ଜାତୀୟ

କ୍ଷେତରେ କାମ କରୁଥିବା ବୃଦ୍ଧାଙ୍କୁ ଦେଖି ଅଟକିଲା ବିଜୟଙ୍କ କାର୍‌! ତା’ପରେ ଯାହା କଲେ, ଭାଇରାଲ ହେଲା ଭିଡିଓ

ଚେନ୍ନାଇ,୩।୯: ତାମିଲନାଡୁର ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ବିଜୟ ଜଣେ ବୃଦ୍ଧା ମହିଳାଙ୍କୁ ଭେଟି ତାଙ୍କ ସହ କଥା ହେଉଥିବା ନଜର ଆସିଛି। ତେବେ ଏହି ସାକ୍ଷାତ ସମୟରେ ସେ ଯାହା କରିଥିଲେ, ତାହା ସେଠାରେ ଉପସ୍ଥିତ ଲୋକଙ୍କ ମନକୁ ଛୁଇଁ ଯାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୧ ତାରିଖରେ ସେଲମ୍‌ର ମେଟ୍ଟୁର ଅଞ୍ଚଳରେ ବିଜୟଙ୍କ ଗସ୍ତ ସମୟରେ ଏହି ଘଟଣା ଘଟିଥିଲା। ଫେରିବା ବେଳେ ରାସ୍ତା କଡ଼ରେ କ୍ଷେତରେ କାମ କରୁଥିବା କିଛି ବୃଦ୍ଧା ମହିଳାଙ୍କୁ ଦେଖି ସେ ନିଜ ଗାଡ଼ି ଅଟକାଇଥିବା ଭିଡିଓରେ ଦେଖାଯାଉଛି।

ଗାଡ଼ିରୁ ଓହ୍ଲାଇ ବିଜୟ ମହିଳାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ଚେଲ୍ଲମ ନାମକ ଜଣେ ବୃଦ୍ଧା ତାଙ୍କ ପାଖକୁ ଆସି ହାତ ଧରିଥିଲେ। ବିଜୟ ତାଙ୍କ ନାମ ପଚାରିବା ସହ ସେ ଖାଇଛନ୍ତି କି ନାହିଁ ବୋଲି ପଚାରିଥିଲେ।

ବୃଦ୍ଧା ଜଣକ କହିଥିଲେ ଯେ, ସେ ଏପର୍ଯ୍ୟନ୍ତ ଖାଇନାହାନ୍ତି, କାରଣ ସେ ବିଜୟଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିଲେ। ଏହା ପରେ ବିଜୟ ନିଜ ଆଖିରୁ ଚଷମା ଖୋଲି ବୃଦ୍ଧାଙ୍କୁ ଦେଇଥିବା ଭିଡିଓରେ ଦେଖାଯାଉଛି। ପ୍ରଥମେ ଚଷମା ନେବାକୁ ବୃଦ୍ଧା ଜଣକ ଟିକେ ଦ୍ୱିଧା କରିଥିଲେ। କିନ୍ତୁ ବିଜୟ ତାଙ୍କୁ ଚଷମା ପିନ୍ଧିବାକୁ କହିବା ପରେ ସେ ଏହାକୁ ପିନ୍ଧିଥିଲେ। ଚଷମା ପିନ୍ଧିବା ପରେ ବୃଦ୍ଧାଙ୍କ ମୁହଁରେ ଖୁସି ସ୍ପଷ୍ଟ ଦେଖାଯାଇଥିଲା। ଏହି ସାକ୍ଷାତ ପରେ ଚେଲ୍ଲମ ବିଜୟଙ୍କୁ ଭେଟିବା ଅନୁଭୂତି ବିଷୟରେ କହିଥିଲେ। ସେ କହିଥିଲେ ଯେ ବିଜୟ ତାଙ୍କୁ ଖାଇଛନ୍ତି କି ନାହିଁ ବୋଲି ପଚାରିଥିଲେ ଏବଂ ତାଙ୍କୁ ଦେଖି ସେ ବହୁତ ଖୁସି ହୋଇଥିଲେ।
ବୃଦ୍ଧା ଜଣକ ଆହୁରି କହିଥିବା ଦାବି କରାଯାଉଛି ଯେ, ବିଜୟ ତାଙ୍କୁ ଫିଲ୍ମରେ ଯେମିତି ଦେଖାଯାଆନ୍ତି, ବାସ୍ତବରେ ମଧ୍ୟ ସେହିପରି ଲାଗୁଥିଲେ।
ଅଭିନେତା ଭାବେ ଦୀର୍ଘ ସମୟ ଧରି ତାମିଲ ସିନେମାରେ ଲୋକପ୍ରିୟ ଥିବା ବିଜୟ ଏବେ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବୃଦ୍ଧାଙ୍କ ସହ ତାଙ୍କର ଏହି ସରଳ ସାକ୍ଷାତକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button