ରାଜ୍ୟ

Rainfall Record: ଅଗଷ୍ଟ ମାସରେ ସର୍ବକାଳୀନ ବର୍ଷା ରେକର୍ଡ, ଜିଲ୍ଲାରେ ମାସକରେ ୧୦,୭୩୮ ମିଲିମିଟର ବୃଷ୍ଟିପାତ

ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ଅଗଷ୍ଟ ମାସରେ ସର୍ବକାଳୀନ ରେକର୍ଡ ପରିମାଣର ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସ ସାରା ଜିଲ୍ଲାରେ ମୋଟ୍‌ ୧୦,୭୩୮ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି।

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ଅଗଷ୍ଟ ମାସରେ ସର୍ବକାଳୀନ ରେକର୍ଡ ପରିମାଣର ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସ ସାରା ଜିଲ୍ଲାରେ ମୋଟ୍‌ ୧୦,୭୩୮ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ହାରାହାରି ୫୯୬.୯୧ ମିଲିମିଟର ବର୍ଷା ହୋଇଥିଲା। ଗତ ୧୫ ବର୍ଷର ଇତିହାସକୁ ଦେଖିଲେ, ଅର୍ଥାତ ୨୦୧୨ ମସିହା ପରଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଏହା ହେଉଛି ସବୁଠାରୁ ଅଧିକ ଏବଂ ସର୍ବୋଚ୍ଚ ପରିମାଣର ମୋଟ୍‌ ବୃଷ୍ଟିପାତ। ଏହି ମାତ୍ରାଧିିକ ବର୍ଷା ଯୋଗୁ ଜିଲ୍ଲାର ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାର ନଜିର ରହିଛି।

ରାଉରକେଲାରେ ସର୍ବାଧିକ, ହେମଗିରରେ ସର୍ବନିମ୍ନ

ହାରାହାରି ୫୯୬.୯୧ ମିଲିମିଟର ବର୍ଷା, ଜିଲ୍ଲାର ପୂର୍ବରୁ ଥିବା ସମସ୍ତ ପୁରୁଣା ରେକର୍ଡକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି। ଜିଲ୍ଲାରେ କେବେହେଲେ ଅଗଷ୍ଟ ମାସର ମୋଟ୍‌ ବର୍ଷା ୧୦ ହଜାର ମିଲିମିଟର ଛୁଇଁନଥିଲା। କେବଳ ଦୁଇଥର ବର୍ଷା ପରିମାଣ ୯ ହଜାର ମିଲିମିଟର ଟପିଥିଲା। ୨୦୧୨ ମସିହା ଅଗଷ୍ଟ ମାସରେ ମୋଟ୍‌ ୯୫୬୩.୮୧ ମିଲିମିଟର ବର୍ଷା ହୋଇଥିବାବେଳେ ୨୦୨୦ରେ ୯୫୯୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ମାସରେ ଜିଲ୍ଲାର କୌଣସି ନିର୍ଦ୍ଦିଷ୍ଟ ବ୍ଲକ ନୁହେଁ; ବରଂ ସମସ୍ତ ୧୭ଟି ବ୍ଲକ୍‌ରେ ପାଖାପାଖି ସମାନ ବର୍ଷା ହୋଇଥିଲା। ଗତ ମାସରେ ରାଉରକେଲାରେ ସର୍ବାଧିକ ୧୦୬୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଲାଠିକାଟା ବ୍ଳକରେ ୮୭୫ ମିଲିମିଟର ବର୍ଷା ହୋଇଥିବାବେଳେ ବିଶ୍ରାରେ ୭୮୪ ମିଲିମିଟର, କୋଇଡ଼ାରେ ୭୪୧ ମିଲିମିଟର, ବଣାଇରେ ୬୯୮ ମିଲିମିଟର, କୁଆରମୁଣ୍ଡାରେ ୬୪୨ ମିଲିମିଟର, ସବ୍‌ଡେଗାରେ ୬୧୪ ମିଲିମିଟର, ବଡ଼ଗାଁରେ ୫୭୩ ମିଲିମିଟର, ବାଲିଶଙ୍କରାରେ ୫୫୯ ମିଲିମିଟର, ଗୁରୁଣ୍ଡିଆରେ ୫୫୮ ମିଲିମିଟର, ନୂଆଗାଁରେ ୫୩୬ ମିଲିମିଟର, କୁତ୍ରାରେ ୫୨୬ ମିଲିମିଟର, ଲହୁଣିପଡ଼ାରେ ୪୮୮ ମିଲିମିଟର, ରାଜଗାଙ୍ଗପୁରରେ ୪୮୫ ମିଲିମିଟର, ସୁନ୍ଦରଗଡ଼ ସଦରରେ ୪୨୧ ମିଲିମିଟର, ଟାଙ୍ଗରପାଲିରେ ୪୦୪ ମିଲିମିଟର, ଲେଫ୍ରିପଡ଼ାରେ ୩୯୪ ମିଲିମିଟର ଓ ହେମଗିରି ବ୍ଲକରେ ସର୍ବନିମ୍ନ ୩୭୩ ମିଲିମିଟର ମୋଟ ବର୍ଷା ହୋଇଥିଲା। ପ୍ରତିଦିନର ସାମଗ୍ରିକ ଆକଳନ ଅନୁଯାୟୀ, ଜିଲ୍ଲାରେ ଦୈନିକ ହାରାହାରି ବୃଷ୍ଟିପାତ ୧.୨୯ ମିଲିମିଟରରୁ ଆରମ୍ଭ ହୋଇ ଅଗଷ୍ଟ ୧୪ ତାରିଖରେ ସର୍ବାଧିକ ୭୨.୩୨ ମିଲିମିଟର ଏବଂ ଅଗଷ୍ଟ ୧୮ ତାରିଖରେ ୬୮.୪ ମିଲିମିଟର ଛୁଇଁଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button