ରାଜ୍ୟ

Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି

ପ୍ରାକୃତିକ ଦୁର୍ବିପାକରେ ଫସଲ କ୍ଷତି ହେଲେ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା’ ଆରମ୍ଭ କରିଛନ୍ତି। କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଏହି ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚୁନାହିଁ।

ବାଲେଶ୍ୱର (ରିତେନ୍ଦ୍ର ଛାଟୋଇ): ପ୍ରାକୃତିକ ଦୁର୍ବିପାକରେ ଫସଲ କ୍ଷତି ହେଲେ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା’ ଆରମ୍ଭ କରିଛନ୍ତି। କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଏହି ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚୁନାହିଁ। ବୀମା କମ୍ପାନିଗୁଡ଼ିକ କୋଟି କୋଟି ଟଙ୍କା ପ୍ରିମିୟମ୍‌ ନେଉଥିବାବେଳେ କ୍ଷତିପୂରଣ ନାମରେ କମ୍‌ ଚାଷୀଙ୍କୁ ସାମାନ୍ୟ ଅର୍ଥ ରାଶି ଦେଉଥିବାରୁ ଯୋଜନାଟି ପ୍ରହସନରେ ପରିଣତ ହୋଇଛି। ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, କାଂଶବାଂଶ ଓ ସୋନ ନଦୀ ବନ୍ୟାରେ ପ୍ରତିବର୍ଷ ସଦର, ରେମୁଣା, ବସ୍ତା, ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ୍‌ର ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ହେଲେ ଅଧିକାଂଶ କ୍ଷେତ୍ରରେ ବୀମାଭୁକ୍ତ ଚାଷୀଙ୍କୁ ପ୍ରକୃତ କ୍ଷତିପୂରଣ ମିଳୁନାହିଁ। ଜିଲ୍ଲାର ବିଧାୟକମାନେ ବିଧାନସଭାରେ ଏହି ପ୍ରସଙ୍ଗ ଏକାଧିକ ଥର ଉଠାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ।

ସୂଚନା ମୁତାବକ ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ ବୀମା କମ୍ପାନିଗୁଡ଼ିକ ପ୍ରିମିୟମ୍‌ ବାବଦରେ ପ୍ରାୟ ୧୦୧ କୋଟି ଟଙ୍କା ନେଇଥିବାବେଳେ କ୍ଷତିପୂରଣ ବାବଦରେ ମାତ୍ର ୧୯ କୋଟି ୬୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୦୨୨-୨୩ରେ ବୀମା କମ୍ପାନିଗୁଡ଼ିକ ୨୦ କୋଟି ୧୨ ଲକ୍ଷ ଟଙ୍କା ପ୍ରିମିୟମ୍‌ ନେଇଥିବାବେଳେ ୧୦ କୋଟି ୬୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିଲେ। ୨୦୨୩-୨୪ରେ ପ୍ରିମିୟମ୍‌ ବଢ଼ି ୩୫ କୋଟି ୮୩ ଲକ୍ଷ ଟଙ୍କା ହୋଇଥିବାବେଳେ କ୍ଷତିପୂରଣ ୮ କୋଟି ୫୦ ଲକ୍ଷ ଟଙ୍କାକୁ ଖସି ଆସିଥିଲା। ସବୁଠୁ ଚିନ୍ତାଜନକ ସ୍ଥିତି ୨୦୨୪-୨୫ରେ ଦେଖାଯାଇଥିଲା। ସେହି ବର୍ଷ ୪୪ କୋଟି ୮୩ ଲକ୍ଷ ଟଙ୍କା ପ୍ରିମିୟମ୍‌ ଆଦାୟ ହୋଇଥିବାବେଳେ କ୍ଷତିପୂରଣ ମାତ୍ର ୫୨ ଲକ୍ଷ ଟଙ୍କାରେ ସୀମିତ ରହିଥିଲା। ସେହିପରି କ୍ଷତିପୂରଣ ପାଇଥିବା ଚାଷୀଙ୍କ ସଂଖ୍ୟା ମଧ୍ୟ ଅତ୍ୟନ୍ତ କମ୍‌। ୨୦୨୨-୨୩ରେ ବୀମା କରିଥିବା ୨୮,୬୪୬ ଜଣ ଚାଷୀଙ୍କ ମଧ୍ୟରୁ ୬,୦୩୩ ଜଣ, ୨୦୨୩-୨୪ରେ ୧,୩୭,୮୧୫ ଜଣଙ୍କ ମଧ୍ୟରୁ ୧୨,୦୯୩ ଜଣ ଏବଂ ୨୦୨୪-୨୫ରେ ୧,୬୦,୦୫୫ ଜଣଙ୍କ ମଧ୍ୟରୁ ମାତ୍ର ୧,୬୪୪ ଜଣ କ୍ଷତିପୂରଣ ପାଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button