ପ୍ରତିପକ୍ଷଙ୍କୁ ଧମକ ଦେବା, ଟେଣ୍ଡର୍‌ ଫିକ୍ସିଂ ପାଇଁ ଯୋଜନା ରଚିବା, ଆଦି ଏକାଧିକ ବେଆଇନ କାର୍ଯ୍ୟକଳାପ ଚାଲିଥିବା ସତ୍ତ୍ବେ ସର୍କିଟ୍‌ ହାଉସ୍‌ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ଚୁପ୍‌ ଥିଲେ କାହିଁକି?

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button