Asian Games: ଏସୀୟ କ୍ରୀଡ଼ା: କ୍ରୁଜ୍ ଜାହାଜ ବନିବ ଭାସମାନ କ୍ରୀଡ଼ାଗ୍ରାମ
ଏସୀୟ କ୍ରୀଡ଼ାରେ ଏଥର ଦେଖିବାକୁ ମିଳିବ ଏକ ନୂଆ ଓ ଅଭିନବ ବ୍ୟବସ୍ଥା। ପାରମ୍ପରିକ କ୍ରୀଡ଼ାଗ୍ରାମ ପରିବର୍ତ୍ତେ ଖେଳାଳିମାନେ ରହିବେ କୋଷ୍ଟାର ସେରେନା ନାମକ ଏକ ଭାସମାନ କ୍ରୁଜ୍ ଜାହାଜରେ। ଏହି ବିଶାଳ ଇଟାଲୀୟ ବିଳାସପୂର୍ଣ୍ଣ ଜାହାଜ ପାଲଟିବ ଅସ୍ଥାୟୀ ଭାସମାନ କ୍ରୀଡ଼ାଗ୍ରାମ।

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଏଥର ଦେଖିବାକୁ ମିଳିବ ଏକ ନୂଆ ଓ ଅଭିନବ ବ୍ୟବସ୍ଥା। ପାରମ୍ପରିକ କ୍ରୀଡ଼ାଗ୍ରାମ ପରିବର୍ତ୍ତେ ଖେଳାଳିମାନେ ରହିବେ କୋଷ୍ଟାର ସେରେନା ନାମକ ଏକ ଭାସମାନ କ୍ରୁଜ୍ ଜାହାଜରେ। ଏହି ବିଶାଳ ଇଟାଲୀୟ ବିଳାସପୂର୍ଣ୍ଣ ଜାହାଜ ପାଲଟିବ ଅସ୍ଥାୟୀ ଭାସମାନ କ୍ରୀଡ଼ାଗ୍ରାମ। ଜାପାନର ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଆରମ୍ଭ ହେବା ପରେ ହଜାର ହଜାର କ୍ରୀଡ଼ାବିତ୍ ଓ ଅଧିକାରୀ ନାଗୋୟା ବନ୍ଦରରେ ନଙ୍ଗର ପକାଇଥିବା ଏହି ଜାହାଜରେ ରହିବେ। ସ୍ୱିମିଂ, ଡାଇଭିଂ ଓ ଅଶ୍ୱଚାଳନା ଭଳି କିଛି ଇଭେଣ୍ଟର କ୍ରୀଡ଼ାବିତ୍ମାନଙ୍କୁ ଟୋକିଓ ନିକଟରେ ରଖାଯିବ। ତେବେ ନାଗୋୟା ଅଞ୍ଚଳରେ ହେବାକୁ ଥିବା ଜୁଡୋ, ରେସଲିଂ ଓ ତୀରନ୍ଦାଜୀ ଭଳି ଇଭେଣ୍ଟର ଅନେକ ପ୍ରତିଯୋଗୀ କୋଷ୍ଟା ସେରେନାରେ ରହିବେ। ବିଶାଳ କ୍ରୀଡ଼ାଗ୍ରାମ ନିର୍ମାଣ କରିବା ପାଇଁ ବହୁତ ଅର୍ଥ ଓ ସମୟ ଆବଶ୍ୟକ। କ୍ରୀଡ଼ା ପ୍ରତିଯୋଗିତା ଶେଷ ହେବା ପରେ ଏଭଳି ଭିତ୍ତିଭୂମିର ବ୍ୟବହାର ନେଇ ମଧ୍ୟ ପ୍ରଶ୍ନ ଉଠେ। ତେଣୁ ଜାପାନ ଏଥର ଏକ ପ୍ରସ୍ତୁତ ‘ଭାସମାନ ହୋଟେଲ୍’କୁ ବ୍ୟବହାର କରିବାର ଯୋଜନା କରିଛି। ରିପୋର୍ଟ ଅନୁସାରେ, ପାଖାପାଖି ୪.୫ ବିଲିୟନ୍ ୟେନ୍, ଅର୍ଥାତ୍ ପ୍ରାୟ ୩୦ ନିୟୁତ ଡଲାରରେ ଜାହାଜଟିକୁ ଭଡ଼ାରେ ଅଣାଯାଇଛି। ୨୦୦୭ରେ ଇଟାଲୀୟ ଜାହାଜ ନିର୍ମାତା ଫିନକାଣ୍ଟିଏରି ଦ୍ୱାରା ନିର୍ମିତ କୋଷ୍ଟା ସେରେନାରେ ୧୪ଟି ଡେକ୍ ରହିଛି। ଏଥିରେ ପ୍ରାୟ ୫ ହଜାର ଲୋକ ରହିପାରିବେ। ଜାହାଜରେ ୫୫୭ଟି ବାଲକୋନି କ୍ୟାବିନ୍, ୮ଟି ରେଷ୍ଟୁରାଣ୍ଟ, ୧୦ଟି ବାର୍, ୪ଟି ସୁଇମିଂ ପୁଲ୍, ରନିଂ ଟ୍ରାକ୍ ଓ ୱେଲ୍ନେସ୍ ସେଣ୍ଟର ଭଳି ସୁବିଧା ରହିଛି। ୨୦୨୫ରେ ଏହାର ବଡ଼ ଧରଣର ନବୀକରଣ ମଧ୍ୟ କରାଯାଇଛି।
କ୍ରିକେଟର ଚାହିଁଲେ ନିଜ ବ୍ୟବସ୍ଥା ନିଜେ କରିପାରିବେ
ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା କ୍ରିକେଟ୍ ଦଳଗୁଡ଼ିକୁ ଆୟୋଜକଙ୍କ ପକ୍ଷରୁ ହୋଟେଲ୍ରେ ରହଣି ସୁବିଧା ଦିଆଯାଇଛି। ତେବେ ଦଳଗୁଡ଼ିକ ଚାହିଁଲେ ନିଜସ୍ୱ ଭାବେ ହୋଟେଲ୍ ବ୍ୟବସ୍ଥା କରିପାରିବେ ବୋଲି ଜାପାନ କ୍ରିକେଟ୍ ଆସୋସିଏସନ୍ର ସିଇଓ ନାଓକି ଆଲେକ୍ସ ମିୟାଜି କହିଛନ୍ତି। ଗତ ସପ୍ତାହରେ ଏସୀୟ କ୍ରିକେଟ୍ ପରିଷଦ ବୈଠକରେ ଭାରତ ସମେତ ପ୍ରମୁଖ କ୍ରିକେଟ୍ ଦେଶଗୁଡ଼ିକ ରହଣି ଓ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ବିଶେଷକରି କ୍ରିକେଟ୍ ଖେଳାଯିବାକୁ ଥିବା କୋରୋଗି ସ୍ପୋର୍ଟସ୍ ପାର୍କଠାରୁ ନିର୍ଦ୍ଧାରିତ ରହଣି ସ୍ଥଳ ପ୍ରାୟ ୨୦ କିଲୋମିଟର ଦୂରରେ ଥିବାରୁ ପ୍ରଶ୍ନ ଉଠିଥିଲା। ଏପରିକି ଷ୍ଟାଡିୟମରେ ଟେଣ୍ଟରେ ଡ୍ରେସିଂ ରୁମ ଏବଂ ୫୦୦ ମିଟର ଦୂରରେ ଶୌଚାଳୟ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ସୌଜନ୍ୟ ସମ୍ବାଦ



